ବଲାଙ୍ଗୀର, ୩।୫ : ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାପାକୁ ଦେଖିବାକୁ ଆସିଥିଲା ପୁଅ । ହେଲେ ଜାଣିନଥିଲା ଘରକୁ ଫେରିବା ବାଟରେ ଜଗିବସିଛି କାଳ । ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଟାଉନ ଥାନା ବିଜାଖମନ ଠାରେ ଘଟିଛି। ମୃତକ ଜଣକ ହେଲେ କୁଡ଼ାସିଂହା ଗାଁ ର ବବୁଲ କାଳସାଏ ।

କୁଡ଼ାସିଂହା ଗାଁର ବବୁଲଙ୍କ ବାପା ବୃନ୍ଦାବନ କାଳସାଏ ଅସୁସ୍ଥ ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏନେଇ ଆଜି ବାପାଙ୍କୁ ହସ୍ପିଟାଲରେ ଦେଖା କରି ଗାଁ କୁ ଫେରିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ଯୁବକ ଚଳିତ ଥର ଫରେଷ୍ଟ ଗାର୍ଡ ପରୀକ୍ଷା ଦେଇଥିଲେ। ଆଇଟିଆଇ କରୁଥିବା ବେଳେ ଘରର ବଡ଼ ପୁଅ ବୋଲି ଅନ୍ୟ ସ୍ଥାନରେ କାମ କରି ପରିବାର କୁ ମଧ୍ୟ ଚଳାଉଥିଲେ। ଏନେଇ ବାପାଙ୍କ ଦେହକୁ ନେଇ ଚିନ୍ତା ରେ ଥିବା ପୁଅ ନିଜେ ଚାଲିଯିବା ବେଳେ ପରିବାର ଭାଙ୍ଗି ପଡିଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକ।

ଆହୁରି ପଢନ୍ତୁ : ବାଇକ୍ ଉପରେ ମାଡିଗଲା ଆମ ବସ୍, ବାଇକ୍ ଆରୋହୀ ମୃତ