ନୂଆଦିଲ୍ଲୀ,୧୭/୦୨; ମାମଲା ମାତ୍ର ୨୨୫ ଟଙ୍କା । ହେଲେ ସମାଧାନ ହେବାକୁ ବର୍ଷେ କି ଦୁଇ ବର୍ଷ ନୁହେଁ ଲାଗିଗଲା ୩୩ ବର୍ଷ । ମାମଲାର ଶୁଣାଣିରେ ୨ ଅଭିଯୁକ୍ତ ଆଖି ବି ବୁଜି ସାରିଛନ୍ତି । ଘଟଣାଟି ବିହାରର । ମୁଜାଫରପୁରରେ ଜମି ବିବାଦ ସମୟରେ ୨୨୫ ଟଙ୍କା ହଡ଼ପ ମାମଲାରେ ୩୩ ବର୍ଷ ପରେ ରାୟ ପ୍ରକାଶ ପାଇଛି । ୧୯୯୨ ମସିହାରେ ଦାୟର ହୋଇଥିବା ଏହି ମାମଲାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଅଭିଯୁକ୍ତ କରାଯାଇଥିଲା । ଦୀର୍ଘ ଆଇନଗତ ପ୍ରକ୍ରିୟା ସମୟରେ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇ ସାରିଛି । ପ୍ରମାଣ ଅଭାବରୁ ବାକି ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।
୨୨୫ ଟଙ୍କାର ମାମଲା-ମୁଜାଫରପୁରରେ, ପରସ୍ପର ବିବାଦରେ ଆକ୍ରମଣ ଏବଂ ୨୨୫ ଟଙ୍କା ଲୁଟ୍ ମାମଲା ୩୩ ବର୍ଷ ଧରି କୋର୍ଟରେ ବିଚାରାଧୀନ ଥିଲା । ଏହି ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ଦୀର୍ଘ ଶୁଣାଣି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାକି ୩ ଜଣଙ୍କୁ ସୋମବାର ଏସିଜେଏମ-୧ ପଶ୍ଚିମ ପଙ୍କଜ କୁମାର ତିୱାରୀଙ୍କ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । ଏହି ମାମଲାକୁ ଏହି କୋର୍ଟରେ ସବୁଠାରୁ ପୁରୁଣା ବିଚାରାଧୀନ ମାମଲା ବୋଲି କୁହାଯାଉଛି । କୁଧନି ଥାନା ଅଞ୍ଚଳର ଖାରୁଣା ଜୟରାମ ଗ୍ରାମର ବାସିନ୍ଦା ନବଲ କିଶୋର ଚୌଧୁରୀ ୨୨ ଡିସେମ୍ବର ୧୯୯୨ରେ ଏକ ଅଭିଯୋଗ ଦାୟର କରିଥିଲେ ।
୩୩ ବର୍ଷ ପରେ ସମାଧାନ- ମୁଜାଫରପୁର କୋର୍ଟ ପ୍ରମାଣ ଅଭାବରୁ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । ବିଚାର ସମୟରେ, ଅଭିଯୋଗ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ । ୩ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇ କେବଳ ଅଭିଯୁକ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପ୍ରଭାବିତ କରିନଥିଲା ବରଂ ଛୋଟ ଛୋଟ ବିବାଦର ସମାଧାନରେ ବିଳମ୍ବ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।
ଏହା ବି ପଢନ୍ତୁ...ଅଙ୍ଗଦାନ କରନ୍ତୁ, ଜୀବନ ଉପହାର ଦିଅନ୍ତୁ; ଜୀବନ କଣ ଜାଣିବା ପୂର୍ବରୁ ୫ ଜୀବନ ବଞ୍ଚାଇଲା ୧୦ ମାସରେ ଝିଅ
ଜମିକୁ ନେଇ ଥିଲା ବିବାଦ- ଏହି ମାମଲାଟି ୧୯୯୨ ମସିହା ଡିସେମ୍ବର ୨୦ ରୁ ଆରମ୍ଭ ହୋଇଛି । କୁଧନି ଥାନା ଅଞ୍ଚଳର ଖାରୁଣା ଜୟରାମ ଗ୍ରାମର ବାସିନ୍ଦା ନବଲ କିଶୋର ଚୌଧୁରୀ ସତ୍ୟାନନ୍ଦ ଚୌଧୁରୀ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଅଭିଯୋଗ ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଜମି ବିବାଦକୁ ନେଇ ଅଭିଯୁକ୍ତମାନେ ତାଙ୍କୁ ଘେରି ଯାଇଥିଲେ, ଆକ୍ରମଣ କରିଥିଲେ ଏବଂ ତାଙ୍କ ପକେଟରୁ ୨୨୫ ଟଙ୍କା ଛଡ଼ାଇ ନେଇଥିଲେ । ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ସାଇକେଲକୁ ବଳପୂର୍ବକ ଛାଡାଇ ନେଇ କିଛି ଦିନ ରଖିଥିଲେ ।
ଶୁଣାଣି ସମୟରେ ଆଖି ବୁଜିଥିଲେ ଦୁଇ ଅଭିଯୁକ୍ତ- ୨୨୫ ଟଙ୍କା ହଡ଼ପରୁ ଆରମ୍ଭ ହୋଇଥିବା ଏହି ଲମ୍ବା ଆଇନଗତ ଲଢେଇ ଦୁଇ ପରିବାରକୁ ଦଶନ୍ଧି ଧରି କୋର୍ଟକୁ ଦୌଡ଼ିବାକୁ ବାଧ୍ୟ କରିଥିଲା । ୫ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ସତ୍ୟଦେବ ଚୌଧୁରୀ ଏବଂ ହରିଶଙ୍କର ଚୌଧୁରୀଙ୍କ ମୃତ୍ୟୁ ମାମଲାର ଶୁଣାଣି ସମୟରେ ହୋଇଥିଲା । ମାମଲାର ଶୁଣାଣି ସମୟରେ ଯେଉଁମାନେ ଯୁବ କିମ୍ବା ମଧ୍ୟବୟସ୍କ ଥିଲେ, ରାୟ ଘୋଷଣା ହେବା ବେଳକୁ ସେମାନେ ବୃଦ୍ଧ ହୋଇଯାଇଥିଲେ । ଶେଷରେ, ୩ ଦଶନ୍ଧି ପରେ, ମାତ୍ର ୨୨୫ ଟଙ୍କାର ଛୋଟିଆ ଆର୍ଥିକ କଳିର ସମାଧାନ ହୋଇଛି । କୋର୍ଟରେ ଚକ୍କର କାଟିବାରୁ ଏକ ପରିବାରକୁ ମୁକ୍ତି ମିଳିଛି ।