ଦ୍ୱିତୀୟ ଦିନିକିଆ: ରୋହିତଙ୍କ ଅର୍ଦ୍ଧଶତକ, ଭାରତ ୭ ୱିକେଟ୍ରେ ଜିତିଲା

ଅକଲାଣ୍ଡ, ୮ ।୨ (ଏଜେନ୍ସି): ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ବିଜୟୀ ହୋଇଛି । ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୧-୧ରେ ବରାବର କରିଛି । କୃନାଲ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତ ୧୮.୫ ଓଭରରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କୃନାଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଦିନିକିଆ ସିରିଜ୍ ପରାଜିତ ହେବା ପରେ ଘରୋଇ ଦଳ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇ ମନୋବଳ ଦୃଢ଼ କରିଥିଲା । ଆଜି ଟସ୍ ଜିତିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଟିମ୍ ସାଇଫର୍ଟ ଓ କଲିନ ମୁନରୋ ଇନିଂସ ଓପନ କରିଥିଲେ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ପୂର୍ବ ଦଳ ଅପରିବର୍ତ୍ତିତ ରହିଥିଲା ।
ଆରମ୍ଭରୁ ଭୁବନେଶ୍ୱର କୁମାର ଘାତକ ବୋଲିଂ କରି ୨.୩ ଓଭରରେ ସାଇଫର୍ଟଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ । ସେ ୧୨ ରନ୍ କରିଥିଲେ । ତାଙ୍କ ସ୍ଥାନ ନେଇ ଥିଲେ କେନ ୱିଲାମସନ୍ । ମୁନରୋ ଓ ୱିଲାମସନ ଯୋଡ଼ି ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲା । ମୁନ୍ରୋ ୧୨ ରନ୍ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ସମୟରେ ୱିଲାମସନ୍ ୨୦, ଡାରିଲ ମିଚେଲ ୧ ରନ୍ ଆଉଟ ହେବା ପରେ ଦଳର ବ୍ୟାଟିଂ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୁନରୋ, ୱିଲାମସନ୍ ଓ ମିଚେଲଙ୍କୁ ନିଜର ବୋଲିଂର ଶିକାର ବନାଇଥିଲେ କୃନାଲ ।
ମଧ୍ୟଭାଗରେ କଲିନ ଡି ଗ୍ରାଣ୍ଡହୋମ ଓ ରୋସ ଟେଲର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ । ଗ୍ରାଣ୍ଡହୋମ ମାତ୍ର ୨୮ଟି ବଲରୁ ୫୦ ରନ୍ ସଂଗ୍ରହ କରିଥିଲେ । ସେହିପରି ଟେଲର ୪୨ ରନ୍ କରିଥିଲେ । ଫଳରେ ଦଳ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଚେଲ ସାଣ୍ଟନର ୭, ସ୍କଟ୍ କୁଗେଲିନ (ଅପରାଜିତ ୨) ଓ ଟିମ୍ ସାଉଦି ୩ ରନ୍ ସଂଗ୍ରହ କରିଥିଲେ । କୃନାଲ ୩ଟି, ଖଲିଲ ଅହମ୍ମଦ ୨ଟି ଏବଂ ଭୁବନେଶ୍ୱର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।
ଜବାବରେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନ ଇନିଂସ ଓପନ କରିଥିଲେ । ଉଭୟ ଦ୍ରୁତ ବ୍ୟାଟିଂ କରି ଦଳକୁ ଏକ ଭଲ ଭାଗିଦାରୀ ପ୍ରଦାନ କରିଥିଲେ । ପ୍ରଥମ ୱିକେଟ୍ରେ ୭୯ ରନ୍ର ଭାଗିଦାରୀ ଗଢ଼ି ଉଠିଥିଲା । ରୋହିତ ଶର୍ମା ଦ୍ରୁତ ଅର୍ଦ୍ଧଶତକ ସହ ପ୍ରଥମେ ପାଭିଲିୟନ ଫେରି ଯାଇଥିଲେ । ସେ ୨୯ଟି ବଲ୍ରେ ୪ଟି ଛକା ଓ ୩ଟି ଚୌକା ସହାୟତାରେ ୫୦ ରନ୍ ସଂଗ୍ରହ କରିଥିଲେ । ରୋହିତଙ୍କ ସ୍ଥାନ ପୂରଣ କରିଥିଲେ ଯୁବ ତାରକା ରିଷବ ପନ୍ତ । ତେବେ ଧାୱନ ଅଧିକ ସମୟ ତିଷ୍ଠି ପାରି ନଥିଲେ । ସେ ୩୦ ରନ୍ କରି ଆଉଟ୍ ହୋଇଥିଲେ ।
ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ବିଜୟ ଶଙ୍କର । ହେଲେ ସେ ମାତ୍ର ୧୪ ରନ୍ କରି ଡାରିଲ ମିଚେଲଙ୍କ ଶିକାର ବନିଥିଲେ । ପରେ ପନ୍ତ (୪୦) ଓ ମହେନ୍ଦ୍ର ସିଂ ଧୋନି (୨୦) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ । ଭାରତ ଏହି ମ୍ୟାଚ୍ ବିଜୟୀ ହୋଇ ସିରିଜ୍ ୧-୧ରେ ବରାବର ସ୍ଥିତିକୁ ଆଣିଛି । ଅନ୍ତିମ ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବାର ସୁଯୋଗ ଦଳ ଭାଗରେ ରହିଛି ।