୪ ଦୁର୍ଦ୍ଦାନ୍ତ ଡକାୟତ ଗିରଫ: ଫାଇନାନ୍ସ କର୍ମଚାରୀଙ୍କୁ ଲୁଟି ଚମ୍ପଟ ମାରିଥିଲେ

ଭୁବନେଶ୍ୱର,୭ ।୨(ବ୍ୟୁରୋ): ବାଲିଅନ୍ତା ଥାନା ଅନ୍ତର୍ଗତ ନୂଆସାହି ନିକଟରୁ ଫାଇନାନ୍ସ୍ ସଂସ୍ଥା କର୍ମଚାରୀଙ୍କୁ ଲୁଟ୍ପାଟ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ । ସ୍ପେଶାଲ୍ ସ୍କ୍ୱାଡ୍ ଓ ବାଲିଅନ୍ତା ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ନହରକଣ୍ଟା ନିକଟରେ ଚଢ଼ଉ କରି ୪ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ କଟକ ସଦର ଥାନା କଳପଡ଼ାର ଶୁଭ ଓରଫ ଶୁଭ୍ରାଂଶୁ ପରିଡ଼ା(୨୯), ଭିଙ୍ଗାରପୁରର ରାଜ୍ ଓରଫ ଟୁଲୁ ବେହେରା(୨୮), ନହରକଣ୍ଟାର ଫମ୍ପେଇ ଓରଫ ଧୀରେନ୍ଦ୍ର ଜେନା(୨୮) ଓ କଟକ ଲାଲ୍ବାଗ ଥାନା ଅନ୍ତର୍ଗତ ସାହେବ୍ ବଜାରର ମୁନା ଓରଫ ମାନସ କୁମାର ଚାନ୍ଦ(୨୫) । ୪ ଡକାୟତଙ୍କ ଠାରୁ ୪୫ ଗ୍ରାମ ଓଜନର ସୁନା ଅଳଙ୍କାର, ୧୩ ହଜାର ଟଙ୍କା, ୪ ସ୍ପିଡ୍ ବାଇକ୍, ୫ ମୋବାଇଲ୍ ଫୋନ୍ ଓ ମାରଣାସ୍ତ୍ର ଜବତ କରାଯାଇଛି ।
ସ୍ପେଶାଲ୍ ସ୍କ୍ୱାଡ୍ ମୁଖ୍ୟ ଏସିପି ସଞ୍ଜୀବ୍ ଶତପଥୀଙ୍କ ସୂଚନା ଅନୁଯାୟୀ, ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ବାଳକାଟୀର ପ୍ରକାଶ ସ୍ୱାଇଁ ଗତ ୨ ତାରିଖରେ ଟଙ୍କା କଲେକ୍ସନ୍ କରି ବାଇକ୍ରେ ଫେରୁଥିଲାବେଳେ ନୂଆସାହି ପ୍ରତାପରୁଦ୍ରପୁର ରାସ୍ତାରେ ୫ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ୬୬ ହଜାର ୪୧୯ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ପ୍ରକାଶଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଏହି ଡକାୟତି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲେ ଏସିପି ସଞ୍ଜୀବ ଶତପଥି । ଗତକାଲି ବିଳମ୍ବିତ ରାତିରେ ନହରକଣ୍ଟା ନିକଟରେ ଏକ ପରିତ୍ୟକ୍ତ ଘରେ କିଛି ଯୁବକ ବସି ଡକାୟତି ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଏସିପି ଶ୍ରୀ ଶତପଥୀ ଖବର ପାଇଥିଲେ । ତେଣୁ ସେ ଓ ତାଙ୍କ ଟିମ୍ ବାଲିଅନ୍ତା ଥାନା ପୁଲିସ ସହାୟତାରେ ସେଠାରେ ଚଢ଼ଉ କରି ୪ ଡକାୟତଙ୍କୁ ଗିରଫ କରିଥିଲେ । ଏହି ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନେ ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଧରା ପଡ଼ିଥିବା ଡକାୟତଙ୍କ ନାମରେ କମିଶନରେଟ ପୁଲିର ବିଭିନ୍ନ ଥାନାରେ ଲୁଟ୍ପାଟ ଓ ଡକାୟତି ମାମଲା ଅଛି । ଆଜି ୪ ଡକାୟତଙ୍କୁ ବାଲିଅନ୍ତା ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।