ଭୁବନେଶ୍ୱର, ୧୨/୧୧ : ମାସ ଶେଷ ହେଲେ ଦରମା ମିଳୁଛି । କାର୍‌, ବାଇକ୍‌ ଓ ସ୍କୁଟି ଦେବା ସହ ସେଥିରେ ସରକାର ତେଲ ମଧ୍ୟ ପକାଇ ଦେଉଛନ୍ତି । ଖାଇବା ଖର୍ଚ୍ଚଠାରୁ ଆରମ୍ଭ କରି ଫୋନ୍‌ ରିଚାର୍ଜ ବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ମାମଲାର ତଦନ୍ତ କଲେ ତା’ ପାଇଁ ବି ଟଙ୍କା ଦେଉଛନ୍ତି ସରକାର । ଏତେ ପରେ ବି ଲୋକଙ୍କୁ ଟଙ୍କା ମାଗି ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏତେ ସୁବିଧା ପରେ ବି ଲାଞ୍ଚ ନେଇ ଗତ ୧୬ ମାସ ମଧ୍ୟରେ ୨୨ ଜଣ ଲାଞ୍ଚୁଆ ପୁଲିସ୍‌ବାବୁ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।

ଏ ହେଉଛି ଭିଜିଲାନ୍ସ ବିଭାଗର ତଥ୍ୟ । ଏହାକୁ ଛାଡ଼ିଲେ ପୁଲିସ ବାବୁମାନେ କେତେ ଲାଞ୍ଚ ନିଅନ୍ତି ତାହା ସମସ୍ତେ ଜାଣନ୍ତି । ଉତ୍ତମ ସେବା ଯୋଗାଇ ଦେବାରେ ପୁଲିସ୍‌ ଯେମିତି କୌଣସି ସମସ୍ୟାରେ ନପଡୁ କିମ୍ବା ସାଧରଣ ଲୋକଙ୍କୁ ଜୁଲୁମ ନକରୁ ସେଥିପାଇଁ ନୂଆ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଦରମାକୁ ଛାଡ଼ିଲେ ପୁଲିସ୍‌ ଅଫିସ୍‌ରଙ୍କୁ ପ୍ରଚୁର ଟଙ୍କା ଦେବାକୁ ଏକାଧିକ ଯୋଜନା କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ରାଜ୍ୟର ଥିବା ୬୮୫ଟି ଥାନାକୁ ଗାଡ଼ି, ୨ଟି ଡ୍ରାଇଭର ଓ ତେଲ ଦେଉଛନ୍ତି । ଥାନା ଅଧିକାରୀଙ୍କୁ ଗାଡ଼ି ମିଳିବା ଥାନାର ଅନ୍ୟ ଅଫିସ୍‌ରମାନେ କାଳେ ମନ ଉଣା କରିବେ ସେଥିପାଇଁ ଥାନା, ଭିଜିଲାନ୍ସ, କ୍ରାଇମ୍‌ବ୍ରାଞ୍ଚର ଅଫିସ୍‌ରଙ୍କୁ ଦୁଇ ଚକିଆ ଗାଡ଼ି ଦେଇଛନ୍ତି । ପୁରୁଷଙ୍କୁ ୧୫୦ ସିସିର ବାଇକ୍‌ ଓ ମହିଳାଙ୍କୁ ସ୍କୁଟି ଦେଲେ । ତା’ଛଡ଼ା ପଞ୍ଜିକୃତ ବିଭିନ୍ନ ମାମଲାର ତଦନ୍ତ କରିବାକୁ ପୁଲିସ୍‌ ଯଦି ନିଜ ଅଞ୍ଚଳ ଛାଡ଼ି ଅନ୍ୟ ଆଡେ ଗଲେ ଏତଲାକାରୀକୁ ପୁଲିସ୍‌ ଟଙ୍କା ମାଗୁଥିଲେ । ସେଥିପାଇଁ ସରକାର ମାମଲାର ଗମ୍ଭୀରତାକୁ ଦେଖି ଟଙ୍କା ଦେବାକୁ ନିଷ୍ପତ୍ତି ନେଲେ । ଦରମାକୁ ଛାଡ଼ିଲେ ଏହି ଟଙ୍କା ଅଲଗା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ । ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୨୫ ହଜାର ଟଙ୍କା ମିଳୁଛି । ଗୋଟିଏ ବଳାତ୍କାର ମାମଲାରେ ପୁଲିସ୍‌ ରାଜ୍ୟ ବହାରକୁ ଗଲେ ୩୭ ହଜାର ଏବଂ ରାଜ୍ୟ ଭିତରେ ତଦନ୍ତ କଲେ ୧୮ ହଜାର ଟଙ୍କା ମିଳୁଛି । ଅପହରଣ ମାମଲାରେ ରାଜ୍ୟ ବାହାରକୁ ଗଲେ ୩୦ ହଜାର ଓ ରାଜ୍ୟ ଭିତରେ ରହିଲେ ୧୦ ହଜାର ଟଙ୍କା ତଦନ୍ତକାରୀ ଅଧିକାରୀ ପାଉଛନ୍ତି । ଅପମୃତ୍ୟୁ ମାମଲାରେ ୧୩ ହଜାର ଟଙ୍କା ମିଳୁଛି । ସାଇବର ମାମଲାରେ ଯଦି ପୁଲିସ୍‌ ଅପରାଧୀକୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବ ତା’ହେଲେ ତାଙ୍କୁ ୪୫ ହଜାର ଟଙ୍କା ମିଳୁଛି । ରାଜ୍ୟ ଭିତରେ ତଦନ୍ତ କଲେ ୨୫ ହଜାର ଟଙ୍କା ଦିଆଯାଉଛି । ଏନ୍‌ଡିପିଏସ୍‌ ମାମଲାରେ ତଦନ୍ତ ପାଇଁ ଯଦି ପୁଲିସ୍‌ ରାଜ୍ୟ ବାହାରକୁ ଯିବ ସେଥିପାଇଁ ୩୫ ହାଜର ଟଙ୍କା ଓ ରାଜ୍ୟ ଭିତରେ ତଦନ୍ତ ପାଇଁ ୧୫ ହଜାର ଟଙ୍କା ଦିଆଯାଉଛି । ଚୋରି, ଲୁଟ୍‌, ଡକାୟତି, ସିନ୍ଧିଚୋରି ଭଳି ଘଟଣାରେ ତଦନ୍ତକାରୀ ଅଧିକାରୀକୁ ପ୍ରତି ମାମଲା ପିଛା ୧୭ ହଜାର ଟଙ୍କା ଦିଆଯାଉଛି । ରାଜ୍ୟ ସରକାରଙ୍କର ଏହି ଘୋଷଣା ପରେ ରାଜ୍ୟର ବିଭିନ୍ନ ଥାନା ପୁଲିସ୍‌ ଏବେ ଅଭିଯୋଗ ପାଇବା ମାତ୍ରେ ତଦନ୍ତ କରି ଟଙ୍କା ପାଇବା ଆଶାରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରି ଦେଉଛି । ଦିନ କେଇଟା ପରେ ଏ ବାବଦ ଟଙ୍କା ମିଳି ଯାଉଛି ।

ପୂର୍ବରୁ ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କୁ ଏହା ମିଳୁ ନଥିଲା । ଅଧିକାଂଶ ସମୟରେ ଏତଲାକାରୀ ଓ ଅଭିଯୁକ୍ତଠାରୁ ପୁଲିସ୍‌ ଟଙ୍କା ମାଗୁଥିଲା । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ପ୍ରଥମ ପର୍ଯ୍ୟାୟରେ ତଦନ୍ତ ପାଇଁ ଓଡ଼ିଶା ପୁଲିସ୍‌ ୫୦ କୋଟି ପାଇ ସାରିଛି । ଗତ ମାସରେ କମିଶନରେଟ୍‌ ପୁଲିସ୍‌ ମଞ୍ଚେଶ୍ୱର ଥାନାର ଜଣେ ଏସ୍‌ଆଇ କେସ୍‌ ବାବଦରେ ୧ ଲକ୍ଷ ୯ ହଜାର ଟଙ୍କା ନେଇସାରିଛନ୍ତି । ତାଙ୍କ ଦରମାଠାରୁ ଏହା ଦୁଇ ଗୁଣା । ଏୟାରପୋର୍ଟର ଥାନାର ଜେଣ ଏସ୍‌ଆଇ ୯୫ ହଜାର, ଅନ୍ୟ ଜଣେ ୯୦ ହଜାର ଟଙ୍କା ନେଇଛନ୍ତି । ପ୍ରତି ମାସରେ ଭୁବନେଶ୍ୱର ଓ କଟକ ୟୁପିଡିର ଗୋଟିଏ ଗୋଟିଏ ଥାନା ୭ ରୁ ୧୦ ଲକ୍ଷ ଟଙ୍କା ନେଉଛନ୍ତି । ଅନ୍ୟ ଜିଲ୍ଲା ପୁଲିସ୍‌ର ଥାନା ୫ରୁ ୬ ଲକ୍ଷ ଟଙ୍କା ନେଉଛନ୍ତି । ଦରମାକୁ ଛାଡ଼ି ଏତେ ଟଙ୍କା ମିଳିବା ପରେ ବି ପୁଲିସ୍‌ ଏତଲାକାରୀଙ୍କୁ ଟଙ୍କା ମାଗିବା ବନ୍ଦ କରୁନାହିଁ । କିଏ ଏତଲାକାରୀଠାରୁ ତ ପୁଣି କିଏ ଅଭିଯୁକ୍ତଠାରୁ ଲାଞ୍ଚ ନେଇ ଧରାପଡୁଛନ୍ତି । ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ୨୨ ଜଣଙ୍କ ମଧ୍ୟରୁ ୭ ଜଣ ଏତଲାକାରୀ ଓ ଅଭିଯୁକ୍ତଠାରୁ ଟଙ୍କା ନେଇ ଧରାପଡ଼ି ଜେଲ୍‌ ଯାଇଛନ୍ତି ।