ଭୁବନେଶ୍ୱର, ୨୪/୦୨ : ଅପରାଧର ରାଜଧାନୀ ପାଲଟିଛି ଭୁବନେଶ୍ୱର । ବଳାତ୍କାର ଓ ଲୁଟ ଘଟଣାରେ ବାଲେଶ୍ୱର ଓ ଭୁବନେଶ୍ୱର ସବୁଠାରୁ ଆଗୁଆ ରହିଛି । ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋ(ଏସ୍‌ସିଆରବି)ର ଏହି ରିପୋର୍ଟ ସରକାର ଓ ପୁଲିସ ପ୍ରଶାସନ ପାଇଁ ସତର୍କ ଘଣ୍ଟି ବଜାଇଛି । କେବଳ ଭୁବନେଶ୍ୱର କି ବାଲେଶ୍ୱର ନୁହେଁ, ରାଜ୍ୟରେ ଦିନକୁ ପାଖାପାଖି ୪ଟି ହତ୍ୟା, ୮ଟି ବଳାତ୍କାର, ୧୮ଟି ସିନ୍ଧିଚୋରି ଓ ୬୦ଟି ଚୋରି ହେଉଛି । ୨୦୨୪ ତୁଳନାରେ ଗତବର୍ଷ ଲୁଟ୍‌, ଠକେଇ, ସିନ୍ଧିଚୋରି, ଦଙ୍ଗା ଓ ବଳାତ୍କାର କମିଥିଲେ ବି ହତ୍ୟା, ଦୁର୍ଘଟଣା ଓ ଚୋରି ୨୦୨୫ରେ ଢେର ବଢ଼ିଥିବା ଏସ୍‌ସିଆରବି ରିପୋର୍ଟ କହୁଛି ।

ହତ୍ୟାରେ ଗଞ୍ଜାମ ପୁଲିସ୍‌ ଜିଲ୍ଳା ପ୍ରଥମ

ଗତବର୍ଷ ୧୬% ଚୋରି ଓ ୩.୫% ହତ୍ୟା ବଢ଼ିଥିବା ରିପୋର୍ଟ ଦର୍ଶାଇଛି । ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା ମାମଲା ରୁଜୁ ହୋଇଥିଲା । ୨୦୨୫ରେ ଏହି ସଂଖ୍ୟା ପହଞ୍ଚିଥିଲା ୧୩୦୪ରେ । ହତ୍ୟାରେ ଗଞ୍ଜାମ ପୁଲିସ୍‌ ଜିଲ୍ଳା ପ୍ରଥମ ସ୍ଥାନରେ ଥିଲା । ଉକ୍ତ ଜିଲ୍ଲାରେ ୬୯ଟି ହତ୍ୟା ମାମଲା ରୁଜୁ ହୋଇଥିଲା । ୬୦ଟି ହତ୍ୟା ମାମଲା ରୁଜୁ କରି ଦ୍ୱିତୀୟରେ ରହିଥିଲା ଭୁବନେଶ୍ୱର ୟୁପିଡି । ୨୦୨୪ ତୁଳନାରେ ୨୦୨୫ରେ ୩.୫% ଅଧିକ ହତ୍ୟାକାଣ୍ଡ ଘଟିଥିଲା । ରାଜ୍ୟରେ ୨୦୨୪ରେ ୩୦୫୫ଟି ବଳତ୍କାର ମାମଲା ରୁଜୁ ହୋଇଥିଲା । ୨୦୨୫ରେ ୨୯୯୪ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ଅର୍ଥାତ୍‌ ଦିନକୁ ପ୍ରାୟ ୮ ଜଣ ମହିଳା ବଳାତ୍କାରର ଶିକାର ହୋଇଥିଲେ । ବଳାତ୍କାରରେ ରେକର୍ଡ କରିଛି ବାଲେଶ୍ୱର । ଉକ୍ତ ଜିଲ୍ଲାରେ ୧୯୬ଟି ମାମଲା ରୁଜୁ ହୋଇଛି । ଦ୍ୱିତୀୟରେ କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର । ୨୦୨୫ରେ ଭୁବନେଶ୍ୱର ୟୁପିଡିରେ ୧୭୦ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ତୃତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ । ଏହି ଜିଲ୍ଳାରେ ୧୬୯ଟି ବଳାତ୍କାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ।

୨୦୨୫ରେ କମିଥିଲା ଲୁଟ୍

୨୦୨୪ମସିହାରେ ୩୫୬ଟି ଡକାୟତି ହୋଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ୨୦୨୫ ମସିହାରେ ଡକାୟତି ସଂଖ୍ୟା ମାତ୍ର ୩ଟି କମିଥିଲା । ଗତବର୍ଷ ରାଜ୍ୟରେ ୩୫୩ଟି ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ବାଲେଶ୍ୱର ପୁଲିସ୍‌ ଜିଲ୍ଲାରେ ସର୍ବାଧିକ ୩୭ଟି ଡକାୟତି ହୋଇଥିଲା । ଦ୍ୱିତୀୟ ସ୍ଥାନରେ ଥିଲା ଅନୁଗୁଳ ପୁଲିସ୍‌ ଜିଲ୍ଲା । ଏହି ଜିଲ୍ଲାରେ ୨୫ଟି ଡକାୟତି ମାମଲା ରୁଜୁ ହୋଇଥିଲା । ୨୦୨୪ରେ ୨୫୮୨ଲୁଟ୍‌ (ଲୁଣ୍ଠନ) ମାମଲା ରୁଜୁ ହୋଇଥିଲା । ଗତବର୍ଷ ରାଜ୍ୟରେ ଲୁଟ୍‌ ମାମଲା ଢେର କମିଥିଲା । ୨୦୨୫ରେ ରାଜ୍ୟ ମାତ୍ର ୧୮୦୨ଟି ଲୁଟ ହୋଇଥିବା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା । ସର୍ବାଧିକ ୨୦୨ଟି ଲୁଟ୍‌ ମାମଲା ଭୁବନେଶ୍ୱର ୟୁପିଡିରେ ରୁଜୁ ହୋଇଥିଲା । ଦେଓଗଡ଼ରେ ମାତ୍ର ୫ଟି ମାମଲା ରୁଜୁ ହୋଇଥିଲା । ସେହିଭଳି ୨୦୨୪ରେ ମାତ୍ର ୧୭ ହଜାର ୮୦୫ଟି ଚୋରି ହୋଇଥିଲା । ତେବେ ୨୦୨୫ରେ ଏହା ରେକର୍ଡ ଭାଙ୍ଗିଛି । ଏହିବର୍ଷ ୨୧ ହଜାର ୧୯୬ଟି ଚୋରି ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ।

୨୦୨୫ରେ ସିନ୍ଧି ଚୋରି କମିଛି

ପୂର୍ବ ବର୍ଷ ଅପେକ୍ଷା ୧୬% ଚୋରି ବଢ଼ିଛି । ଦିନକୁ ପାଖାପାଖି ୬୦ଟି ଚୋରି ହୋଇଥିବା ରିପୋର୍ଟ କହୁଛି । ୯ଟି ଚୋରି ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି । ଚୋରି ମାମଲାରେ ବି ଭୁବନେଶ୍ୱର ପ୍ରଥମ ସ୍ଥାନରେ ଅଛି । ଭୁବନେଶ୍ୱରରେ ୨୧୬୧ଟି ଚୋରି ହୋଇଥିବା ଜଣାପଡିଛି । ଦ୍ୱିତୀୟରେ ବାଲେଶ୍ୱରରେ ୧୬୫୬ଟି ଓ ତୃତୀୟରେ ମୟୂରଭଞ୍ଜରେ ୧୪୭୯ଟି ଚୋରି ମାମଲା ରୁଜୁ ହୋଇଥିଲା । ୨୦୨୫ରେ ସିନ୍ଧି ଚୋରି କମିଛି । ଗତବର୍ଷ ୬୨୮୨ଟି ମାମଲା ରୁଜୁ ହୋଇଥିଲା । ୨୦୨୪ରେ ସିନ୍ଧିଚୋରି ସଂଖ୍ୟା ଥିଲା ୬୪୦୮ । ୨୦୨୫ରେ ସିନ୍ଧିଚୋରି ମାମଲାରେ ପ୍ରଥମ ସ୍ଥାନରେ ଥିଲା ପୁରୀ । ଏହି ଜିଲ୍ଲାରେ ଗତବର୍ଷ ୩୫୮ଟି ସିନ୍ଧିଚୋରି ହୋଇଥିଲା । ଦ୍ୱିତୀୟ ସ୍ଥାନରେ ଅଛି ଯାଜପୁର । ୨୦୨୪ରେ ୧୪୭୧ଟି ଦଙ୍ଗାଜନିତ ମାମଲା ରୁଜୁ ହୋଇଥିଲା । ୨୦୨୫ରେ ରାଜ୍ୟରେ ମାତ୍ର ୧୦୯୫ଟି ଦଙ୍ଗା ମାମଲା ରୁଜୁ ହୋଇଛି । ସର୍ବାଧିକ ୧୩୩ଟି ଦଙ୍ଗା କୋରାପୁଟରେ ହୋଇଛି । ଏହାଛଡ଼ା ୨୦୨୪ରେ ୧୨ ହଜାର ୩୭୫ଟି ଦୁର୍ଘଟଣା ଘଟିଥିଲା । ଗତବର୍ଷ ଦୁର୍ଘଟଣା ସଂଖ୍ୟା ୧୨୭୮୨ରେ ପହଞ୍ଚିଥିଲା । ସବୁଠାରୁ ଚିନ୍ତାର ବିଷୟ ହେଉଛି ମହିଳା ହିଂସା । ରାଜ୍ୟରେ ମହିଳା ନିର୍ଯାତନା ଓ ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ କରିବା ପୁଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମହିଳା ହିଂସାଜନିତ ୧୪୦ଟି ମାମଲାକୁ ଗତବର୍ଷ ରେଡଫ୍ଲାଗ୍‌ ଅର୍ନ୍ତଭୁକ୍ତ କରାଯାଇଥିବା ଜଣାପଡିଛି ।

ଏହି ଖବରଟିକୁ ପଢନ୍ତୁ- ଡରାଇଲାଣି ଅପମିଶ୍ରଣ, ଯାହା ଖାଉଛୁ ସବୁ ଭେଜାଲ୍‌, ସବୁଥିରେ ବିଷ...