ଭୁବନେଶ୍ୱର, ୨୮।୫: ବାଲିଅନ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ସଫଳତା । ଏହି ମାମଲାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍‌ । ଗିରଫ ଅଭିଯୁକ୍ତ ଜଣକ ହେଲେ ଟଙ୍କପାଣି ରୋଡ୍ ଅଞ୍ଚଳର ଅଶୋକ ଜେନା ଓରଫ୍ 'ଗେଡ଼ା' । ଏହି ଗିରଫଦାରୀ ସହିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ପଟିଆର ଏକ ହୋଟେଲରୁ ଧରାପଡ଼ିଲା 'ଗେଡ଼ା':

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ଘଟାଇବା ପରଠାରୁ ଅଶୋକ ଜେନା ଓରଫ୍ ଗେଡ଼ା ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା । ତେବେ କ୍ରାଇମବ୍ରାଞ୍ଚ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ଚଢ଼ାଉ କରିଥିଲା । ସେହି ହୋଟେଲରେ ଲୁଚି ରହିଥିବା ଅବସ୍ଥାରେ ଅଭିଯୁକ୍ତ ଅଶୋକକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ପରେ ତାକୁ ଅଧିକ ପଚରାଉଚରା କରାଯାଉଛି ।

୧୧ ଜଣଙ୍କୁ ଧରିଥିଲା ପୁଲିସ, ୬ ଜଣଙ୍କୁ ବାନ୍ଧିଲାଣି କ୍ରାଇମବ୍ରାଞ୍ଚ:

ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦାୟିତ୍ୱ ନେବା ପୂର୍ବରୁ କମିଶନରେଟ୍ ପୁଲିସ ଏହି ଘଟଣାରେ ଦୁଇଟି ପର୍ଯ୍ୟାୟରେ ମୋଟ୍ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଘଟଣାର ଖୋଳତାଡ଼ ଜାରି ରଖି ଏହି ଅଭିଯୁକ୍ତ ଅଶୋକ ଜେନା ସମେତ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କୁ ଗିରଫ କରିସାରିଲାଣି । ଫଳରେ ଏହି ହତ୍ୟାକାଣ୍ଡ ମାମଲାରେ ସମୁଦାୟ ଗିରଫଦାରୀ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି ।

ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ:

ଏହି ମାମଲାରେ ଏବେ ମଧ୍ୟ ଅନେକ ଅଭିଯୁକ୍ତ ଫେରାର ଅଛନ୍ତି, ଯାହାଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚର ବିଭିନ୍ନ ଟିମ୍ ଲଗାତାର ଉଦ୍ୟମ ଜାରି ରଖିଛି । ତେବେ ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଏକ ବଡ଼ ଚେତାବନୀ ଦେଇ କହିଥିଲେ ଯେ, ଯଦି କୌଣସି ବ୍ୟକ୍ତି ଏହି ହତ୍ୟା ମାମଲାରେ ସଂପୃକ୍ତ ଥିବା ଫେରାର ଅଭିଯୁକ୍ତମାନଙ୍କୁ ଆଶ୍ରୟ ଦିଅନ୍ତି ବା ଲୁଚାଇବାରେ ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ ଭାବେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଅଶୋକ ଜେନାକୁ ପଚରାଉଚରା କରିବା ପରେ ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ଆହୁରି ପରଦା ହଟିପାରେ ଏବଂ ଘଟଣାରେ ସଂପୃକ୍ତ ଥିବା ଅନ୍ୟାନ୍ୟ ଫେରାର ଅଭିଯୁକ୍ତମାନଙ୍କ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିପାରେ । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ... Encounter News : ଅପରାଧୀର ଗୋଡ଼କୁ ଗୁଳି କରାଯିବା ଏନ୍‌କାଉଣ୍ଟର ନୁହେଁ.. 'ଏନ୍‌କାଉଣ୍ଟରରେ ଦୟାର ସ୍ଥାନ ନଥାଏ'