ବାରିଷ୍ଟର ଗୋବିନ୍ଦ ଦାସ (୧୯୨୯-୨୦୦୮) ତାଙ୍କ ଘରୋଇ ଶିକ୍ଷକ ଶ୍ରୀକୃଷ୍ଣ ମହାନ୍ତିଙ୍କ ସଂପର୍କରେ ଯାହା କହିଛନ୍ତି ତାହା ଉଲ୍ଲେଖଯୋଗ୍ୟ । ଶ୍ରୀଯୁକ୍ତ ମହାନ୍ତି ଅନ୍ୟ କୌଣସି ଏକ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ଗୋବିନ୍ଦ ଦାସଙ୍କୁ ଘରୋଇ ଭାବେ ଶିକ୍ଷାଦାନ କରିବା ସମୟରେ କହୁଥିଲେ ‘ଫାଷ୍ଟ ଡିଭିଜନ ତ ପାଇବୁ । କିନ୍ତୁ ମଣିଷ ହେବାପାଇଁ ସେସବୁର କିଛି ମୂଲ୍ୟ ନାହିଁ । ଏ ଆକାଶ, ଏ ତାରାମାନଙ୍କୁ ଚିହ୍ନ, ଅନୁଭବ କର, ତାଙ୍କୁ ବନ୍ଧୁ କର । ତାହା ହେଲେ ଭଲ ମଣିଷ ହେବୁ । ପ୍ରଧାନ ଶିକ୍ଷକ ଏମିତି ପରାମର୍ଶ ଦେବା ସହ ତାଙ୍କୁ ସନ୍ଧ୍ୟାବେଳେ ଛାତ ଉପରକୁ ନେଇ ଆକାଶ ଓ ତାରାମାନଙ୍କୁ ଦେଖାଉଥିଲେ । ସଂଯୋଗବଶତଃ, ଗୋବିନ୍ଦ ଦାସ ଯେଉଁ ଉପନ୍ୟାସ ପାଇଁ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି, ତାର ଶୀର୍ଷକ ହେଉଛି ‘ଅମାବାସ୍ୟାର ଚନ୍ଦ୍ର’ । ପ୍ରଧାନ ଶିକ୍ଷକଙ୍କ ଶିକ୍ଷାଦାନ ପାରମ୍ପରିକ ପଦ୍ଧତି ଠାରୁ ଭିନ୍ନ । କିନ୍ତୁ ଏହା ମଣିଷ ଗଢ଼ିବା ପାଇଁ ଉପାଦେୟ । ଜଣେ କେବଳ ଜଳ ଓ ସ୍ଥଳ ମଧ୍ୟରେ ନିଜ ଦୃଷ୍ଟିଭଙ୍ଗୀକୁ ସୀମିତ ନରଖି ଆକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଦରକାର । ଏହା ଜଣକ ଧୀଶକ୍ତିକୁ ଉଚ୍ଚ ସୋପାନରେ ଉପନୀତ କରେ । ପ୍ରସଙ୍ଗକ୍ରମେ କାନାଡ଼ାର ପ୍ରସିଦ୍ଧ ଗାୟିକା ଓ ଗୀତି କବିତା ଲେଖିକା କେ.ଡି. ଲାଙ୍ଗ (ଜନ୍ମ ୧୯୬୧) ଙ୍କ ବହୁଳ ଭାବେ ପ୍ରଚଳିତ ଉଦ୍ଧୃତିଟି ହେଉଛି- ମୋ ପାଇଁ ଆକାଶ ହେଉଛି ଏକ ଅନ୍ତହୀନ ଚଳଚ୍ଚିତ୍ର । ସେଠାରେ ଯାହା ଦେଖିବାକୁ ମିଳୁଛି, ଯେତେ ଦେଖିଲେ ମଧ୍ୟ ମୋର ଆଗ୍ରହ ହ୍ରାସ ପାଏନାହିଁ । ପ୍ରତି କ୍ଷଣ ଏହା ନୂତନ ରୂପ ନେଉଥାଏ । ତାର ବିସ୍ତୃତ ପରିସରରେ ଗ୍ରହ ନକ୍ଷତ୍ର ଓ ଅନ୍ୟ ଖଗୋଳୀୟ ବସ୍ତୁମାନ ଯେମିତି ଅବିରତ ଆକର୍ଷଣୀୟ ଆଚରଣ ଓ ଛଟା ପ୍ରଦର୍ଶନ କରିଥାନ୍ତି, ତାହା ମନୋମୁଗ୍‌ଧକର । 

ଆକାଶ ଦିଏ ସନ୍ତୋଷ ଓ ଶାନ୍ତି, ସହଜଲବ୍‌ଧ ପନ୍ଥାରେ । ଆକାଶ ପ୍ରତି ଆକର୍ଷଣ ମଣିଷର ଏକ ସହଜାତ ପ୍ରବୃତ୍ତି । ଏହାର ସୁଯୋଗ ନେଇ ମାଆ ତାର ଶିଶୁକୁ କୋଳରେ ଶୁଆଇ ଗୀତ ଶୁଣାଇଥାଏ- ଆ ଜହ୍ନମାମୁ ସରଗ ଶଶୀ, ମୋ କାହ୍ନୁ କୋଳରେ ପଡ଼ ତୁ ଖସି । ପାଶ୍ଚତ୍ୟ ଜଗତ ପ୍ରତି ଦୃଷ୍ଟିଦେଲେ ଆମେ ଏତାଦୃଶ ଯେଉଁ ମିତ୍ରାକ୍ଷର କବିତାଟିଏ ଦେଖିବାକୁ ପାଉ, ତାହା ହେବ ‘ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର...’ । ଲଣ୍ଡନରେ ଜନ୍ମିତ ଜେନ ଟେଲର (୧୭୮୩-୧୮୨୪) ଏହି ଜନପ୍ରିୟ ମିତ୍ରାକ୍ଷର କବିତାର ରଚୟିତା । ଏହାର ଅମାପ ପ୍ରଚଳନ ପଛରେ ରହିଛି ଧ୍ୱନି ମେଳ ପାଇଁ ଛନ୍ଦ ପକାଇବାରେ ନୈପୁଣ୍ୟ । ଏହାର ଶୀର୍ଷକ ଥିଲା- ଦା’ ଷ୍ଟାର । ଗୋଟିଏ ଛୋଟ କନ୍ୟା ତାରକାଖଚିତ ଆକାଶକୁ ଦେଖିବାବେଳେ ତାର ଭାବନା ଏଥିରେ ପ୍ରକଟିତ ହୋଇଛି । କ୍ଷେତ୍ରଗୁଡ଼ିକୁ ସେ ହୀରା ସହ ତୁଳନା କରିଛି । ଭୂପୃଷ୍ଠକୁ ଆସୁଥିବା ଏହାର ମିଞ୍ଜି ମିଞ୍ଜ ଆଲୋକ ତା’ ଘରର ପରଦା ଦେଇ ଆସିବା ବିଷୟ ତାକୁ ଆନନ୍ଦ ଦେଇଛି । ବିଶେଷ ଭାବେ ଚାରିଆଡ଼େ ଅନ୍ଧକାର ଘୋଟି ରହିଥିବାବେଳେ ତାହାର କ୍ଷୀଣ ଆଲୋକ ପଥଚାରୀଙ୍କ ପାଇଁ ଖୁବ୍‌ ଉପାଦେୟ ସାବ୍ୟସ୍ତ ହୋଇଥାଏ । ଏହି ଦୃଶ୍ୟ ଝିଅଟିକୁ ବିହ୍ୱଳ କରିଛି । ଅବଶ୍ୟ ଏହା ହେଉଛି ରାତ୍ରିକାଳୀନ ବିଷୟ । ଅଗଣିତ ନକ୍ଷତ୍ର ଆମେ ସେତେବେଳେ ଦେଖିଥାଉ । କିନ୍ତୁ ଦିନବେଳେ ସେମାନେ ଆକାଶରୁ ଅଦୃଶ୍ୟ ହୋଇଯାନ୍ତି । ଝିଅଟି ପାଇଁ ରାତିର ନକ୍ଷତ୍ର ଉଲ୍ଲସିତ କରିଥିବାବେଳେ କିଛି ବ୍ୟକ୍ତି ଏକଦା ଅତ୍ୟଧିକ ଆଗ୍ରହୀ ଥିଲେ ଦିନରେ ତାରା ଦେଖିବାକୁ । 

ଏହି ତାଲିକାରେ ଥିଲେ କେତେ ଜଣ ବୈଜ୍ଞାନିକ । ଦିବସରେ ନକ୍ଷତ୍ର ଦର୍ଶନ ଅସମ୍ଭବ ମନେ ହେଉଥିବା ସତ୍ତେ୍ୱ ଏହି ଘଟଣାକୁ ଖୋଜି ବାହାର କରିବାକୁ ସେମାନେ ଖୁବ୍‌ ଆତୁର ହୋଇଥିଲେ । ଏହାର ପୃଷ୍ଠଭୂମି ଜାଣିବା ସକାଶେ ଆମକୁ ଆଇନଷ୍ଟାଇନଙ୍କ ଏକ ତତ୍ତ୍ୱ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ୧୯୧୫ରେ ସେ ‘ଜେନେରାଲ ଥିଓରି ଅଫ୍‌ ରିଲେଟିଭିଟି’ କାଗଜ କଲମ ଧରି ଗାଣିତିକ ଉପାୟରେ ନିଷ୍ପନ୍ନ କଲେ । ଏହା ବୁଝିବା ଅନେକ ପ୍ରବୀଣ ବିଜ୍ଞାନୀଙ୍କ ପାଇଁ ମଧ୍ୟ ଦୁରୂହ ହୋଇଥିଲା । ବାସ୍ତବିକ ଏହି ତତ୍ତ୍ୱଟି ସହଜରେ ଗ୍ରହଣ କରିବାକୁ ବିଜ୍ଞ ବ୍ୟକ୍ତିମାନେ ପ୍ରସ୍ତୁତ ନଥିଲେ । ସମସ୍ତେ ପରୀକ୍ଷାମୂଳକ ପ୍ରମାଣ ଲୋଡୁଥିଲେ । ଅବଶ୍ୟ ଏହାର ଅନିବାର୍ଯ୍ୟତା ସମ୍ବନ୍ଧରେ ଆଇନଷ୍ଟାଇନ ମଧ୍ୟ ସଚେତନ ଥିଲେ । ୧୯୧୩ ମସିହାରେ ଯୁକ୍ତରାଷ୍ଟ୍ରର ସର୍ବବୃହତ୍‌ ପର୍ଯ୍ୟବେକ୍ଷଣାଗାର ମାଉଣ୍ଟ ୱିଲସନ ଅବଜରଭେଟରିର ନିର୍ଦ୍ଦେଶକ ଜର୍ଜ ହାଲେଙ୍କ ନିକଟକୁ ଗୋଟିଏ ପତ୍ର ଆଇନଷ୍ଟାଇନ ଲେଖିଥିଲେ । ତାର ବିଷୟବସ୍ତୁ ଥିଲା, ସୂର୍ଯ୍ୟଙ୍କ ନିକଟରେ ଥିବା ତାରାକୁ ଦିନବେଳେ କେମିତି ଦେଖିହେବ । ଏହା ସମସ୍ୟାମୂଳକ ଏଥିପାଇଁ ଯେ, ସୂର୍ଯ୍ୟଙ୍କ ଉଜ୍ୱଳ ଆଲୋକ ସମ୍ମୁଖରେ କୌଣସି ନକ୍ଷତ୍ର ଦେଖିହେବ ନାହିଁ । ତେବେ ହାଲେଙ୍କ ଉତ୍ତର ଥିଲା ଯେ, କେବଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ ବେଳେ ଏହା ସମ୍ଭବପର । 

ଅବଶ୍ୟ ପୃଥିବୀର ଅଳ୍ପ କେତୋଟି ଅଞ୍ଚଳରେ ଏହା ଘଟିଥାଏ । ତେବେ ଏହା ଏକ ବିରଳ ଘଟଣା । ଦୀର୍ଘ ଅପେକ୍ଷା ପରେ ୨୧ ଅଗଷ୍ଟ ୧୯୧୪ରେ ଜର୍ମାନୀର ଗୋଟିଏ ଜ୍ୟୋତିର୍ବିଜ୍ଞାନୀ ଗବେଷଣା ଦଳ ଯନ୍ତ୍ରପାତି ସହ ଖଗୋଳୀୟ ପ୍ରତୀକ୍ଷିତ ସୁଯୋଗ ପାଇ ରୁଷିଆର କ୍ରିମିଆକୁ ଏଥି ସକାଶେ ବାହାରିଲେ । କିନ୍ତୁ ସେତେବେଳକୁ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କ ଯନ୍ତ୍ରପାତି ଜବତ ହୋଇଗଲା ଓ ସେମାନଙ୍କୁ ବନ୍ଦୀ କରାଯାଇଥିଲା । ପୁଣି ଏମିତି ଦୁର୍ଲଭ ନୈସର୍ଗିକ ଘଟଣା ନିମିତ୍ତ ଉପଯୁକ୍ତ ଦିବସ ପାଇଁ ଅପେକ୍ଷା କରିବାକୁ ହେଲା ୨୯ ମଇ ୧୯୧୯ ତାରିଖରେ ଏହା ଦୃଷ୍ଟ ହେବାରୁ ଦୁଇଟି ଦଳ ସ୍ୱତନ୍ତ୍ର ଭାବେ ଅଭିଯାନରେ ଲିପ୍ତ ହେଲେ । କ୍ୟାମ୍ବ୍ରିଜ ଅବଜରଭେଟରିର ଆର୍ଥର ଏଡିଙ୍ଗଟନ୍‌ ଏବଂ ଗ୍ରୀନୱିଚର ରୟାଲ ଅବଜରଭେଟରିର ଫ୍ରାଙ୍କ ଡାଇସନ ଯଥାକ୍ରମେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟସ୍ଥ ପ୍ରିନସିପ ଏବଂ ବ୍ରାଜିଲର ସୋବରାଲରେ ପହଞ୍ଚି ପରୀକ୍ଷା କଲେ । ଉଭୟଙ୍କ ଫଳାଫଳରୁ ସ୍ପଷ୍ଟ ହେଲା ଯେ, ସୂର୍ଯ୍ୟ ନିକଟରେ ନକ୍ଷତ୍ରର ଆଲୋକ ଯିବାବେଳେ ଏହା ସରଳ ରେଖାରେ ନଯାଇ ବଙ୍କା ହୋଇ ଯିବ । ଉଭୟେ କେତେ ଡିଗ୍ରୀ କୋଣରେ ବକ୍ର ହେବ, ତାହା ନିରୂପଣ କଲେ ଏବଂ ଏକା ପ୍ରକାର ସଂଖ୍ୟାରେ ପହଞ୍ଚିଲେ । ଆଇନଷ୍ଟାଇନଙ୍କ ତତ୍ତ୍ୱ ପୂର୍ବରୁ ଯାହା ହିସାବ କରିଥିଲା, ଏହା ତାହାକୁ ସମର୍ଥନ କଲା । ନିଉଟନଙ୍କ ପମାଧ୍ୟାକର୍ଷଣ ତତ୍ତ୍ୱରେ ନିହିତ ଅଭାବନୀୟ ଗୁଣ ସ୍ପଷ୍ଟ ହେଲା । ମାଧ୍ୟାକର୍ଷଣ ଶକ୍ତି ବୁଝାଇବା ସକାଶେ ଆଇନଷ୍ଟାଇନଙ୍କ ପ୍ରଣୀତ ସ୍ପେସ୍‌ଟାଇମ ଧାରା ବୈଜ୍ଞାନିକମାନେ ଗ୍ରହଣ କଲେ । ସାରା ରାତିରେ ହେଉ ବା ଦିନରେ, ଏହା କେବଳ କବି, ଲେଖକ, ଭାବୁକମାନଙ୍କୁ ଅନୁପ୍ରାଣୀତ କରିନଥାଏ, ବୈଜ୍ଞାନିକମାନଙ୍କୁ ନୂତନ ଜ୍ଞାନ ପ୍ରଦାନ କରିବାରେ ସହାୟକ ହୋଇଥାଏ । ଏଥିପାଇଁ ତାରକାମାନଙ୍କୁ ଧାରଣ କରିଥିବା ଆକାଶ ଧନ୍ୟବାଦାର୍ହ । ଆମେ ମୁକ୍ତଭାବେ ଚିନ୍ତକ ରାଲଫୋ ବାଲିଡୋ ଇମର୍ସନ (୧୮୦୩-୧୮୮୨, ଜନ୍ମ ବୋଷ୍ଟନ)ଙ୍କ ପରି କହିପାରିବା ଯେ, ଆମ ଆଖି ପାଇଁ ଦୈନନ୍ଦିନ ଆହାର ହେଉଛି ଆକାଶ ।