ଖଲ୍ଲିକୋଟ, ୪।୧୦- ଖଲ୍ଲିକୋଟ ବଡଘାଟିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଛି। ଯାହା ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଯାଇଛି। ସେମାନଙ୍କ ମଧ୍ୟରୁ ଡ୍ରାଇରର ଅବସ୍ଥା ଗୁରୁତର ରହିଛି।
ଆମ୍ବୁଲାନ୍ସଟି ଚେନ୍ନାଇର ପି ଏସ ପି ହସ୍ପିଟାଲରୁ ଏକ ମୃତଦେହ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଖଲ୍ଲିକୋଟ ବଡ ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟିହୋଇ ଓଲଟି ପଡ଼ିଥିଲା। ଫଳରେ ଆମ୍ବୁଲାନ୍ସରେ ବସିଥିବା ପଶ୍ଚିମବଙ୍ଗର ଶେଙ୍କା ମୁଣ୍ଡା, ଆବୁତ୍ ଆଲିଫ୍, ଦୁଃଖୀରାମ ଲାହୋର ଗୁରୁତର ହୋଇ ଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ଆଦନ ଦୁର୍ଘଟଣା ଗ୍ରସ୍ତ ଗାଡି ଭିତରେ ଚାପି ହୋଇ ରହି ଯାଇଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ ଗାଡିକୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।