ଲକ୍ଷ୍ମୀପୁର,୧୦।୨ : ନାଟକ  ଦେଖିବାକୁ  ଯାଇଥିବା ବେଳେ   ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ  ପୁଲିସ ୪ ଜଣ ଯୁବକଙ୍କୁ ଅଟକ ରଖିଛି।

 ସୂଚନା ଅନୁଯାୟୀ ଏକ ଗ୍ରାମରେ ବୁଢ଼ୀ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥିଲା।  ସେଠାରେ  ଶନିବାର ରାତିରେ କୋରାପୁଟିଆ ଦେଶିଆ ନାଟ ପରିବେଷଣ ହୋଇଥିଲା। ନାଟ ଦେଖିବାକୁ ଲକ୍ଷ୍ମୀପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଯାଇଥିଲେ। ମଧ୍ୟରାତ୍ରୀରେ ନାବାଳିକା ଜଣକ ପରିସ୍ରା କରିବାକୁ ଅନ୍ଧାରୁଆ ଜାଗାକୁ ଯାଇଥିଲେ।ଏହି ସମୟରେ  ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ତୁଳସୀଛପର ଗ୍ରାମର ୪ ଜଣ ଯୁବକ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ଘଟଣା ଜଣେ ଯୁବକ ଦେଖିଥିଲେ କିନ୍ତୁ ଦୁଷ୍କର୍ମକାରୀ ୪ ଜଣ ସମ୍ପୃକ୍ତ ଯୁବକଙ୍କୁ ଧମକ ଦେଇ କାହାକୁ ନକହିବାକୁ ଚେତାବନୀ ଦେଇଥିଲେ। ହେଲେ ପୀଡ଼ିତା ନାବାଳିକା ଜଣକ ଘଟଣା ସମ୍ପର୍କରେ ଗ୍ରାମ୍ୟ କମିଟି ସମ୍ମୁଖରେ ଜଣାଇ ଥିଲେ।  ପରେ ଗ୍ରାମ୍ୟ କମିଟି ଓ ପରିବାର ଲୋକଙ୍କ ସହ ପୀଡ଼ିତା ଲକ୍ଷ୍ମୀପୁର ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖା ଯାଇଥିବାବେଳେ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି।