ଖାଲିପଡିଲା ରାଜ୍ୟର ୪ ରାଜ୍ୟସଭା ଆସନ, କାହାକୁ ବାଛିବେ ନବୀନ ?

ଭୁବନେଶ୍ୱର ୧୧/୬: ରାଜ୍ୟରେ ଖାଲି ପଡ଼ିବାକୁ ଯାଉଛି ଚାରି ରାଜ୍ୟସଭା ଆସନ । ରାଜ୍ୟସଭା ସାଂସଦ ଥାଇ ଲୋକସଭା ଓ ବିଧାନସଭାରେ ଲଢିଥିବା ୬ ସାଂସଦଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଛନ୍ତି । ତେଣୁ ସେମାନଙ୍କୁ ଏବେ ରାଜ୍ୟସଭା ପଦବୀ ଛାଡ଼ିବାକୁ ହେବ । ତେବେ ଏମାନଙ୍କ ସ୍ଥାନରେ କିଏ ସାଂସଦ ହେବେ ତାକୁ ନେଇ ଲବି ବଢିଲାଣି ।
ଗତ ସାଧାରଣ ନିର୍ବାଚନରେ ଲଢିଥିଲେ ୬ ରାଜ୍ୟସଭା ସାଂସଦ । ସେମାନଙ୍କ ମଧ୍ଯରୁ ୪ ଜଣ ଜିତିଥିବାବେଳେ ୨ ଜଣ ପରାସ୍ତ ହୋଇଛନ୍ତି । ଆଳି ଓ ଖଣ୍ଡପଡ଼ା ବିଧାନସଭାରୁ ପ୍ରତାପ ଦେବ, ସୌମ୍ୟରଂଜନ ପଟ୍ଟନାୟକ ଏବଂ କେନ୍ଦ୍ରାପଡ଼ା ଓ କନ୍ଧମାଳ ଲୋକସଭାରୁ ଅନୁଭବ ମହାନ୍ତି, ଅଚ୍ୟୁତ ସାମନ୍ତ ବିଜୟୀ ହୋଇଛନ୍ତି । ଯାହା ଜଣାପଡ଼ୁଛି ଏମାନେ ନୂଆ ଦାୟିତ୍ବ ପାଖରେ ରଖିବେ ଓ ରାଜ୍ୟସଭା ପଦ ଛାଡ଼ିବେ । ତେଣୁ ଖାଲିହେବ ୪ ରାଜ୍ୟସଭା ସିଟ୍। ତେବେ ସୌମ୍ଯରଞ୍ଜନ, ପ୍ରତାପ ଦେବ ଓ ଡ. ଅଚ୍ଯୁତ ସାମନ୍ତ ରାଜ୍ଯସଭା ପଦରୁ ଇସ୍ତଫା ଦେଇସାରିଛନ୍ତି ।
ଅନ୍ୟପଟେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନ ପାଇଁ ଦାବିଦାର ବି ଲାଇନ ଲଗାଇ ଦେଲେଣି । ନିର୍ବାଚନରେ ଦଳୀୟ ଟିକଟ ପାଇ ନ ଥିବା ନେତା, ଆଉ ଟିକଟ ପାଇ ବି ହାରିଥିବା ହେଭିୱେଟ୍ ଲବି ଆରମ୍ଭ କଲେଣି । ଟିକଟ ବଣ୍ଟନ ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ନବୀନ ଘୋଷଣା କରିଥିବାବେଳେ , ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନବୀନ ରାଜ୍ୟସଭା ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଯଦି ସେଭଳି ହୁଏ ତାହେଲେ ବାକି ୨ ଆସନ କିଏ କିଏ ସମ୍ଭାଳିବେ ସେନେଇ ପ୍ରଶ୍ନ ଉଠୁଛି ।
ନଗଦ ବହିଷ୍କାର ଉଠିବା ପରେ ଦଳକୁ ଫେରି ଉପସଭାପତି ହୋଇଥିବା ପ୍ରଫୁଲ୍ଲ ଘଡେଇ, ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ କଥା ଦଳ ଚିନ୍ତା କରିପାରେ । ସେହିଭଳି ପୁରୀରୁ ହାରିଥିବା ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା ପ୍ରମୁଖ ଲବିରେ ଅଛନ୍ତି । କଳାହାଣ୍ଡି ଲୋକସଭାରୁ ହାରିଥିବା ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ବଲପୁର, ବାଲେଶ୍ୱର, ଭୁବନେଶ୍ୱରରୁ ହାରିଥିବା ନଳିନୀ ପ୍ରଧାନ, ରବୀନ୍ଦ୍ର ଜେନା, ଅରୂପ ପଟ୍ଟନାୟକ ପ୍ରମୁଖ ମଧ୍ୟ ରାଜ୍ୟସଭା ବାଟ ଦେଇ ସାଂସଦ ହେବାକୁ ଚାହିଁ ବସିଛନ୍ତି । ବଲାଙ୍ଗିର ରାଜ ପରିବାରର ନିର୍ବାଚନୀ ବିପର୍ଯ୍ୟୟ ପରେ ଅନଙ୍ଗ ଉଦୟ ସିଂହଦେଓଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏହାଛଡା ମହିଳା ପ୍ରତିନିଧିତ୍ବକୁ ମଧ୍ୟ ନବୀନ ଗୁରୁତ୍ବ ଦେଇପାରନ୍ତି। କାରଣ ସେ ଏକତୃତୀୟାଂଶ ସାଂସଦ ପଠାଇବା ପାଇଁ ପୂର୍ବରୁ କହି ଆସିଛନ୍ତି । ସେଥିପାଇଁ କିଛି ମହିଳା ମଧ୍ୟ ନିଜ ନାଁରେ ଲବି କଲେଣି ।
ନିର୍ବାଚନରେ ଶୃଂଖଳା ଦେଖାଇଥିବା ଓ ଦଳ ଲାଗି ଝାଳ ବୁହାଇଥିବା ନେତା ହିଁ ପ୍ରାୟୋରିଟିରେ ରହିବେ । ଏହା ବାଦ୍ ଆଗକୁ ହେବାକୁ ଥିବା ପାଟକୁରା ଉପନିର୍ବାଚନ ଓ ମୁଖ୍ୟମନ୍ତ୍ରୀ ଛାଡ଼ିବାକୁ ଥିବା ଆସନର ନିର୍ବାଚନକୁ ଆଖିରେ ରଖି ରାଜ୍ୟସଭା ବର୍ଥ ବଣ୍ଟନ କରିପାରନ୍ତି ନବୀନ ।
ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୨ରେ ସରୁଛି, ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ରେ ସରୁଥିବା ବେଳେ ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ରେ ଶେଷ ହେବ । ଏମାନଙ୍କ ବଦଳରେ ଯିଏ ଯିବ ସେହି ସମୟ ପର୍ଯ୍ୟନ୍ତ ହିଁ ସାଂସଦ ରହିବେ। ୪ଟି ରାଜ୍ୟସଭା ଆସନ ଖାଲିପଡୁଥିଲେ ମଧ୍ୟ ଯେହେତୁ ୪ଟି ଯାକ ପାଇଁ ଏକାବେଳେ ନିର୍ବାଚନ ହେବ ତେଣୁ ସଂଖ୍ୟାଗଣିତ ଅନୁସାରେ ବିଜେଡି ୩ଜଣଙ୍କୁ ହିଁ ନିଜ ଶକ୍ତିରେ ରାଜ୍ୟସଭାକୁ ପଠାଇ ପାରିବ । ୪ର୍ଥ ଆସନର ଭାଗ୍ୟ ଅନିଶ୍ଚିତ । ଏହି ଆସନ ପାଇଁ ବିଜେପିର ସହଯୋଗ ଆବଶ୍ୟକ ହେବ । ତେଣୁ ୪ର୍ଥ ଆସନ ପାଇଁ ଜଣେ ସର୍ବ ସମ୍ମତ ପ୍ରାର୍ଥୀ ବଛାଯାଇପାରେ । ଯଦି ଏହା ହୁଏ ତାହେଲେ ବହୁ ବିଜେଡି ନେତାଙ୍କୁ ନିରାଶ ହେବାକୁ ପଡିବ ।