ସମ୍ବଲପୁର, ୧୫।୩: ପର୍ଯ୍ୟଟକ ଜାଣିବେ ବିଶ୍ୱର ଅନନ୍ୟ କିର୍ତ୍ତୀ ହୀରାକୁଦ ଡ୍ୟାମ୍ ନିର୍ମାଣର ଗାଥା । ନିର୍ମାଣର ଉଦ୍ଦେଶ୍ୟ, ସମକାଳୀନ ବୈଷୟିକ ଜ୍ଞାନକୌଶଳ ଏବଂ ଲୋକଙ୍କ ବିସ୍ଥାପନର କାହାଣୀ ରହିବ । ବନ୍ଧ ବାନ୍ଧିବା ପୂର୍ବରୁ ବନ୍ୟା ବିତ୍ପାତ ଆଣୁଥିବା ମହାନଦୀର କରୁଣ କାହାଣୀ ବି ସ୍ଥାନ ପାଇବ । ଡ୍ୟାମ୍ର ପରିକଳ୍ପନା, ଡିପିଆର୍ ପ୍ରସ୍ତୁତିଠାରୁ ନେଇ ନିର୍ମାଣର ପ୍ରତିଟି ମୁହୂର୍ତ୍ତକୁ ସଜାଯିବ । ପୂର୍ବପୁରୁଷଙ୍କ ପୁରୁଣା ସ୍ମୃତିକୁ ମନେପକାଇବାକୁ ବୁର୍ଲା ହୀରାକୁଦ ଡ୍ୟାମ୍ କଡ଼ରେ ନିର୍ମାଣ ହେଉଛି ହୀରାକୁଦ ଡ୍ୟାମ୍ ସଂଗ୍ରହାଳୟ । ୨୪ କୋଟି ଟଙ୍କା ବ୍ୟୟରେ ଚାଲିଥିବା ନିର୍ମାଣ ଆସନ୍ତା ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପ୍ରାୟ ୨ ଏକର ଜାଗାରେ ନିର୍ମାଣ ହେବ । ଯେଉଁଥିରେ ହୀରାକୁଦ ବନ୍ଧ ବାନ୍ଧିବା ସମୟର ସମସ୍ତ ତଥ୍ୟକୁ ଉଲ୍ଲେଖ କରାଯିବ । ଇଞ୍ଜିନିୟରିଂ, ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନରେ ହୀରାକୁଦ ଡ୍ୟାମ୍ କିଭଳି ଏହା ଏକ ମାଇଲଖୁଣ୍ଟ ସେନେଇ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ।
ଏହା ବି ପଢ଼ନ୍ତୁ... ଆଗକୁ ଅସମ୍ଭାଳ ହେବ ତାତି, ସକାଳୁଆ ସ୍କୁଲ ପାଇଁ ଅଭିଭାବକଙ୍କ ଦାବି
ଫଳରେ ବାହାରୁ ଆସିଥିବା ପର୍ଯ୍ୟଟକ ଡ୍ୟାମ୍ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିପାରିବେ । ଏହାର ନିର୍ମାଣ କାମ ଆରମ୍ଭ ହୋଇସାରିଛି । ୨୪ କୋଟି ଟଙ୍କାରେ ହେବାକୁ ଥିବା ଏହି ସଂଗ୍ରହାଳୟ ବୁର୍ଲାର ଅଶୋକ ନିବାସ ନିକଟବର୍ତ୍ତୀ ଅଞ୍ଚଳରେ ରହିବ । ଫଳରେ ହୀରାକୁଦ ଡ୍ୟାମ୍କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହାର ଲାଭ ଉଠାଇପାରିବେ । ହୀରାକୁଦକୁ ନେଇ ଅନେକ ରୋଚକ କାହାଣୀ ରହିଛି । ଏହାର ନିର୍ମାଣଳ ଶୈଳୀ ବିଶ୍ୱର ଅନ୍ୟ ଡ୍ୟାମ୍ଠାରୁ ଭିନ୍ନ । ବିଶ୍ୱର ବୃହତ ମାଟିବନ୍ଧକୁ କେଉଁ ଜ୍ଞାନକୌଶଳରେ ସେହି ସମୟରେ ତିଆରି ହୋଇଥିଲା, ସେନେଇ ସବିଶେଷ ତଥ୍ୟ ରଖାଯିବ । ତଥ୍ୟ ଅନୁସାରେ, ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ମହାନଦୀର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାର ପ୍ରାୟ ୯୫୦୦ ବର୍ଗ କିମି ଅଞ୍ଚଳରେ ନେକ କ୍ଷୟ କ୍ଷତି ତଥା ଧନ ଜୀବନ ହାନୀ ହେଉଥିଲା । ଲୋକେ ଅନେକ ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଥିଲେ । ମହାନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ୧୯୪୭ ଯୋଜନା ବିବରଣୀ ଅନୁସାରେ ମହାନଦୀ ଉପରେ ହୀରାକୁଦ, ଟିକରପଡ଼ା ଓ ନରାଜ ଏହିପରି ତିନୋଟି ସ୍ଥାନରେ ଜଳଭଣ୍ଡାର ନିର୍ମାଣ ପାଇଁ ସ୍ୱୀକୃତି ମିଳିଥିଲା ।
ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦଫାରେ ହୀରାକୁଦ ବନ୍ଧର ପ୍ରାଥମିକ କାମ ଆରମ୍ଭ କରାଯାଇଥିଲା । ହୀରାକୁଦ ବନ୍ଧ ଯୋଜନା ପ୍ରଥମେ ମୁଖ୍ୟତଃ ତ୍ରିକୋଣ ଭୂମି ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ପାଇଁ କଳ୍ପନା କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଦେଶରେ ଖାଦ୍ୟଶସ୍ୟର ଅଭାବକୁ ଦେଖି ହୀରାକୁଦ ବନ୍ଧ ଯୋଜନା ରୂପରେଖରେ ପରିବର୍ତ୍ତନ କରାଯାଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁଙ୍କ ଦ୍ୱାରା ୧୯୪୮ ମସିହା ଏପ୍ରିଲ ୧୨ ତାରିଖ ଦିନ ଏହି ବନ୍ଧର ପ୍ରଥମ ସିମେଣ୍ଟ କଂକ୍ରିଟ ଢ଼ଳେଇ କରାଯିବା ସହ ବନ୍ଧର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୧୯୫୭ ମସିହା ଜାନୁୟାରୀ ୧୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁ ଏହି ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହାକୁ ସ୍ୱାଧୀନ ଭାରତର ଏକ ମନ୍ଦିର ବୋଲି ନେହରୁ ତାଙ୍କ ବକ୍ତବ୍ୟରେ ଅଭିହିତ କରିଥିଲେ । ହୀରାକୁଦ ବନ୍ଧ ସ୍ୱାଧୀନ ଭାରତର ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା । ଏହି ବନ୍ଧ ପୃଥିବୀର ସବୁଠାରୁ ଦୀର୍ଘ ତମ ମାଟି ବନ୍ଧ ଓ ଏହାର ଜଳଭଣ୍ଡାର ଏସିଆ ର ସବୁଠାରୁ ବଡ଼ କୃତ୍ରିମ ହ୍ରଦ ଭାବେ ପରିଚିତ ।