ଭୁବନେଶ୍ୱର, ୨୪/୦୨ : ଯାହା ଖାଉଛୁ, ସବୁ ଭେଜାଲ୍ । ସବୁଥିରେ ବିଷ । ଯାହାକୁ ଆହାର ଭାବି ମଣିଷ ନିଶ୍ଚିତରେ ଖାଉଛି, ସେଥିରେ ଜହର ଭରି ରହିଛି । ଏହା ସୁସ୍ଥ ରଖିବ କ’ଣ ଓଲଟା ରୋଗ ଟାଣି ଆଣୁଛି । ସ୍ୱାସ୍ଥ୍ୟ ଉପରେ ଭୟଙ୍କର ପ୍ରଭାବ ପଡ଼ୁଛି । ଏ କଥା ଆମେ ନୁହେଁ, ବିଧାନସଭା ତଥ୍ୟ କହୁଛି । ଚାଉଳ, କ୍ଷୀର, ଚିନି, ସୁଜି, ବିସ୍କୁଟ, ଚକୋଲେଟ୍, ଛତୁଆ, ମସଲା, ମିକ୍ସଚ, ପାମ୍ପଡ, ବେସନ, ଅଟା, ମଇଦା, ଚାଉମିନ୍, ଖାଇବା ତେଲ, ଭଳି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଧରାପଡ଼ିଛି । ଖାଦ୍ୟ ଅପମିଶ୍ରଣର ତାଲିକା ଏତିକିରେ ସୀମିତ ନାହିଁ । ଚକୋଲେଟ୍, ଚା, ପାଣି, କୁକିଜ୍ ଭଳି ସାମଗ୍ରୀକୁ ଅପମିଶ୍ରଣ କରି ବଜାରକୁ ଛଡ଼ାଯାଉଛି । ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚରୁ ଗତ ଦୁଇ ବର୍ଷ ହେବ ଏହି ସବୁ ଅପମିଶ୍ରିତ ସାମଗ୍ରୀ ଧରା ପଡ଼ିଛି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ଦୁଇ ବର୍ଷରେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହୋଇଥିବା ଯାଞ୍ଚରୁ ଧରାପଡ଼ିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୨୭ ଜିଲ୍ଲାର ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହୋଇଥିଲା । ସବୁଠୁ ଅଧିକ ଅପମିଶ୍ରିତ ନମୁନା ଜବତ ହୋଇଥିଲା ଖୋର୍ଦ୍ଧା ଜିଲ୍ଲାରୁ । ଏଠାରେ ଚକୋଲେଟ୍, ତୁଳସୀ ମଞ୍ଜି, ବନସ୍ପତି, ହଳଦୀ ଗୁଣ୍ଡ, ଲୁଣ, ଲିଚି ରସ, ବାଦାମ ବଟର, ଅରେଞ୍ଜ କ୍ୟାଣ୍ଡି, କରି ମସଲା, ତେଲ, ରାଗି ପାଉଡର, ଲିଚି ରସ, ବେସନ, ଅଟା, ମାୟୋନିଜ୍, ଚିଲି ସସ୍, ସୋୟା ସସ୍, ମିକ୍ସଚର, ମଇଦା ଭଳି ୨୦ରୁ ଅଧିକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହୋଇଥିବା ଜଣା ପଡ଼ିଥିଲା । ଅନୁଗୁଳରୁ ନକଲି ଚା’ ଗୁଣ୍ଡ, ବାଲେଶ୍ୱରରୁ ବିସ୍କୁଟ, ଛତୁଆ, ସୋୟା ବଡ଼ି, ସୋରିଷ ତେଲ, ଚିକେନ ମସଲା ଧରା ପଡ଼ିଥିଲା । ଭଦ୍ରକରୁ ଭେଜାଲ୍ ଚିଲି ସସ୍, ଗରମ ମସଲା, ଚାଇନା ଲୁଣ, କେକ୍, ସୁଜି, ଛତୁଆ, ବଲାଙ୍ଗିରରୁ ଉଷୁନା ଚାଉଳ, ସୁଜି, ଅଟା, ଦେବଗଡ଼ରୁ ବାଦାମ ଲଡ଼ୁ, କଟକରୁ ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଅଟା, ଢେଙ୍କାନାଳରୁ ଅପମିଶ୍ରିତ ସୁଜି, ଚା, ଗଜପତିରୁ ମଇଦା, ଟମାଟୋ ସସ୍, ଗଞ୍ଜାମରୁ ନକଲି ବିସ୍କୁଟ, ସୋୟା ବଡ଼ି, ଲଙ୍କା ପାଉଡର, ବିରିୟାନି ପାଉଡର, ଜଗତ୍ସିଂହପୁରରୁ ଅପମିଶ୍ରିତ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ବେସନ, ଯାଜପୁରରୁ ଲଙ୍କାଗୁଣ୍ଡ, ଝାରସୁଗୁଡ଼ାରୁ ଭେଜାଲ୍ ବିସ୍କୁଟ, ସୋୟାବିନ୍ ତେଲ, କଳାହାଣ୍ଡିରୁ ପାମୋଲିନ୍, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ ଜବତ ହୋଇଥିଲା ।
ସେହିପରି କନ୍ଧମାଳରେ ଅପମିଶ୍ରିତ ଚଣାଚୁର, ହଳଦୀଗୁଣ୍ଡ, କେନ୍ଦ୍ରାପଡ଼ାରେ ପାମ୍ପଡ଼, ସୂର୍ଯ୍ୟମୁଖୀ ତେଲ, ବନସ୍ପତି, କ୍ଷୀର, କେନ୍ଦୁଝରରୁ ବିସ୍କୁଟ, ରାଇସ୍ ବ୍ରାନ୍ ତେଲ, ମାଲକାନଗିରିରୁ ନକଲି ସୂର୍ଯ୍ୟମୁଖୀ ତେଲ, ନୟାଗଡ଼ରୁ ବିସ୍କୁଟ, ମଇଦା, ନୂଆପଡ଼ାରୁ ଲୁଣ, ଅଟା, ଚିନି, ପୁରୀରୁ ହରଡ଼ ଡାଲି, ସବ୍ଜି ମସଲା, ବେସନ, ସେଓ, ଅଟା, ମଇଦା, ରାୟଗଡ଼ାରୁ ଲଙ୍କା ଗୁଣ୍ଡ, ସୂର୍ଯ୍ୟମୁଖୀ ତେଲ, ସୁଜି, ଚାଉଳ, ପନିର, ଘିଅ, ସମ୍ବଲପୁରରୁ ଲଡୁ, ବିସ୍କୁଟ, ସୋନପୁରରୁ ଛତୁଆ, ଆଚାର, ବେସନ, ଲୁଣ, ଚିନି, ସୁନ୍ଦରଗଡ଼ରୁ ଅପମିଶ୍ରିତ ପାଣି, ଚାଉମିନ, ଆଇସ୍କ୍ରିମ, ସସ୍, ରସଗୋଲା, ଜିରା ପାଉଡର, ଲଙ୍କା ଗୁଣ୍ଡ ଧରାପଡ଼ିଥିଲା ।
୨୦୨୫-୨୬ ଆର୍ଥିକ ବର୍ଷରେ(ନଭେମ୍ବର ମାସ ସୁଦ୍ଧା) କେବଳ ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରେ ଅପମିଶ୍ରିତ ଖାଦ୍ୟ ଜବତ ହୋଇଛି । ଖାଦ୍ୟ ଅପମିଶ୍ରଣ ଯାଞ୍ଚ ପାଇଁ ସବୁ ଜିଲ୍ଲା ଓ ପୌରାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତ ହୋଇଛନ୍ତି । କିନ୍ତୁ ୩୦ ଜିଲ୍ଲା ଜଗିବା ପାଇଁ ମାତ୍ର ୬୩ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଅଛନ୍ତି । ଅର୍ଥାତ୍ ପ୍ରତି ଜିଲ୍ଲା ପାଇଁ ମାତ୍ର ୨ଜଣ ଅଧିକାରୀ ଅଛନ୍ତି । ଭ୍ରାମ୍ୟମାଣ ପରୀକ୍ଷାଗାର ରାଜ୍ୟ ବୁଲି ଅପମିଶ୍ରଣ ସାମଗ୍ରୀର ନମୁନା ସଂଗ୍ରହ କରି ଯାଞ୍ଚ କରୁଛି । ଖାଦ୍ୟ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା ଆଇନ ୨୦୦୬ ଅନୁସାରେ ଫୋଷ୍ଟାକ୍ ଟ୍ରେନିଂ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଏବେବି ଜଳୁଛି ଧଉଳି ଲିଙ୍ଗିପୁର ନିକଟ ସୁପର ମାର୍ଟ, ୮ ଦମକଳ ଗାଡ଼ି ସହ ରୋବଟ୍ ଦ୍ୱାରା ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ