ଭୁବନେଶ୍ୱର, ୨୪/୦୩ : ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ରାଜ୍ୟରେ ସର୍ବାଧିକ ଠକେଇ ଜନିତ ମାମଲା ରୁଜୁ ହେଉଛି । ୨୦୨୪ରେ ୨୩୦, ୨୦୨୫ରେ ୨୫୧ଟି ମାମଲାର ତଦନ୍ତଭାର ସମ୍ଭାଳିଥିଲା ଭୁବନେଶ୍ୱର ଥାନା । ସାଇବର ଠକଙ୍କ ଜାଲରେ ସବୁଠୁ ଅଧିକ ରାଜଧାନୀବାସୀ ଫସୁଛନ୍ତି । କିନ୍ତୁ ଅଦୃଶ୍ୟ ଜଗତରୁ ଠକଙ୍କୁ ଧରିବାକୁ ଥାନାରେ ପୁଲିସ କର୍ମଚାରୀଙ୍କ ଘୋର ଅଭାବ । ଏହି ଥାନାରେ ୧୨ଜଣ ଇନ୍ସପେକ୍ଟର ରହିବା କଥା । କିନ୍ତୁ ଅଛନ୍ତି ୪ଜଣ । ୫ଜଣ ଆସିଷ୍ଟାଣ୍ଡ ସବ୍ଇନ୍ସପେକ୍ଟର ପଦବି ମଞ୍ଜୁର ହୋଇଛି । ଜଣଙ୍କୁ ବି ପୋଷ୍ଟିଂ ମିଳିନି । ୨୪ କନଷ୍ଟେବଳ ପଦବି ଥିବାବେଳେ ୧୫ଜଣ କାର୍ଯ୍ୟରତ । କେବଳ ଭୁବନେଶ୍ୱର ନୁହେଁ, ପ୍ରାୟ ୩୪ଟି ସାଇବର ଥାନାରେ ସମଦଶା । କୋଉଠି ବି ପର୍ଯ୍ୟାପ୍ତ ପୁଲିସ ଅଧିକାରୀ ନାହାନ୍ତି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଦତ୍ତ ଉତ୍ତର ଅନୁସାରେ, ୨୦୨୩ ମସିହାରେ ସାରା ରାଜ୍ୟରେ ୨୩୪୮ଟି ସାଇବର ଅପରାଧଜନିତ ମାମଲା ରୁଜୁ ହୋଇଥିଲା । ୨୦୨୪ରେ ଏହି ସଂଖ୍ୟା ୨୫୦୧ରେ ପହଞ୍ଚିଥିଲା । ଗତବର୍ଷ ସାଇବର ଅପରାଧ ମାମଲା ୨୮୦୩କୁ ଛୁଇଁଛି । ଲଗାତାର ୩ ବର୍ଷ ଧରି ଅଧିକାଂଶ ଥାନାରେ ସାଇବର ମାମଲା ବଢ଼ି ଚାଲିଛି । ଭୁବନେଶ୍ୱର ତଳକୁ ରାଉରକେଲାରେ ଦ୍ୱିତୀୟ ସର୍ବାଧିକ ସାଇବର ଅପରାଧ ଘଟିଛି । ୨୦୨୩ରେ ୧୨୧ଟି, ୨୦୨୪ରେ ୨୨୭ଟି, ୨୦୨୫ରେ ୧୮୦ଟି ମାମଲା ରୁଜୁ ହୋଇଛି । ଏହାବାଦ୍ ମୟୂରଭଞ୍ଜ, ଭଦ୍ରକ, ଯାଜପୁରରେ ୩ ବର୍ଷ ଧରି ସାଇବର ଅପରାଧ ଉପରମୁହାଁ ହୋଇ ଚାଲିଛି । ପ୍ରତିବର୍ଷ ଗଞ୍ଜାମରେ ମାମଲା ସଂଖ୍ୟା ଶହେ ଟପୁଛି । ୩୪ଟି ସାଇବର ଥାନାରେ ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା ତୁଳନାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ । ଜଣେ ଡିଏସ୍ପି ପାହ୍ୟା ଅଧିକାରୀ ସାଇବର ଥାନାର ଦାୟିତ୍ୱ ମୁଣ୍ଡାଇବା କଥା । କିନ୍ତୁ ଏବେ ବି ୯ଟି ଥାନା ମୁଖିଆବିହୀନ ।
ଯାଜପୁର, ପୁରୀ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ନୂଆପଡ଼ାରେ ଥିବା ସାଇବର ଥାନାରେ ଡିଏସ୍ପିଙ୍କ ଚଉକି ଖାଲି ପଡି଼ଛି । ୧୨ଟି ଥାନାରେ ଜଣେ ବି ସବ୍ଇନ୍ସପେକ୍ଟର ନାହାନ୍ତି । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଟକ (ୟୁପିଡି), ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେଓଗଡ଼, ଢ଼େଙ୍କାନାଳ ସାଇବର ଥାନାରେ ଏସ୍ଆଇ ସଙ୍କଟ ପଡି଼ଛି । ୯ଟି ଥାନାରେ ଗୋଟିଏ ବି ଏଏସ୍ଆଇ ପଦବି ପୂରଣ ହୋଇପାରୁନି । ପ୍ରତି ଥାନା ପାଇଁ ଏସ୍ଆଇ (ଯୋଗାଯୋଗ) ଓ ଏଏସ୍ଆଇ (ଯୋଗାଯୋଗ) ପଦବି ମଞ୍ଜୁର କରାଯାଉଛି । ସିସିଟିଏନ୍ଏସ୍ ଓ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲର ତଥ୍ୟକୁ ତନାଘନା କରିବା ସହ ସାଇବର ହେଲ୍ପ ଡେସ୍କ ସମ୍ଭାଳିବା ଏମାନଙ୍କ ଦାୟିତ୍ୱ । କିନ୍ତୁ ବିଭିନ୍ନ ଥାନାରେ ଏସବୁ ଗୁରୁତ୍ୱପୂର୍ଣ୍ଣ ପଦବି ବି ଖାଲି ପଡି଼ଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ସୋନପୁର ଥାନାର ଏସ୍ଆଇ(ଯୋଗାଯୋଗ) ପଦବି ଶୂନ । ୨୬ଟି ଥାନା ଏମିତି ଅଛି, ଯେଉଁଠି ଜଣେ ବି ଏଏସ୍ଆଇ(ଯୋଗାଯୋଗ)ଙ୍କୁ ନିଯୁକ୍ତି ମିଳିନି । ଏମିତିରେ ସାଇବର ଠକଙ୍କ ଚାଲ୍କୁ ବୁଝି ସେମାନଙ୍କୁ କାବୁ କରିବା ସାରା ଦେଶର ପୁଲିସ ପାଇଁ କାଠିକର ପାଠ । ତଥାପି ରାଜ୍ୟର ସବୁ ସାଇବର ଥାନାରେ ପର୍ଯ୍ୟାପ୍ତ ଅଧିକାରୀ ନ ରହିବା ଯୋଗୁ ସାଇବର ଠକଙ୍କ ଉତ୍ପାତ ବଢ଼ିଚାଲିଛି ।
ଏହି ଖବରଟିକୁ ପଢନ୍ତୁ- ମାଟ୍ରିକ୍ ଛାତ୍ରୀଙ୍କ ମୃତଦେହ ଜବତ, ଦିଗପହଣ୍ଡି ପୁଲିସର ଛାନ୍ଭିନ୍