ଭୁବନେଶ୍ବର,୯।୧୨ :ଚାକିରି କରେଇବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ତିନି ଜଣଙ୍କୁ ବାନ୍ଧିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ  ପ୍ରଦ୍ୟୁମ୍ନ ପୋଲାଈ ସମେତ ବ୍ରହ୍ମପୁରର ଆଶିଷ ମହାପାତ୍ର ଓ ଜଗତସିଂହପୁରର ମିହିର ରାଉତଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ। ଟଙ୍କା ଗଣତି ମେସିନ, ଗୋଟିଏ ଲ୍ୟାପଟପ,  ପାଞ୍ଚଟି ମୋବାଇଲ ଫୋନ, ଦୁଇଟି ସ୍କୁଟି, ରାଜ୍ୟର ବିଭିନ୍ନ ଅଞ୍ଚଳର ୧୫ ଜଣ ଛାତ୍ରଛାତ୍ରୀଙ୍କ ଅସଲି ସାର୍ଟିଫିକେଟ, ଗୋଟିଏ କାର, ୩ ଟି ଟଙ୍କା ନେଣ ଦେଣର ଚୁକ୍ତି ପତ୍ର, ଗୋଟିଏ ନକଲି ନିଯୁକ୍ତି ପତ୍ରକୁ ପୁଲିସ ଜବତ କରିଛି। 

ନିମଖଣ୍ଡି ଥାନା ଅଞ୍ଚଳ ନିମଖଣ୍ଡିର ଆଶିଷ କୁମାର ପାତ୍ର ସରକାରୀ ଚାକିରୀ କରେଇବା ପାଇଁ ଫୋନରେ ବାରମ୍ବାର ଯୋଗାଯୋଗ କରି ୫ ଲକ୍ଷ ଟଙ୍କା ଠକି କରି ନେଇଥିବା ପୁରୁଣା ବ୍ରହ୍ମପୁର ଅଞ୍ଚଳର ଗିରୀଜା ନନ୍ଦନ ପଣ୍ଡିତ ଅଭିଯୋଗ କରିଥିଲେ । ଏନେଇ ଗତ ୭ ତାରିଖରେ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି।

ଗତ ୪ବର୍ଷ ହେଲା ନୀରିହ ଚାକିରୀ ଆଶାୟୀଙ୍କୁ ଏମାନେ ଏମିତି ଲକ୍ଷାଧିକ ଟଙ୍କା ଠକି ନେଉଥିବା ପୁଲିସ ତଦନ୍ତରୁ ଜଣା ପଡିଛି । ତଦନ୍ତ ପରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।  ପୂର୍ବରୁ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ  ପୁଲିସ ନଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।