କିଆଙ୍ଗ ଗ୍ରାମରେ ଅଜଣା ରୋଗ ଆତଙ୍କ : ୬ ଦିନରେ ୩ ମୃତ

ମାଲକାନଗିରି,୬।୧୨(ଆପ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକସ୍ଥ କିଆଙ୍ଗ ପଞ୍ଚାୟତରେ ଗତ କିଛିଦିନ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଗତ ୬ଦିନ ମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିବା ସହିତ ପ୍ରାୟ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ ଥିବାର ଜଣା ପଡ଼ିଛି।
କିଆଙ୍ଗ ଗ୍ରାମର ଡମ୍ବରୁ ପୂଜାରୀ(୨୨) ଙ୍କର ଗତ କିଛିଦିନହେଲା ଗୋଡ଼ ହାତସବୁ ଫୁଲି ଯାଇ ମୁଣ୍ଡଘୁରାଇ ଜ୍ଵର ହେଉଥିଲା। ତାଙ୍କର ଦେହ ଅସୁସ୍ଥ ହେବା ଦେଖି ପରିବାର ଲୋକେ ସୋମବାର ପ୍ରଥମେ ମାଥିଲି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଭୋରୁ ଡ଼ମ୍ବରୁ ପୂଜାରୀଙ୍କର ମୃତ୍ୟୁ ଘଟିଛି। ଡମ୍ବରୁଙ୍କ ବାପା ଓ ମାଆ ଗତ କିଛି ବର୍ଷତଳେ ଅଜଣା ରୋଗରେ ମୃତ୍ୟୁ ଘଟିଥିଲା। ସେ ନିଜ ବଡବାପା ଦେବ ପୂଜାରୀଙ୍କ ଘରେରହୁଥିଲେ। ଅଳ୍ପଦିନ ତଳେ ତାଙ୍କର ବିବାହ ହୋଇ ଥାନ୍ତା ,ଡ଼ମ୍ବରୁ ଓ ତାଙ୍କ ବଡବାପା ଘର ଲୋକେ ବହୁତ ଖୁସି ଥିଲେ ହେଲେ ବରବେଶ ରେ ପାଲିଙ୍କିରେ ବସି ବିବାହ ବେଦୀକୁ ଯିବା ଆଗରୁ କୋକେଇ ରେ ବନ୍ଧା ମଶାଣି କୁ ଗଲେ ଡ଼ମ୍ବରୁ। ଏହି ଘଟଣା ରେ କିଆଙ୍ଗ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସେହି ପରି କିଆଙ୍ଗ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଗୌରୀ ପୂଜାରୀ(୬୮) ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ତେଷ୍ଟିକ୍ରିୟା କାମ ସରିବା ପରେ ପୁଅ ଭଗବାନ ପୂଜାରୀ(୪୫)ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଥିଲେ। ତାଙ୍କର ହାତ ଗୋଡ଼ ସବୁ ଫୁଲି ମୁଣ୍ଡ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ମାଥିଲି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ କିଆଙ୍ଗ ଗ୍ରାମ ନିକଟ ମଶାଣି ରେ ଭଗବାନ ଓ ଡମ୍ବରୁ ଙ୍କ ଦୁଇଟି ଜୁଇ ଏକା ସଙ୍ଗେ ଜଳିଛି। ଗ୍ରାମ ବାସୀ ମାନେଶୋକା କୁଳ ପରିସ୍ଥିତି ରେ ଗୋଟିଏ ଦିନରେ ଗୋଟିଏ ଗାଁ ର ଦୁଇଟି ଜୁଇ ଜଳାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏବେ ସେ ପଞ୍ଚାୟତ ରେ ପ୍ରାୟ ୧୦ ଜଣ ରୁ ଉର୍ଦ୍ଧ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବାର ଜଣା ପଡ଼ିଛି।
ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସ ରେ ମାଥିଲି ବ୍ଲକସ୍ଥ ସଲିମ ପଞ୍ଚାୟତ ହଲଦୀକୁଣ୍ଡ,ସର୍ଗିଗୁଡା ଗ୍ରାମରେ ଅଜଣାରୋଗ ରେ ଆକ୍ରାନ୍ତ ହୋଇ ବେସରକାରୀ ଭାବେ ପ୍ରାୟ ୧୨ ଜଣ ଙ୍କର ମୃତ୍ୟୁଘଟିଥିବା ବେଳେ ସରକାରୀ ଭାବେ କୁହା ଯାଇଥିଲା ୯ଜଣ ଙ୍କର ମୃତ୍ୟୁ ଘଟିଛି। ସେତେ ବେଳେ ବିଶେଜ୍ଞଡାକ୍ତରୀ ଦଳ ଓ ଅନୁଧ୍ୟାନ କାରୀ ଦଳ ଗ୍ରାମ କୁ ଗସ୍ତ କରି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇ ଚୁପ ହୋଇ ରହିଥିଲେ। ପୁଣି ଥରେ କିଆଙ୍ଗ ପଞ୍ଚାୟତ ଅଞ୍ଚଳ ରେ ଅଜଣା ରୋଗରେ ୬ଦିନରେ୩ ଜଣ ଙ୍କର ମୃତ୍ୟୁ ଘଟିସରିଲାଣି। ଏପରି ଅଜଣା ରୋଗ ର ଭୟ ଘେରି ଥିବାରୁ ଗ୍ରାମ ବାସୀମାନେ ଭୟ ଓ ଆତଙ୍କିତ ହୋଇ ପଡି ଡୁମା ଗ୍ରାସିଛି କହି ଡୁମାପୂଜା ସହିତ ଦିଶରୀ ଗୁଣିଆ ଡାକି ଝଡା ଫୁଙ୍କା ଆରମ୍ଭ କରିଦେଇଛନ୍ତି।
ଏ ସମ୍ପର୍କ ରେ ଜିଲ୍ଲା ମୁଖ୍ୟସ୍ୱସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଙ୍କୁ ଯୋଗା ଯୋଗ କରିବାରୁ ସେ କହି ଥିଲେ ମୃତ୍ୟୁ ସମ୍ପର୍କରେ ମୋ ନିକଟରେ ଖବର ନାହିଁ ।ତଥାପି ବୁଧବାର ସେ ଗ୍ରାମକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗସ୍ତ କରି ସ୍ୱାସ୍ଥ୍ୟ ଶିବିର କରିବା ସହିତ ଗୁରୁତର ରୋଗୀଙ୍କୁ ଜିଲ୍ଲା ହସ୍ପିଟାଲକୁ ଅଣା ଯାଇ ଚିକିତ୍ସା କରାଯିବ ଓ ଆକ୍ରାନ୍ତ ଙ୍କ ରକ୍ତ ନମୁନା ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ପଠା ଯିବ ବୋଲି ସିଡିଏମ ଓ କହିଛନ୍ତି ।