ଜଳେଶ୍ୱର, ୨୪/୦୩ : ଗୋବରଘଟା ଟର୍ଣ୍ଣାଡ଼ୋ । ୨୮ ବର୍ଷ ତଳେ ଏହି ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ ରଚିଥିଲା ଆତଙ୍କ । ନେଇଥିଲା ୨୧ ଜଣ ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସମେତ ୨୬ ଜଣଙ୍କ ଜୀବନ । ଶତାଧିକ ଖଣ୍ଡିଆଖାବରା ହୋଇଥିଲେ । କେତେ ଯେ ପଶୁପକ୍ଷୀ ମରିଥିଲେ, ତା’ର ହିସାବ ନ ଥିଲା । ସମଗ୍ର ଗାଁ ଛିନ୍‌ଛତ୍ର ହୋଇଯାଇଥିଲା । ଦୀର୍ଘ ୨୮ ପରେ ସେହି ସ୍ମୃତି ଉଜାଗର ହୋଇଛି । କାରଣ ଆଜି ସେହି ମାର୍ଚ୍ଚ, ସେହି ୨୪ ତାରିଖ ଏବଂ ପୁଣି ସେହି ମଙ୍ଗଳବାର ।

୧୯୯୮ ମାର୍ଚ୍ଚ ୨୪ ମଙ୍ଗଳବାର ଅପରାହ୍ଣ ୨ଟା ୪୩ ମିନିଟ୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଗୋବରଘଟା ଗ୍ରାମ ଥିଲା ଚଳଚଞ୍ଚଳ । କର୍ମଜଞ୍ଜାଳ ମଣିଷମାନେ ବ୍ୟସ୍ତ ଥିଲେ । ଗ୍ରାମର ପଶ୍ଚିମ ଦିଗରେ ଥିବା ସୁବର୍ଣ୍ଣରେଖା ନଦୀର ନୀଳ ଆକାଶରେ ହଠାତ୍‌ କଳା ମେଘ ଢାଙ୍କି ହୋଇଗଲା । ଆକାଶ ଲାଲବର୍ଣ୍ଣ ହୋଇଯିବା ସହ କେହି କିଛି ବୁଝିବା ପୂର୍ବରୁ ହୁ ହୁ ହୋଇ ମାଡ଼ିଆସିଲା ଘୂର୍ଣ୍ଣିଝଡ଼ । ମାତ୍ର କେଇ ମିନିଟ୍‌ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୫୦୦ କିମି ଅତିକ୍ରମ କରି ଯାଇଥିଲା । ୨ ମିନିଟ୍‌ ମଧ୍ୟରେ ଏହି ଘୂର୍ଣ୍ଣିଝଡ଼ ଏମିତି ପ୍ରଳୟ ରଚିବ ଯାହା ଥିଲା ସମସ୍ତଙ୍କର କଳ୍ପନାରେ ବାହାରେ ।

ଗୋବରଘଟା ସାଧୁ ବିନୋଦିନୀ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକ ତଥା ସ୍ଥାନୀୟ ମାଧବପୁର ଗ୍ରାମର ଶ୍ରୀକାନ୍ତ ରାଉଳଙ୍କ ସହିତ ୨୧ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ମଧ୍ୟରେ ଥିବାବେଳେ ଟର୍ଣ୍ଣାଡୋର ଶିକାର ହୋଇଥିଲେ । ଗ୍ରାମର ଲୋକଙ୍କୁ ମିଶାଇ ୨୬ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଗୁରୁତର ହୋଇଥିଲେ । ସାଧୁ ବିନୋଦିନୀ ୟୁପି ସ୍କୁଲ ଓ ଯଦୁନାଥ ଉଚ୍ଚ ବିଦ୍ୟାଳୟ ମାଟିରେ ମିଶିଯାଇଥିଲା । ବିଦ୍ୟାଳୟର କଂକ୍ରିଟ୍‌ ଛାତ ବହୁ ଦୂରରେ ପଡ଼ିଥିବା ବେଳେ କାନ୍ଥ ତଳେ ଚାପି ହୋଇଯାଇଥିଲେ ଛାତ୍ରଛାତ୍ରୀ ।

ସୁବର୍ଣ୍ଣରେଖାରେ ବାଲି ବୋଝେଇ ହୋଇଥିବା ଏକ ଟ୍ରକ୍‌କୁ ୧୫ ଫୁଟ୍‌ ଉପରକୁ ଉଠାଇ ନେଇ କଚାଡ଼ି ଦେଇଥିଲା ଘୂର୍ଣ୍ଣିଝଡ଼ । ପୋଖରୀର ପଙ୍କ, ମାଛ ୩୦ ଫୁଟ୍‌ ଉଚ୍ଚ ଗଛ ଉପରେ ଲାଖି ରହିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟରେ ଥିବା ନଳକୂପ ପାଇପ୍‌ ସହିତ ଉପରକୁ ଉଠାଇ ନେଇ କେଉଁଠି ପକାଇଥିଲା ତାର ପତ୍ତା ମିଳି ନ ଥିଲା । ସେହି ଅଶୁଭ ମଙ୍ଗଳବାରର ଦୃଶ୍ୟ ଗଣମାଧ୍ୟମରେ ଛାଇଯାଇଥିଲା । ସାରା ବିଶ୍ୱ ଦୁଃଖ ପ୍ରକାଶ କରିବା ସହ ସୁଦୂର ଆମେରିକା, ଅଷ୍ଟ୍ରେଲିଆର ଲୋକେ ଘଟଣା ପରର ଦୃଶ୍ୟ ଦେଖିବାକୁ ଗୋବରଘଟା ଆସିଥିଲେ । ଗ୍ରାମର ପୁନରୁଦ୍ଧାର ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ । ୨୮ ବର୍ଷ ପରେ ୨୦୨୬ରେ ପୁଣି ସେହି ମାର୍ଚ୍ଚ ମାସ ୨୪ ତାରିଖ ମଙ୍ଗଳବାର ପଡ଼ିଛି । ସ୍ଥାନୀୟ ଲୋକେ ଆଜି ବି ଭୁଲି ନାହାନ୍ତି ସେହି ଦୃଶ୍ୟ । ପ୍ରାଣ ହରାଇଥିବା ପ୍ରିୟପରିଜନ, ପରିବାର ବର୍ଗ ସାଧୁ ବିନୋଦିନୀ ବିଦ୍ୟାଳୟରେ ଥିବା ସ୍ମୃତିପୀଠରେ ପାଳିବେ ସ୍ମୃତି ଦିବସ ।

ଏହି ଖବରଟିକୁ ପଢନ୍ତୁ- ସାଇବର ଥାନାରେ ବଢୁଛି ମାମଲା, ଅଦୃଶ୍ୟ ଜଗତରୁ ଠକଙ୍କୁ ଧରିବାକୁ ନାହାଁନ୍ତି ପର୍ଯ୍ୟାପ୍ତ ପୁଲିସ