୨୮ରେ ସରିବ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା, ଉଦ୍ଯାପନୀ ଉତ୍ସବକୁ ବ୍ୟାପକ କରିବାକୁ ଯୋଜନା

ଭୁବନେଶ୍ୱର,୨୪/୦୧: ଆସନ୍ତା ୨୮ ତାରିଖରେ ଓଡ଼ିଶାରେ ଚାଲିଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଶେଷ ହେବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ଆସନ୍ତା ଶନିବାର ଅପରାହ୍ଣ ୩ଟାରେ ଭୁବନେଶ୍ୱର ଶିଶୁ ଭବନ ଛକରେ ପହଞ୍ଚିବ। ପରେ ସେଠାରୁ ବହୁ କଂଗ୍ରେସ ନେତା ଓ କର୍ମୀ ପଦଯାତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନେଇ କଂଗ୍ରେସ ଭବନରେ ପହଞ୍ଚିବେ । ସନ୍ଧ୍ୟା ୫ଟାରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ପଦଯାତ୍ରୀଙ୍କୁ ସ୍ୱାଗତ କରାଯିବା ସହ ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେବ ।
ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନୀ ଉତ୍ସବକୁ ବ୍ୟାପକ କରିବାକୁ ଦଳର ଯୋଜନା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଦଳର ସମସ୍ତ ବରିଷ୍ଠ କଂଗ୍ରେସ ନେତା, ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି, ପିସିସି ସଭ୍ୟ, ବିଧାୟକ ପ୍ରାର୍ଥୀ, ସାମ୍ମୁଖ୍ୟ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତା ଯୋଗ ଦେବେ । ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନେ ସେମାନଙ୍କ ଜିଲ୍ଲାରେ ଥିବା ନେତାମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜଣାଇବେ । ଏହା ସହ ଅଧିକରୁ ଅଧିକ କର୍ମୀ କିଭଳି ଆସିବେ, ସେ ନେଇ ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଯଜେ୍ଞଶ୍ୱର ବାବୁ ସୂଚନା ଦେଇଛନ୍ତି ।