ରାଜନଗର, ୨୨/୧୨ : ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ବନ ବିଭାଗର ସୂଚନା ମୁତାବକ, ଡାଙ୍ଗମାଳ ମୁଖ୍ୟ ଗେଟ୍‌ ଦେଇ ୧୧୫୮ଜଣ ପର୍ଯ୍ୟଟକ ପ୍ରବେଶ କରି ବୁଲିବାର ମଜା ନେଇଥିଲେ । ସେହିପରି ଖୋଳାରୁ ୯୮ଟି ବୋଟ୍‌ରେ ୧୧୪୭ ଜଣ, ଚାନ୍ଦବାଲିରୁ ୧୨ଟି ବୋଟ୍‌ରେ ୧୮୧ ଜଣ ଓ ଗୁପ୍ତିରୁ ୨୭ଟି ବୋଟ୍‌ରେ ୩୭୮ ଜଣଙ୍କୁ ମିଶାଇ ମୋଟ ୨,୮୬୪ ଜଣ ପର୍ଯ୍ୟଟକ ଭିତରକନିକା ନଦୀରେ ବୁଲି ମଜା ନେଇଥିଲେ । 

ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ଜାରି ରହିବ ଶୀତ ଲହରି, ସାମାନ୍ୟ ବଢ଼ିପାରେ ରାତି ତାପମାତ୍ରା

ପର୍ଯ୍ୟଟକ ବୋଟ୍‌ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲ୍‌ଫି ପଏଣ୍ଟ୍‌ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ଯ୍ୟଟକ ଅଧିକ ସମୟ ଅତିବାହିତ କରିଥିଲେ । ସ୍କାଏୱାକ୍‌ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସାଉଣ୍ଟିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖି ପର୍ଯ୍ୟଟକ ଭାବବିହ୍ୱଳ ହୋଇ ପଡ଼ିଥିଲେ ।

ଆଜିର ରାଶିଫଳ ବି ପଢନ୍ତୁ- ନୂତନ ବ୍ୟବସାୟ ଆରମ୍ଭ ପାଇଁ ଜୁଟିବ ସୁଯୋଗ, ବଢିବ ଧନ ସମ୍ପତ୍ତି, ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶି...