କେସିଙ୍ଗା ୮/୧୨ : ଚଳିତ ୨୦୨୫-୨୬ ଖରିଫ ଋତୁର ଚାଷୀ ମାନଙ୍କ ଧାନ କିଣାବିକା ବିଷୟ ଉପରେ ଆଲୋଚନା କରିବା ପାଇଁ କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପେକ୍ସ ପକ୍ଷରୁ ଆଜି ଏସ୍ଓଏଲପିସି ବୈଠକ ଡକାଯାଇଥିଲା। କାଣ୍ଡେଲ ପେକ୍ସରେ ଚଳିତ ଖରିଫ ଋତୁର ଧାନ ମଣ୍ଡି ଶୁଭାରମ୍ଭ କରିବା ପୂର୍ବରୁ ଏସ୍ଓଏଲପିସି ବୈଠକ ଡକାଯାଇଥିବା ବେଳେ ମଣ୍ଡିର ଧାନ ଉଠାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୈ।ଣସି ମିଲର୍ସ ଟେଗ ହୋଇ ନାହିଁ। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀ ମାନଙ୍କ ଠାରୁ କ୍ରୟ ହେବାକୁ ଥିବା ମଣ୍ଡିର ଧାନ ଉଠାଇବା ପାଇଁ ମିଲର୍ସ ଟେଗ ହୋଇନଥିବା ଯୋଗୁଁ ଧାନ କିଣାବିକା ବିଷୟ ଉପରେ ଆଜିର ଏସ୍ଓଏଲପିସି ବୈଠକରେ ଯାହା ଆଲୋଚନା ହେବାର ଥିଲା ତାହା ହୋଇପାରି ନାହିଁ। ବିଗତ ବର୍ଷ ମାନଙ୍କରେ ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେହି ସମସ୍ୟାର ସମାଧାନ ପାଇଁ ଚଳିତ ବର୍ଷ କାଣ୍ଡେଲ ପେକ୍ସ ଅନ୍ତର୍ଗତ କାଣ୍ଡେଲ,ବାଲସି ଓ ସିରୋଲ ଧାନ ମଣ୍ଡି ପାଇଁ ମିଲର୍ସ ଟେଗ ନହେବା ପର୍ଯ୍ୟନ୍ତ ଧାନ କିଣାବିକା ବିଷୟ ଉପରେ ଆଲୋଚନା ହୋଇପାରିବ ନାହିଁ ତେଣୁ ବୈଠକକୁ ସ୍ଥଗିତ ରଖାଯାଉ ବୋଲି ଡାଇରେକ୍ଟର ଗଜିନ୍ଦ୍ର ସାହୁ ଙ୍କ ପ୍ରସ୍ତାବ କୁ ସର୍ବସମ୍ମତିକ୍ରମେ ସମର୍ଥନ କରାଯାଇଥିଲା। ମିଲର୍ସ ଟେଗ ହେବା ପରେ ଧାନ କିଣାବିକା ବିଷୟ ଉପରେ ଏସ୍ଓଏଲପିସି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
କାଣ୍ଡେଲ ପେକ୍ସ ସଭାପତି ତ୍ରିପୁରା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାଣ୍ଡେଲ ପେକ୍ସର ସମସ୍ତ ନିର୍ବାଚିତ ଡାଇରେକ୍ଟର,ଲଇତରା ରାଜସ୍ବ ନିରୀକ୍ଷକ ମୋହନ ମାଝୀ,କାଣ୍ଡେଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ନାଏକ,ବାଲସି ପଞ୍ଚାୟତ କୃଷି ଓଭରସିୟର ଚତୁରୀ ପ୍ରଧାନ,କାଣ୍ଡେଲ ଓ ସିରୋଲ ପଞ୍ଚାୟତ ଭିଏଡବ୍ଲୁ ଜିତେନ୍ଦ୍ର ସାହୁ ଏବଂ ଆରଏମସି କର୍ମଚାରୀ କ୍ଷୀରୋଦ ପଟ୍ଟନାୟକ ଙ୍କ ସମେତ କାଣ୍ଡେଲ,ବାଲସି,ସିରୋଲ ଓ ପରଲସିଙ୍ଗା ପଞ୍ଚାୟତର ଚାଷୀ ପ୍ରତିନିଧି ଉପସ୍ଥିତ ରହିଥିଲେ ।