୨୦୨୨ ହକି ବିଶ୍ୱକପ୍: ବିଡ୍ ଦାଖଲ କଲା ଭାରତ, କଳିଙ୍ଗକୁ ଫେରିବ ହକି ବିଶ୍ୱକପ୍ !

ଭୁବନେଶ୍ୱର, ୫ ।୨ (ବ୍ୟୁରୋ): ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିପାରେ ହକି ବିଶ୍ୱକପ୍ । ତେବେ ତାହା କେଉଁ ବର୍ଗରେ ରହିବ ଆସନ୍ତା ଜୁନ ମାସରେ ସ୍ପଷ୍ଟ ହେବ । ୨୦୨୨ରେ ପୁରୁଷ ହକି ବିଶ୍ୱକପ୍ ଓ ୨୦୨୩ରେ ମହିଳା ହକି ବିଶ୍ୱକପ୍ ଆୟୋଜିତ ହେବ । ଉଭୟ ବିଶ୍ୱକପ୍ର ଆୟୋଜନ ନେଇ ଗତ ୩୧ ମାସ ସୁଦ୍ଧା ବିଡ୍ ଆହ୍ୱାନର ଶେଷ ତାରିଖ ରହିଥିଲା । ଭାରତ ଉଭୟ ପୁରୁଷ ଓ ମହିଳା ବିଶ୍ୱକପ୍ ଆୟୋଜନ କରିବା ପାଇଁ ଏଫ୍ଆଇଏଚ୍ରେ ବିଡ୍ ଦାଖଲ କରିଛି । ଆସନ୍ତା ଜୁନ ମାସରେ ବିଡ୍ ଖୋଲା ଯାଇ ଚୂଡ଼ାନ୍ତ ଭେନ୍ୟୁର ନାମ ଘୋଷଣା କରାଯିବ । ୨୦୧୮ରେ ଭାରତ ପୁରୁଷ ହକି ବିଶ୍ୱକପ୍ର ଆୟୋଜକ ଥିଲା, ତେଣୁ ହୁଏତ ଏଥର ମହିଳା ବିଶ୍ୱକପ୍ ଆୟୋଜନ ନେଇ ଅଧିକାର ମିଳିପାରେ । ଯଦି ଭାରତ ମହିଳା ବିଶ୍ୱକପ୍ ବିଡ୍ରେ ବିଜୟୀ ହୁଏ ତେବେ କଳିଙ୍ଗ ଷ୍ଟାଡିୟମରେ ଏହି ସଂସ୍କରଣ ଆୟୋଜିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
୨୦୧୮ ପୁରୁଷ ହକି ବିଶ୍ୱକପ୍ର ଆୟୋଜନ ଉଭୟ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କୁ ବହୁ ପ୍ରଶଂସା ଆଣି ଦେଇଛି । ପୂର୍ବରୁ କୌଣସି ସଂସ୍କରଣ ଏଭଳି ଭାବେ ଆୟୋଜିତ ହୋଇ ନଥିଲା । ସ୍ୱତନ୍ତ୍ର ଉଦ୍ଘାଟନୀ ଉତ୍ସବ ବିଶ୍ୱକପ୍ ଆୟୋଜନରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ଏହାକୁ ନେଇ ଏଫ୍ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ତେଣୁ ଏଥର ଯଦି ପୁଣି ଭାରତ ମହିଳା କିମ୍ବା ପୁରୁଷ କୌଣସି ବିଶ୍ୱକପ୍ ଆୟୋଜନ ଅଧିକାର ହାସଲ କରେ, ତାହା ଭୁବନେଶ୍ୱରରେ ଆୟୋଜନ କରିବାକୁ ଚାହିଁବ ହକି ଇଣ୍ଡିଆ । ରାଜ୍ୟ କ୍ରୀଡ଼ା ବିଭାଗ କ୍ରୀଡ଼ା ସଂପର୍କିତ କୌଣସି ଚ୍ୟାଲେଞ୍ଜକୁ ସବୁବେଳେ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ।
୨୦୨୨ ପୁରୁଷ ଓ ୨୦୨୩ ମହିଳା ବିଶ୍ୱକପ୍ ଆୟୋଜନ ପାଇଁ ଭାରତ ସମେତ ଏକାଧିକ ଦେଶ ବିଡ୍ ଦାଖଲ କରିଛନ୍ତି । ପୁରୁଷ ସଂସ୍କରଣ ଜୁଲାଇ ୧ରୁ ୧୭ ତାରିଖ (୨୦୨୨) ମଧ୍ୟରେ ଆୟୋଜିତ ହେବ । ଭାରତ ସମେତ ଜର୍ମାନୀ, ମାଲେସିଆ ଓ ସ୍ପେନ ଏହି ସଂସ୍କରଣ ଆୟୋଜନ ନେଇ ବିଡ୍ ଦାଖଲ କରିଛନ୍ତି । ସେମିତି ମହିଳା ବିଶ୍ୱକପ୍ ଜାନୁଆରୀ ୧୩ରୁ ୨୯ (୨୦୨୩) ମଧ୍ୟରେ ଆୟୋଜନ କରାଯିବ । ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ଏହି ସଂସ୍କରଣ ଆୟୋଜନ ନେଇ ଆଗ୍ରହୀ ରହିଛନ୍ତି ।
ଏଫ୍ଆଇଏଚ୍ (ଅନ୍ତର୍ଜାତୀୟ ହକି ମହାସଂଘ)ର ସୂଚନା ଅନୁସାରେ, ବିଭିନ୍ନ ଦେଶ ପକ୍ଷରୁ ଦାଖଲ କରାଯାଇଥିବା ବିଡ୍ର ମୂଲ୍ୟାୟନ ଖୁବ୍ ଶୀଘ୍ର ଆରମ୍ଭ ହେବ । ଆସନ୍ତା ଜୁନ ମାସରେ ଏଫ୍ଆଇଏଚ୍ ଏକ୍ସିକ୍ୟୁଟିଭ ବୋର୍ଡ ବୈଠକ ରହିଛି । ଏହି ବୈଠକରେ ଉଭୟ ବିଶ୍ୱକପ୍ର ଚୂଡ଼ାନ୍ତ ଭେନ୍ୟୁର ନାମ ଘୋଷଣା କରାଯିବ ।