ଯୁକ୍ତ ୨ ଯାଏଁ ଲାଗୁ ହେବ ଶିକ୍ଷାଧିକାର ଆଇନ, ସ୍କୁଲରେ ଆର୍ଥିକ ଅନଗ୍ରସରଙ୍କୁ ୨୫% ସଂରକ୍ଷଣ

source:www.dnaindia.com
ନୂଆଦିଲ୍ଲୀ,୨୮ ।୧(ଏଜେନ୍ସି): କେନ୍ଦ୍ର ସରକାର ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ଆଉ ଏକ ତୋଫା ଦେଇପାରନ୍ତି । ସରକାରୀ ଚାକିରି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ସମୁଦାୟଙ୍କ ପାଇଁ ୧୦% ସଂରକ୍ଷଣର ବ୍ୟବସ୍ଥା କରିବା ପରେ ମୋଦି ସରକାର ଏବେ ସ୍କୁଲଗୁଡିକରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଶିକ୍ଷା ଅଧିକାର ଆଇନର ପରିସୀମାକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି । ଏବେ ଏହା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୬ରୁ ୧୪ ବର୍ଷର ପିଲାଙ୍କ ଉପରେ ଲାଗୁ ହେଉଛି । କିନ୍ତୁ ସରକାର ବର୍ତ୍ତମାନ ଏହି ଆଇନକୁ ଯୁକ୍ତ ଦୁଇ ଯାଏଁ ଲାଗୁ କରିବେ । ଏହାଯୋଗୁ ସମସ୍ତ ସ୍କୁଲରେ ଯୁକ୍ତ ଦୁଇ ଯାଏଁ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ୨୫% ସଂରକ୍ଷଣ ମିଳିପାରିବ ।
ଶିକ୍ଷା ଅଧିକାର ପାଇଁ କାର୍ଯ୍ୟ କରୁଥିବା ଦିଲ୍ଲୀର ଜଣେ ଓକିଲ ଅଶୋକ ଅଗ୍ରୱାଲଙ୍କ ଦ୍ୱାରା ଲିଖିତ ଏକ ପତ୍ରର ଜବାବରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କହିଛି କି ସରକାର ଏ ପ୍ରକାର ପ୍ରସ୍ତାବ ଉପରେ ଏବେ ଗମ୍ଭୀରତାର ସହ ବିଚାର କରୁଛନ୍ତି । ଏ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଗଲେ, ସେବିଷୟରେ ସାର୍ବଜନୀନ ଭାବେ ସୂଚନା ପ୍ରଦାନ କରାଯିବ ।
ସର୍ବ ଭାରତୀୟ ଅଭିଭାବକ ସଂଘ ତରଫରୁ ଅଗ୍ରୱାଲ ଲେଖିଥିବା ପତ୍ରରେ ଦର୍ଶାଯାଇଥିଲା କି ଏବେ ଇଂରାଜୀ ମାଧ୍ୟମ ସ୍କୁଲଗୁଡିକରେ ସଂରକ୍ଷଣ ଭିତ୍ତିରେ ନାମ ଲେଖାଉଥିବା ପିଲାମାନେ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ସେମାନଙ୍କୁ ନିର୍ଦ୍ଧାରିତ ଫିସ୍ ଦେବାକୁ କୁହାଯାଉଛି ନଚେତ ଅନ୍ୟତ୍ର ନାମ ଲେଖାଇବାକୁ ପରାମର୍ଶ ଦିଆଯାଉଛି । ଏହାଯୋଗୁ ସେମାନେ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି । ମାତ୍ର ପୂର୍ବରୁ ଇଂରାଜୀ ମାଧ୍ୟମରେ ପଢ଼ିବା ଏବଂ ପରେ ସରକାରୀ ସ୍କୁଲରେ ହିନ୍ଦୀ କିମ୍ବା ଅନ୍ୟ ମାଧ୍ୟମରେ ପଢ଼ିବା ଯୋଗୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍କୁଲରେ ଯୁକ୍ତ ଦୁଇ ଯାଏଁ ଅଧ୍ୟୟନ ଜାରି ରଖିବାକୁ ସୁଯୋଗ ପ୍ରଦାନ କରାଯାଉ ।
ସୂଚନାଯୋଗ୍ୟ ଯେ, ଶିକ୍ଷା ଅଧିକାର ଆଇନକୁ ଯୁକ୍ତ ଦୁଇ ଯାଏଁ ଲାଗୁ କରିବା ପ୍ରସ୍ତାବ ପ୍ରଥମେ ୨୦୧୨ ମସିହାରେ
ଶିକ୍ଷା ଉପରେ ଗଠିତ ଏକ କେନ୍ଦ୍ରୀୟ ପରାମର୍ଶଦାତା କମିଟି ତତ୍କାଳୀନ ଉପା ସରକାରଙ୍କୁ ଦେଇଥିଲେ । ସେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ ମୋଦି ସରକାର ସଂସଦରେ ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉନାହିଁ ବୋଲି ସୂଚନା ଦେଇଥିଲେ ।