ଓଡ଼ିଶାରୁ ୪୧ ଜଣଙ୍କୁ ସିସିଆର୍ଟି ଫେଲୋସିପ୍

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ସଂସ୍କୃତି କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶାରୁ ମୋଟ୍ ୪୧ ଜଣ ପାଇବେ ସିସିଆର୍ଟି(ସେଣ୍ଟର ଫର କଲଚରାଲ୍ ରିସୋର୍ସେସ୍ ଆଣ୍ଡ ଟ୍ରେନିଂ) ଫେଲୋସିପ୍ । ୨୦୧୮-୧୯ ମସିହା ପାଇଁ ପ୍ରଦାନ କରାଯିବ ଏହି ଫେଲୋସିପ୍ । କନିଷ୍ଠ ଏବଂ ବରିଷ୍ଠ ପର୍ଯ୍ୟାୟରେ ପ୍ରଦାନ କରାଯାଉଥିବା ଏହି ଫେଲୋସିପ୍ରେ ଓଡ଼ିଶାର ୪୧ ଜଣଙ୍କ ମଧ୍ୟରୁ କନିଷ୍ଠ ବର୍ଗରେ ୧୬ ଜଣ ଏବଂ ବରିଷ୍ଠ ବର୍ଗରେ ୨୫ ଜଣ ରହିଥିବା ସିସିଆର୍ଟି ପକ୍ଷରୁ ଜାରି ହୋଇଥିବା ମନୋନୀତ ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଛି ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଦ୍ୱାରକା ନୂଆଦିଲ୍ଲୀରେ ଅବସ୍ଥିତ ସେଣ୍ଟର୍ ଫର୍ କଲ୍ଚରାଲ୍ ରିସୋର୍ସ ଆଣ୍ଡ୍ ଟ୍ରେନିଂ (ସିସିଆର୍ଟି) ପକ୍ଷରୁ ପ୍ରତିବର୍ଷ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ଲାଗି ସର୍ବଭାରତୀୟସ୍ତରରେ ଏହି ଫେଲୋସିପ୍ ପ୍ରଦାନ କରାଯାଇ ଆସୁଛି । ସେହି ଅନୁସାରେ ପ୍ରତି ବର୍ଷ ଦେଶରୁ କନିଷ୍ଠ ବର୍ଗରେ ୨୦୦ଜଣ ଏବଂ ବରିଷ୍ଠ ବର୍ଗରେ ୨୦୦ଜଣ ଫେଲୋସିପ୍ ପାଇଥାନ୍ତି । ଏଥର କନିଷ୍ଠ ବର୍ଗରେ ୨୦୦ଜଣ ପାଇଥିବାବେଳେ ବରିଷ୍ଠ ବର୍ଗରେ ୧୯୭ଜଣ ଫେଲୋସିପ୍ ପାଇବା ଲାଗି ମନୋନୀତ ହୋଇଛନ୍ତି । ସେହି ଭିତରେ ଉଭୟେ ବର୍ଗରେ ଓଡ଼ିଶାରୁ ବହୁ କଳାକାର, ସଂସ୍କୃତି ଗବେଷକ ଓ ବିଦ୍ୱାନଙ୍କ ନାମ ପ୍ରକାଶ ପାଇଛି ।
ରାଜ୍ୟରୁ କନିଷ୍ଠ ବର୍ଗରେ ଛଉ ନୃତ୍ୟରେ ମୟୂରଭଞ୍ଜ ବାରିପଦାର ଶିବଚରଣ ମହାନ୍ତି ଓ ବର୍ଣ୍ଣରୂପା ମହାନ୍ତି । ଛଉ ସଙ୍ଗୀତରେ ଭୁବନେଶ୍ୱରର ଆନନ୍ଦ କୁମାର ଦାସ, ଓଡ଼ିଶୀ ସଙ୍ଗୀତରେ ହିମାଂଶୁ ଶେଖର ସ୍ୱାଇଁ, ଓଡ଼ିଶୀ ନୃତ୍ୟରେ ପ୍ରଭାତ କୁମାର ସ୍ୱାଇଁ, ଲୋକ ନୃତ୍ୟରେ ବ୍ରହ୍ମପୁରର ଆଲୋକ ବିଶୋୟୀ, ଲୋକ ସଙ୍ଗୀତରେ ବରଗଡ଼ର ଅଶ୍ୱୀନ କୁମାର ପଟେଲ, ଲୋକ ଗୀତରେ ନୂଆପଡ଼ା ବିଜୟିନୀ ମିଶ୍ର, ଅନ୍ୟାନ୍ୟରେ ଭଦ୍ରକର ସୁମିତ୍ରା ପାଢ଼ୀ, ଭାଷାସାହିତ୍ୟ(ଓଡ଼ିଆ)ରେ ଭୁବନେଶ୍ୱରର ଅର୍ଜୁନ ଚରଣ ରାଉତ, ସୁଚିସ୍ମିତା ଦାସ, ଭିଜୁଆଲ୍ ଆର୍ଟ ଗ୍ରାଫିକ୍ସରେ ବାରିପଦାର ମଞ୍ଜୁଶ୍ରୀ ବିଶ୍ୱାଳ ପାଣି, ଭୁବନେଶ୍ୱରର ଦିବ୍ୟସିଂହ ସ୍ୱାଇଁ, ପେଣ୍ଟିଂରେ ବ୍ରହ୍ମପୁରର ଗିରିଶ ଚନ୍ଦ୍ର ବେହେରା, ବାଲେଶ୍ୱରର ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ସ୍ଥାପତ୍ୟରେ ଭୁବନେଶ୍ୱରର ସୁଧୀର ରଞ୍ଜନ ମହାରଥା ମନୋନୀତ ହୋଇଛିନ୍ତି ।
ବରିଷ୍ଠ ବର୍ଗ ଲାଇଟ୍ କ୍ଲାସିକାଲ୍ ମ୍ୟୁଜିକ୍ରେ ଭୁବନେଶ୍ୱରର ମୁକୁନ୍ଦ ପ୍ରସାଦ ଧଳ, ଛଉ ନୃତ୍ୟରେ ବାରିପଦାର ସନ୍ତୋଷ କୁମାର ମହାନ୍ତ, ଦିଲ୍ଲୀପ କୁମାର ମିଶ୍ର, ଛଉ ସଙ୍ଗୀତରେ ମହାନ୍ତ ବବିତା କଲିୟାର, ବିଦେଶୀ ବୈଠ, ଓଡ଼ିଶୀ ନୃତ୍ୟରେ କଟକର ଦିପ୍ତି ରାଉତରାୟ, ଓଡ଼ିଶୀ ସଙ୍ଗୀତରେ ଲକ୍ଷ୍ମୀ ମହାନ୍ତି, ଲୋକ ନୃତ୍ୟରେ ଭୁବନେଶ୍ୱରର ସୁବ୍ରତ କୁମାର ଦାସ, ଦୀପ୍ତିରଞ୍ଜନ ମହାପାତ୍ର, ସମ୍ବଲପୁରର ରଞ୍ଜିତ ସାହୁ, ଲୋକ ସଙ୍ଗୀତରେ କୋରାପୁଟର ରାଜେନ୍ଦ୍ର ପାଢ଼ୀ, ଲୋକ ଗୀତରେ କଟକର ତପସ୍ୱିନୀ ପଟେଲ, ଲୋକ ନାଟକରେ ବରଗଡ଼ର ରବିନାରାୟଣ ସାହୁ, ଅନ୍ୟାନ୍ୟରେ କେଉଁଝରର ନୀଳାଦ୍ରି ବିହାରୀ ମିଶ୍ର, ଭାଷାସାହିତ୍ୟ (ବଙ୍ଗଳା)ରେ ଭୁବନେଶ୍ୱରର ସୋମା ପୃଷ୍ଟି, ଓଡ଼ିଆରେ ଭୁବନେଶ୍ୱରର ସଂଗ୍ରାମ କେଶରୀ ଜେନା, ବଲାଙ୍ଗୀରର ସନ୍ତୋଷ କୁମାର ରଥ, କଟକର ସଙ୍ଗୀତା ରଥ, ମ୍ୟାନେଜ୍ମେଣ୍ଟ ଅଫ୍ ହେରିଟେଜ୍ ଆର୍ଟ ଆଣ୍ଡ୍ କଲ୍ଚର୍ରେ ଯାଜପୁରର ନମିତାରାଣୀ ନାୟକ, ଅନ୍ୟାନ୍ୟରେ ଭୁବନେଶ୍ୱରର ଅରୁଣ କୁମାର ବାରିକ, ସୋସିଓଲୋଜି ଅଫ୍ କଲ୍ଚର୍ରେ କଟକର ବିଜୟ କୁମାର ରାଉତ, ଭୁବନେଶ୍ୱରର ବିକ୍ରମକେଶରୀ ରାଉତରାୟ, ନାଟକରେ ଧୀରେନ୍ଦ୍ରନାଥ ମଲ୍ଲିକ,ପେଣ୍ଟିଂରେ ଚନ୍ଦ୍ରମଣି ବିଶ୍ୱାଳ, ପ୍ରଦୋଷ କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି ।
ସଂସ୍କୃତି କ୍ଷେତ୍ରରେ ପାଖାପାଖି ୩୦ଟି ବିଭିନ୍ନ ବିଭାଗରେ ଏହି ଫେଲୋସିପ୍ ପ୍ରଦାନ କରାଯିବା ସହ ଭାଷା-ସାହିତ୍ୟ ଓ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଦିଆଯାଇଥାଏ । ଏଥିପାଇଁ ସିସିଆର୍ଟି ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିଥାଏ । ଶେଷରେ ଅନୁଷ୍ଠାନ ଆବେଦନକାରୀଙ୍କ ସନ୍ଦର୍ଭକୁ ମନୋନୀତ କରି ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥାନ୍ତି ।