ଭୁବନେଶ୍ଵର, ୧୮।୧୧ : ନୂଆଦିଲ୍ଲୀ ସ୍ଥିତ ଲୋକ ସଭା ସଚିବାଳୟର ପାର୍ଲିଆମେଣ୍ଟାରୀ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର ଡେମୋକାର୍ସି (ପ୍ରାଇଡ) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଓଡିଶା ବିଧାନସଭା ପରିଦର୍ଶନ କରିଛନ୍ତି। ଏଥିସହ ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାଚସ୍ପତି ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ ।ଚଳିତ ୧୭ ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ ୬୨ ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି । ଏତଦବ୍ୟତୀତ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଏବଂ କମ୍ପ୍ୟୁଟରୀକରଣ ହେବା ସହ ନେଭା (NeVA) ପ୍ରୋଜେକ୍ଟ ଦ୍ଵାରା ସମସ୍ତ କାର୍ଯ୍ୟ କୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବାଚସ୍ପତି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇ ଓଡିଶା ବିଧାନସଭାର ବିଧି ବ୍ୟବସ୍ଥା ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ | ସେହିପରି ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।ଅନ୍ୟତମ ଅତିଥି ମାନ୍ୟବର ସାଂସଦ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ବିଧାନସଭାର ଗବେଷଣା ନିର୍ଦ୍ଦେଶକ ତ୍ରିବିକ୍ରମ ପ୍ରଧାନ, ପ୍ରଶାନ୍ତ ମଲ୍ଲିକ, ନିର୍ଦ୍ଦେଶକ ପ୍ରାଇଡ ଏବଂ ବିଧାନସଭାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।