ନୂଆଦିଲ୍ଲୀ,୩୧/୦୩:  ଇଟାଲିର ଉତ୍ତରରେ ପାର୍ମା ସହର ନିକଟରେ ଏକ ସଂଗ୍ରହାଳୟରୁ ମାତ୍ର ୩ ମିନିଟ୍‌ରେ କୋଟି କୋଟି ଟଙ୍କା ମୂଲ୍ୟର ୩ ଚିତ୍ରକଳା ଚୋରି ହୋଇଛି । ପୁଲିସ ସୋମବାର ଏହି ସୂଚନା ଦେଇଛି । ଗତ ୨୨-୨୩ ତାରିଖ ରାତିରେ ମାଗ୍ନାନି ରୋକା ଫାଉଣ୍ଡେସନ୍ ନାମକ ଏକ ଘରୋଇ ସଂଗ୍ରହାଳୟରେ ଚୋରି ହୋଇଥିଲା । ଚୋରି ହୋଇଥିବା ଚିତ୍ରକଳାରେ ଅଗଷ୍ଟ ରେନୁଆରଙ୍କ ‘ଫିଶ୍’, ପଲ୍ ସେଜାନଙ୍କ ‘ଷ୍ଟିଲ୍ ଲାଇଫ୍ ୱିଥ୍ ଚେରିଜ୍’ ଓ ହେନରୀ ମାତିସଙ୍କ ‘ଓଡାଲିସ୍କ ଅନ୍ ଦ ଟେରେସ’ ରହିଛି । ଏଗୁଡ଼ିକର ମୋଟ୍ ମୂଲ୍ୟ ପ୍ରାୟ ୧୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୯୦- ୯୫ କୋଟି ଟଙ୍କା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚୋର ୩ ମିନିଟ୍‌ରୁ କମ୍ ସମୟରେ ଚିତ୍ରକଳା ଚୋରି କରି ସଂଗ୍ରହାଳୟର ବଗିଚା ଦେଇ ପଳାଇଲେ ।

ଅଧିକ ପଢ଼ନ୍ତୁ :-  ଇରାନ ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ, ଟ୍ରମ୍ପଙ୍କୁ ସିକ୍ରେଟ୍ ମେସେଜ୍ ପଠାଇଲେ ସାଉଦି-ୟୁଏଇ-ବାହାରିନ

ଏହି ଫାଉଣ୍ଡେସନ୍ ୧୯୭୭ରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଐତିହାସିକ ଲୁଇ ମାଗ୍ନାନିଙ୍କ କଳା ସଂଗ୍ରହ ସ୍ଥାନ ପାଇଛି । ଡ୍ୟୁରର୍, ରୁବେନ୍ସ, ଭାନ୍ ଡାଇକ, ଗୋୟା ଓ ମୋନେଙ୍କ ଭଳି ବଡ଼ କଳାକାରଙ୍କ କୃତି ମଧ୍ୟ ରହିଛି । ଚୋରିରେ ଏକ ଗ୍ୟାଙ୍ଗ୍‌ର  ସମ୍ପୃକ୍ତି ରହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପ୍ୟାରିସର ଲୁବ୍‌ରେ ମ୍ୟୁଜିୟମ୍‌ରୁ ପ୍ରାୟ ୧୦୧ ନିୟୁତ ଡଲାରର ଗହଣା ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିଲା।