ଭୁବନେଶ୍ୱର,୦୪/୦୧: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ୧୨-ବିରେ ଅନ୍ତର୍ଭୁକ୍ତ ପାଇଁ ପୂରା ପ୍ରସ୍ତୁତ । କେବଳ ୟୁଜିସି ଅନୁମତି ଓ ଅନୁଦାନକୁ ଅପେକ୍ଷା । ଏଥିପାଇଁ ଥିବା ବିଭିନ୍ନ ମାନଦଣ୍ଡ ପୂରଣ କରିବାରେ ବିଶ୍ୱବିଦ୍ୟାଳୟ ଅନେକ କିଛି ପଦକ୍ଷେପ ନେଇଥିବାରୁ ଅନୁଦାନ ପାଇବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି ।
ଗତବର୍ଷ ରଜତ ଜୟନ୍ତୀ ପାଳିଥିବା ବିଶ୍ୱବିଦ୍ୟାଳୟ ଶନିବାର ତା’ର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଛନ୍ତି, ୟୁଜିସି ୧୨-ବି ହାସଲ ପାଇଁ ଅନେକ କାମ କରିଛୁ । ୨୦ଟି ବିଭାଗରେ ନିୟମିତ ଶିକ୍ଷାଦାନ ଚାଲିଛି । ୧୫ ଶିକ୍ଷକ, ୪୦ ଅତିଥି ଅଧ୍ୟାପକ, ୨ ଚେୟାର ପ୍ରଫେସର, ୮ ପ୍ରାକ୍ଟିସ୍ ପ୍ରଫେସର୍ ରହିଛନ୍ତି ।
ସବୁ ପ୍ରକାରର ଭିତ୍ତିଭୂମି ରହିଛି । ସମଗ୍ର ଭାରତ ବର୍ଷରେ ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର । ସେହି ଦୃଷ୍ଟିକୋଣରୁ ୨୦୧୩ରୁ ୟୁଜିସି ୧୨-ବି ପାଇଁ ଆବେଦନ ହୋଇଥିଲା । ୧୨ ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ୍କୁ ଯିବା ସହ ବହୁତ କିଛି ବଦଳି ଯାଇଛି । ଏବେ ପୁଣି ପୁରୁଣା ଚିଠି ଓ ନିୟମକୁ ନେଇ ସ୍ୱତନ୍ତ୍ରତା ଆଧାରରେ ପୁନଃ ଆବେଦନ କରାଯିବ ।
ସୂଚନାଯୋଗ୍ୟ, ଗତ ୨୦୨୪ ଜୁଲାଇ ମାସ ୨୦ ତାରିଖରେ ୟୁଜିସିର ସଚିବ ପ୍ରଫେସର ମନୀଷ ଆର୍. ଯୋଷୀ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସି ଭୂୟସୀ ପ୍ରଶଂସା କରି ସକରାତ୍ମକ ମତ ଦେଇଥିଲେ । ୨୦୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପୂର୍ଣ୍ଣାଙ୍ଗ ହେବ । ସେଥିପାଇଁ ଭିଜନ୍-୨୦୩୦ ଅନୁସାରେ ପ୍ରକଳ୍ପ ନିର୍ମାଣ ଆଗେଇ ଚାଲିଛି । ଏବେ ଛାତ୍ରାବାସ, ଛାତ୍ରୀନିବାସ, ପ୍ରଶାସନିକ କୋଠା, ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ହୋଇଛି । ଏହାଛଡ଼ା ୪ ଗବେଷଣା ଚେୟାରରୁ ୨ଟି ଆଦିକବି ସାରଳା ଦାସ, ସନ୍ଥକବି ଭୀମଭୋଇ ଚେୟାରର କାମ ଆରମ୍ଭ ହୋଇଛି । ସାରଳା ଚେୟାରରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଭୀମଭୋଇ ଚେୟାରରେ ପ୍ରଫେସର ନିଶାମଣି କର ଚେୟାର ପ୍ରଫେସର ନିଯୁକ୍ତ ହୋଇଛନ୍ତି । ଆସନ୍ତା ୬ ମାସ ଭିତରେ ସାରଳା ଦାସ ଓ ଭୀମଭୋଇଙ୍କ ଉପରେ ୨ଟି କ୍ଲାସିକ୍ ପୁସ୍ତକ ପ୍ରକାଶ ପାଇବ ।