ନୂଆଦିଲ୍ଲୀ, ୧୮/୧୨: ଜାପାନ ଆୟୋଜନ କରିବ ୨୦୨୬ ଏସୀୟ କ୍ରୀଡ଼ା । ଏହା ଆଇଚି-ନାଗୋୟାରେ ଆୟୋଜିତ ହେବ । ୨୦ତମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ଆୟୋଜକ କିଛି ଅଭିନବ ପ୍ରୟାସ କରିଛନ୍ତି । ପ୍ରଥମ ଥର ଏସୀୟ କ୍ରୀଡ଼ା ଇତିହାସରେ କ୍ରୀଡ଼ାବିତଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡ଼ାଗ୍ରାମ ସ୍ଥଳଭାଗ ପରିବର୍ତ୍ତେ ଜଳଭାଗରେ କରାଯାଇଛି । ଭାସମାନ ଜାହାଜରେ ନିର୍ମାଣ ହୋଇଛି ବିଳାସପୂର୍ଣ୍ଣ କ୍ରୀଡ଼ାଗ୍ରାମ । ଯାହା କ୍ରୀଡ଼ାବିତମାନଙ୍କୁ ବେଶ ଆକୃଷ୍ଟ କରିବ ବୋଲି କୁହାଯାଇଛି ।

ଏହି ଭାସମାନ ବିଳାସପୂର୍ଣ୍ଣ କ୍ରୀଡ଼ାଗ୍ରାମରେ କିଛି କ୍ରୀଡ଼ା ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ସୁଟିଂ, ତୀରନ୍ଦାଜୀ ଓ ଭାରୋତ୍ତୋଳନ ଭଳି କ୍ରୀଡ଼ାର କ୍ରୀଡ଼ାବିତମାନଙ୍କୁ ଜାହାଜ ପରିବର୍ତ୍ତେ ଅନ୍ୟତ୍ର ରହଣିର ବ୍ୟବସ୍ଥା କରିବା ପାଇଁ ଭାରତ ଆୟୋଜକଙ୍କୁ ଅନୁରୋଧ ଜଣାଇବ । କାରଣ ଏହିସବୁ ସ୍ଥିର କ୍ରୀଡ଼ାରେ ଭାସମାନ ଜାହାଜରୁ ଓହ୍ଲାଇ ହଠାତ ଇଭେଣ୍ଟରେ ଅଂଶ ଗ୍ରହଣ କରିବାରେ କ୍ରୀଡ଼ାବିତଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଦୁଇଟି ଭିନ୍ନ ପରିବେଶରେ କ୍ରୀଡ଼ାବିତଙ୍କୁ ଖାପ ଖୁଆଇବାରେ ଅସୁବିଧା ହେବ । ଯାହା ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିବ । ଚଳିତ ମାସ ପ୍ରଥମ ସପ୍ତାହରେ ଏସୀୟ କ୍ରୀଡ଼ାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟରେ ଏକ ବୈଠକ ବସିଥିଲା । ସ୍ଥିର କ୍ରୀଡ଼ା ଗୁଡ଼ିକରେ କ୍ରୀଡ଼ାବିତଙ୍କୁ ଜାହାଜ ପରିବର୍ତ୍ତେ ଅନ୍ୟତ୍ର ରହଣିର ସୁବିଧା କରାଯିବା ନେଇ ଆୟୋଜକଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

୨୦୨୬ ଏସୀୟ କ୍ରୀଡ଼ା ସଂସ୍କରଣ ସେପ୍ଟେମ୍ବର ମାସ ୧୯ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖରେ ଶେଷ ହେବ । କୋଷ୍ଟା ସେରେନା ନାମକ ଏକ ଜାହାଜକୁ କ୍ରୀଡ଼ାଗ୍ରାମରେ ପରିଣତ କରାଯାଇଛି । ଏଥିରେ ୪୬୦୦ କ୍ରୀଡ଼ାବିତ ଓ ଷ୍ଟାଫ୍ ରହିବାର ବ୍ୟବସ୍ଥା କରାଯାଇଛି । ଏସୀୟ କ୍ରୀଡ଼ାରେ ୪୨ଟି କ୍ରୀଡ଼ାରେ ୪୫ଟି ଦେଶରୁ ୨୪୦୦ କ୍ରୀଡ଼ାବିତ ଅଂଶ ଗ୍ରହଣ କରିବେ । ସ୍ଥାୟୀ ପରିବର୍ତ୍ତେ ଜାହାଜରେ ଅସ୍ଥାୟୀ ବିଳାସପୂର୍ଣ୍ଣ କ୍ରୀଡ଼ାଗ୍ରାମ ନିର୍ମାଣ ହୋଇଛି । ସେଠାରେ କ୍ରୀଡ଼ାବିତଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଇଛି ।

୧୯୫୧ ମସିହା ଠାରୁ ଏ ପର୍ଯ୍ୟନ୍ତ ଭାରତ ଏସୀୟ କ୍ରୀଡ଼ାରେ ମୋଟ୍ ୭୭୯ଟି ପଦକ ଜିତିବାରେ ସଫଳ ହୋଇଛି । ୨୦୨୩ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ମୋଟ୍ ୧୦୭ଟି ପଦକ ମିଳିଥିଲା । ଯେଉଁଥିରେ ୨୮ଟି ସ୍ୱର୍ଣ୍ଣ ସାମିଲ ରହିଥିଲା । ଯାହା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

ଜାପାନ ଏହାକୁ ମିଶାଇ ତୃତୀୟ ଥର ଏସୀୟ କ୍ରୀଡ଼ା ଆୟୋଜନ କରୁଛି । ପୂର୍ବରୁ ୧୯୫୮ ଓ ୧୯୯୪ରେ ଆୟୋଜନ କରିଥିଲା । ଏଥର ମିକ୍ସଡ୍ ମାର୍ଶଲ ଆର୍ଟ (ଏମଏମଏ) ପଦାର୍ପଣ କରିବ । ଏଥିରେ ମୋଟ୍ ୬ଟି ପଦକ ଇଭେଣ୍ଟ ରଖାଯାଇଛି ।