ନୂଆଦିଲ୍ଲୀ,୧୮/୦୫: ଦକ୍ଷିଣ ଆମେରିକାର ଦୁଇ ରାଜ୍ୟ  ମିସୌରୀ ଓ କେଣ୍ଟକୀରେ ଭୟଙ୍କର ଘୂର୍ଣ୍ଣିଝଡ ଦେଖିବାକୁ  ମିଳିଛି । ଏଥିରେ ୨୭ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ  ଆହତ ହୋଇଛନ୍ତି । କେଣ୍ଟକିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା  ବେଳେ ମିସୌରୀରେ ୯ ଜଣଙ୍କ ଜୀବନ ଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିିପାରେ ବୋଲି ଆଶଙ୍କା କରାଯାଉଛି। 

କେଣ୍ଟକୀ  ଗଭର୍ଣ୍ଣର ଆଣ୍ଡି ବେସିୟର ନିଜ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଘୂର୍ଣ୍ଣିଝଡ  ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଘରଦ୍ୱାର ଭାଙ୍ଗିବା ସହ  ଗଛ ଉପୁଡି ପଡିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । କାରଣ ବିଭିନ୍ନ  ସ୍ଥାନରୁ କ୍ଷୟକ୍ଷତି ନେଇ ରିପୋର୍ଟ ହସ୍ତଗତ ହେବାରେ ଲାଗିଛି ।  ସେହିଭଳି ମିସୌରୀ ମେୟର କାରା ସ୍ପେନସର ଗଣମାଧ୍ୟମକୁ  କହିଛନ୍ତି ଯେ ଘୂର୍ଣ୍ଣିଝଡ ଯୋଗୁ ବ୍ୟାପକ ଧନଜୀବନ ହାନି  ହୋଇଛି । ଅନେକ ଘର ଭାଙ୍ଗିଯାଇଛି । ବିଦ୍ୟୁତ ଖୁଣ୍ଟ  କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଲୋକ ଅନ୍ଧାରରେ ରହିଛନ୍ତି ।