ଭୁବନେଶ୍ବର,୨୮।୬ : ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଓଏସଆରଟିସି ବସ୍ ଧକ୍କାରେ ୩ ଯୁବତୀ ମୃତ। ୩ ଯୁବତୀ ସମ୍ପର୍କୀୟ ଭଉଣୀ। ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ। ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି।
ଅନ୍ୟ ଏକ ଗାଡି ସାଇଡ ମାରିବାରୁ ସ୍କୁଟିରେ ଯାଉଥିବା ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ଓଏସଆରଟିସି ବସ୍ର ପଛ ଚକା ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣା ପରେ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକମାନେ ସମ୍ପର୍କରେ ୩ ଭଉଣୀ ବୋଲି ଜଣାପଡ଼ିଛି। ୨ ଜଣଙ୍କ ଘର କେନ୍ଦ୍ରାପଡା। ପିପିଲି ଡାକ୍ତରଖାନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।