ନୂଆଦିଲ୍ଲୀ, ୨୧/୦୨ : ଝାଡ଼ଖଣ୍ଡରେ ମୁକ୍ତ କୋଇଲା ଖଣିରୁ ଏକ ଲୁପ୍ତ ପରିସଂସ୍ଥାନର ପ୍ରମାଣ ମିଳିଛି। ଯାହା ପ୍ରାୟ ୩୦ କୋଟି ବର୍ଷ ତଳେ ପରିପୃଷ୍ଟ ଥିଲା । ଏହି ସମୟ ପୃଥିବୀକୁ ମାନବ କିମ୍ବା ଡାଇନୋସରଙ୍କ ଆଗମନର ବହୁ ପୂର୍ବର । ଉତ୍ତର କରନପୁରା ଅବବାହିକାରେ ଅଶୋକା କୋଇଲା ଖଣି ମଧ୍ୟରେ ଗଭୀରକୁ ପୋତି ହୋଇଥିବା ଉଦ୍ଭିଦ ଜୀବାଶ୍ମ ଓ ରାସାୟନିକ ସଙ୍କେତ ବୈଜ୍ଞାନିକଙ୍କୁ ନଦୀ ଦ୍ୱାରା ଘେରି ରହିଥିବା ଏକ ଘଞ୍ଚ, ସନ୍ତସନ୍ତିଆ ଜଙ୍ଗଲ ଭୂମିର ପୁନଃନିର୍ମାଣରେ ସାହାଯ୍ୟ କରିଛି ।

ସୂଚନାଯୋଗ୍ୟ, ଭାରତ ସେତେବେଳେ ଦକ୍ଷିଣ ମହାଦେଶ ଗୋଣ୍ଡୱାନାଲାଣ୍ଡର ଅଂଶ ଥିଲା । ବିଭିନ୍ନ ବିଷୟକୁ ନେଇ କରାଯାଇଥିବା ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲା ବୀରବଲ ସାହନୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପାଲେଓସାଇନ୍ସେସ୍‌ (ବିଏସ୍‌ଆଇପି) । ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଏହା ସ୍ୱୟଂଶାସିତ ପ୍ରତିଷ୍ଠାନ । ଏହା କୋଇଲା ଓ ମାଟି-ପଙ୍କ ଆଦି ମିଶ୍ରଣରେ ସୃଷ୍ଟ ସଂରଚନାରେ ସଂରକ୍ଷିତ ଉଦ୍ଭିଦ ଜୀବାଶ୍ମ ଅବଶେଷ ଓ ଭୂ-ରାସାୟନିକ ସଙ୍କେତଗୁଡ଼ିକର ବିଶ୍ଳେଷଣ କଲା । ପରମେନ୍‌ କାଳରେ ସମୟ ସମୟରେ ସମୁଦ୍ର ଅତିକ୍ରମଣ ପ୍ରତି ପ୍ରାଚୀନ ମହାଦେଶୀୟ ପରିବେଶର ପ୍ରତିକ୍ରିୟା କିଭଳି ଥିଲା, ସଦ୍ୟ ଅଧ୍ୟୟନର ତଥ୍ୟ ତା’ର ବିରଳ ଚିତ୍ର ପ୍ରଦାନ କରିଛି।

ଗବେଷକମାନେ ଏକ ଅତ୍ୟନ୍ତ ଖାସ୍‌ ଜୀବାଶ୍ମ ରେକର୍ଡ ଆବିଷ୍କାର କରିଛନ୍ତି, ତନ୍ମଧ୍ୟରେ ଅଧିକାଂଶ ଗ୍ଲୋସୋପ୍ଟେରିସ୍‌ ରହିଛି । ଗ୍ଲୋସୋପ୍ଟେରିସ୍‌ ମଞ୍ଜିଯୁକ୍ତ ଉଦ୍ଭିଦର ଏକ ବିଲୁପ୍ତ ସମୂହ, ଯାହା ଦିନେ ଗୋଣ୍ଡୱାନାଲାଣ୍ଡରେ ପ୍ରଚୁର ଦେଖିବାକୁ ମିଳୁଥିଲା । ଗୋଣ୍ଡୱାନାଲାଣ୍ଡରେ ବର୍ତ୍ତମାନର ଭାରତ, ଆଣ୍ଟାର୍କଟିକା, ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆ ରହିଛି । ପଥର-ମାଟି ଓ ଅନ୍ୟ ସଂରଚନାର ପରସ୍ତରେ ପତ୍ରଗୁଡ଼ିକର ସୂକ୍ଷ୍ମ ଛାପ, ଗଛ ମୂଳ, ବୀଜାଣୁ ଓ ପରାଗ କଣିକାରେ ଗ୍ଲୋସୋପ୍ଟେରିସ୍‌ର ଅତିକମ୍‌ରେ ୧୪ କିସମ ଓ ଏହାର ନିକଟତମ କିସମ ଚିହ୍ନଟ କରାଗଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ମଧ୍ୟରେ ଥିଲା, ଗ୍ଲୋସୋପ୍ଟେରିସ୍‌ର ସର୍ବପ୍ରଥମ ଜୁଭେନାଇଲ୍‌ ମେଲ୍‌ କୋନ୍‌। ଦାମୋଦର ଅବବାହିକାରେ ଏହା ମିଳିଲା । ବୈଜ୍ଞାନିକମାନେ ଏହାକୁ ବଟାନିକାଲ ‘ମିସିଂ ପିସ୍‌’ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଏହି ପ୍ରାଚୀନ ଉଦ୍ଭିଦମାନଙ୍କର ବଂଶ ବୃଦ୍ଧି ଓ ବିକାଶ ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରିଛି । କୋଇଲା ଓ ଅନ୍ୟ ସଂରଚନାର ନମୁନାଗୁଡ଼ିକର ମାଇକ୍ରୋସ୍କୋପିକ୍‌ ପରୀକ୍ଷଣରୁ ଫ୍ରାମ୍‌ବୋଇଡାଲ ପାଇରାଇଟ୍‌, କ୍ଷୁଦ୍ର ରାସ୍‌ପବେରୀ ଆକାରଯୁକ୍ତ ଖଣିଜ ଗୁଚ୍ଛ ସମେତ ଅସ୍ୱାଭାବିକ ରୂପେ ଉଚ୍ଚ ସଲ୍‌ଫର ସ୍ତର ବିଷୟରେ ଜଣାପଡ଼ିଲା । ଏହି ରାସାୟନିକ ସଙ୍କେତ କ୍ଷାର ଜଳ ସ୍ଥିତିକୁ ଇଙ୍ଗିତ କରିଛି, ଯାହା ଦର୍ଶାଇଛି ଯେ ଜଙ୍ଗଲଯୁକ୍ତ ନଦୀ ଅବବାହିକାର ଅଧିକାଂଶ ଅଂଶକୁ ବେଳେବେଳେ ସମୁଦ୍ର ମାଡ଼ି ଆସୁଥିଲା । ଏ ପ୍ରକାର ସାମୁଦ୍ରିକ ସଙ୍କେତ ଉକ୍ତ କ୍ଷେତ୍ରର କୋଇଲା ସଂଗ୍ରହରେ ବିରଳ ଏବଂ ପରମେନ୍‌ ସମୁଦ୍ର ଅତିକ୍ରମଣର ବଳିଷ୍ଠ ପ୍ରମାଣ ପ୍ରଦାନ କରନ୍ତି । ଗ୍ୟାସ୍‌ କ୍ରୋମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋମେଟ୍ରି ମାଧ୍ୟମରେ ହୋଇଥିବା ଏହି ଉନ୍ନତ ରାସାୟନିକ ବିଶ୍ଳେଷଣ ଦର୍ଶାଇଛି, ପ୍ରାୟ ୨୮-୨୯ କୋଟି ବର୍ଷ ପୂର୍ବେ ସମୁଦ୍ର ଜଳ ଉତ୍ତରପୂର୍ବ ଭାରତରୁ କେନ୍ଦ୍ରୀୟ କ୍ଷେତ୍ରକୁ ବଢ଼ି ବୋଧହୁଏ ଦାମୋଦର ଅବବାହିକାରେ ପ୍ରବେଶ କରିଥିଲା । ଏହି ପ୍ରାଗୈତିହାସିକ ସାମୁଦ୍ରିକ ବନ୍ୟାର ମାର୍ଗ ବିଷୟରେ ପୂର୍ବ ଅଧ୍ୟୟନରେ ବିତର୍କ ବି ହୋଇଛି ।

ସଦ୍ୟତମ ଅଧ୍ୟୟନ ସମୟ ସମୟରେ ସାମୁଦ୍ରିକ ଅତିକ୍ରମଣ ଦ୍ୱାରା ଗୋଣ୍ଡୱାନାଲାଣ୍ଡର ଭୂଖଣ୍ଡକୁ ପୁନଃ ଆକାର ପ୍ରଦାନ ମାମଲାକୁ ଆହୁରି ମଜଭୁତ କରିଛି । କୋଲ୍‌ ଜିଓଲୋଜି ନାମକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ କେବଳ ଉତ୍ତର କରନପୁରା କୋଇଲା କ୍ଷେତ୍ରର ଇତିହାସରେ ସଂସ୍କାର ଆଣିଛି ତାହା ନୁହେଁ, ଆଧୁନିକ ପ୍ରାସଙ୍ଗିକତା ମଧ୍ୟ ବହନ କରୁଛି । ପ୍ରାଚୀନ ସାମୁଦ୍ରିକ ଅତିକ୍ରମଣ ଓ ବର୍ତ୍ତମାନ ମେରୁରେ ବରଫ ତରଳିବା ଜନିତ ସମୁଦ୍ର ସ୍ତର ବୃଦ୍ଧି ମଧ୍ୟରେ ସମାନତାକୁ ଦୃଷ୍ଟିରେ ରଖି ବିଶ୍ୱ ଉତ୍ତାପନ ଆଜିର ମହାଦେଶୀୟ ପରିବେଶକୁ କିଭଳି ପରିବର୍ତ୍ତନ କରିବ, ଏହି ଅଧ୍ୟୟନ ତାହା ଅନୁମାନ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ।

ଏହି ଖବରଟିକୁ ପଢନ୍ତୁ- ରିଙ୍ଗ୍ ଭିତରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରକୁ ଯେବେ ନାଗ ସାପ ଛାଡ଼ି ଦେଲେ ଫାଇଟର, ଭିଡ଼ିଓ ଭାଇରାଲ