PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଭାରତରେ ମାତ୍ର ୩ କୋଟି କରଦାତା

source;zeenews.india.com

ନୂଆଦିଲ୍ଲୀ,୧୦ା୨(ଏଜେନ୍ସି): ଭାରତରେ ପ୍ରତି ୧୦୦ ଜଣରେ ୭ ଜଣ ଟିକସଦାତା ରହିଛନ୍ତି । ଆମେରିକାରେ ଏହି ସଂଖ୍ୟା ୬୦ ହୋଇଥିବା ବେଳେ ନରୱେ ଓ ସ୍ୱିଡେନ୍‌ରେ ୧୦୦ ଜଣରେ ୧୦୦ ଜଣ ହିଁ ଆୟକରଦାତା ରହିଛନ୍ତି । ଅନ୍ତରୀଣ ବଜେଟ୍‌ ଆଗତ ପରେ ଏବେ ଭାରତରେ ଆୟକରଦାତାଙ୍କ ସଂଖ୍ୟା ୩ କୋଟିକୁ ହ୍ରାସ ପାଇଛି । ଅନ୍ତରୀଣ ବଜେଟ୍‌ରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଘୋଷଣା କରିଥିଲେ ଯେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କଠାରୁ କୌଣସି ଟିକସ ଆଦାୟ କରାଯିବ ନାହିଁ । ପୂର୍ବରୁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ଥିଲା ବେଳେ ଏହି ଘୋଷଣା କରି ସରକାର ଏହି ସ୍ତରକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ଘୋଷଣା ଦ୍ୱାରା ଦେଶର ଆୟକରଦାତା ସଂଖ୍ୟା ଏକାଥରେ ୩ କୋଟି ଖସିଯାଇଛି । ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଖୁସି କରିବାକୁ ଯାଇ ସରକାର ଏହି ଘୋଷଣା କରିଥିଲେ । ଏହାର ଫାଇଦା ପାଖାପାଖି ୩ କୋଟି କରଦାତା ନେବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏମାନେ କୌଣସି ଟିକସ ପ୍ରଦାନ କରିବେ ନାହିଁ । ଭାରତରେ ଆୟକରଦାତା ସଂଖ୍ୟା ପ୍ରାୟ ୬.୩ କୋଟି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ନିକଟରେ ସୂଚନା ଦିଆଯାଇଥିଲା । କିନ୍ତୁ ଅନ୍ତରୀଣ ବଜେଟ୍‌ ପରେ ଏହି ସଂଖ୍ୟା ୩ କୋଟିକୁ ହ୍ରାସ ପାଇଛି ।
ସୂଚନାଥାଉ କି ଦେଶରେ ମୋଟ ପାଖାପାଖି ୧୧ ଲକ୍ଷ କୋଟି ଟଙ୍କା ଆୟକର ଆଦାୟ କରାଯାଉଛି । କମ୍ପାନଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଟିକସ ମଧ୍ୟରେ ଏଥିରେ ଅନ୍ତର୍ଭୁକ୍ତ । ମୋଟ ୧୧ ଲକ୍ଷ କୋଟି ଟଙ୍କାର ଟିକସ ମଧ୍ୟରୁ ଅଧାରୁ ଅଧିକ ବା ୬ ଲକ୍ଷ କୋଟି ଟଙ୍କା କର୍ପୋରେଟ୍‌ କ୍ଷେତ୍ର ପ୍ରଦାନ କରୁଛନ୍ତି । ତେଣୁ ବଳକା ୫ ଲକ୍ଷ କୋଟି ଟଙ୍କା ଦେଶର ୩ କୋଟି ଟିକସଦାତାଙ୍କଠାରୁ ଆଦାୟ କରାଯାଉଛି । ଏହାର ଅର୍ଥ ଜଣକ ଉପରେ ୧ ଲକ୍ଷ ଟଙ୍କାର ହାରାହାରି ଟିକସ ବୋଝ ରହିଛି । ଅନ୍ୟପକ୍ଷରେ ଦେଖିଲେ ଭାରତରେ ବ୍ୟକ୍ତି ପିଛା ହାରାହାରି ଆୟ ୧.୫ ଲକ୍ଷ ଟଙ୍କା ରହିଛି । ଭାରତରେ ପ୍ରତି ୧୦୦ ଜଣରେ ମାତ୍ର ୭ଜଣ ଆୟକରଦାତା ରହିଥିବା ବେଳେ ଆମେରିକାରେ ଏହି ସଂଖ୍ୟା ୬୦ ରହିଛି । ସ୍ୱିଡେନ୍‌ ଓ ନରୱେରେ ପ୍ରାୟ ସମସ୍ତେ ହେଉଛନ୍ତି ଟିକସଦାତା । ଏହାସତ୍ତେ୍ୱ ଆମ ଦେଶର ରାଜନେତାମାନେ ଟିକସଦାତା ସଂଖ୍ୟାକୁ ନେଇ କୌଣସି ପ୍ରକାର ଅସନ୍ତୋଷ ଜାହିର କରିନଥାନ୍ତି । କାରଣ ଟିକସ ଦେଉନଥିବା ଲୋକଙ୍କଠାରୁ ହିଁ ଭୋଟ୍‌ ମିଳିଥାଏ । ଅନ୍ୟପକ୍ଷରେ ପରୋକ୍ଷ ଟିକସ କଥା ଉଠିଲେ, ଭାରତରେ ସମସ୍ତେ ଟିକସ ପ୍ରଦାନ କରୁଛନ୍ତି । ପରୋକ୍ଷ ଟିକସ ବା ବିକ୍ରି କର ବାବଦରେ ସମସ୍ତେ ବୋଝ ମୁଣ୍ଡାଉଛନ୍ତି । ସାବୁନ ଖଣ୍ଡ ହେଉ ଅଥବା ରେସ୍ତୋରାଁରେ ଇଡ୍‌ଲି ହେଉ, ଉପଭୋକ୍ତାମାନେ ପରୋକ୍ଷ ଟିକସ ଜାଲକୁ ଆସୁଛନ୍ତି । ଗରିବ ହେଉ ବା ଧନୀ ସମସ୍ତେ ଏହି ଟିକସ ବୋଝ ସହିବାକୁ ବାଧ୍ୟ । ଏଭଳି ଟିକସକୁ ଆଦାୟ କରିବା ମଧ୍ୟ ବେଶ୍‌ ସହଜ । ଭାରତରେ ମାତ୍ର ୧.୫ ଲକ୍ଷ ଲୋକଙ୍କ ଆୟ ୧ କୋଟି ଟଙ୍କାରୁ ଅଧିକ ବୋଲି ସେମାନଙ୍କ ରିଟର୍ଣ୍ଣ ଫାଇଲିଂରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବେତନଭୋଗୀ ।
ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ଦେଶର ବଡ଼ ବଡ଼ କୋଟିପତି କେଉଁଠି ଲୁଚିଛନ୍ତି । ସଂସଦର ୫୪୩ ସଦସ୍ୟଙ୍କ ମଧ୍ୟରୁ ୪୪୯ ଜଣ ନିଜକୁ କୋଟିପତି ବୋଲି ଘୋଷଣା କରିଛନ୍ତି, ଯେଉଁମାନଙ୍କ ସମ୍ପତ୍ତି ମୂଲ୍ୟ କୋଟିଏରୁ ଅଧିକ ରହିଛି । ଏମିତି କି ଲୋକସଭା ସାଂସଦଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୪ କୋଟି ଟଙ୍କା ହୋଇଥିବା ୨୦୧୪ ଘୋଷଣାରୁ ଜଣାଯାଏ । କିନ୍ତୁ ଏମାନଙ୍କ ମଧ୍ୟରୁ ଟିକସଦାତାଙ୍କ ସଂଖ୍ୟା କେତେ ତାହା ପ୍ରଶ୍ନବାଚୀରେ ରହିଛି ।

ସମ୍ବନ୍ଧିତ ଖବର