ଭୁବନେଶ୍ୱର,୨୧/୦୩:  ରାଜ୍ୟରେ ଆଉ ଶିକ୍ଷକ ଅଭାବ ରହିବ ନାହିଁ । ଆସନ୍ତା ୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତି ଦିଆଯିବ । ଏହା ସହିତ ଚଳିତ ବର୍ଷ ୨୦ ହଜାର ଶିକ୍ଷକ ପଦବି ପୂରଣ ପାଇଁ ଯୋଜନା ରହିଛି । ତେବେ ପୂର୍ବ ସରକାର ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ମଧ୍ୟରୁ ପୁଣି ନିହାତି ଆବଶ୍ୟକ ଥିବା ଅଞ୍ଚଳରେ ସ୍କୁଲ ପୁଣି ଖୋଲିବ । ତେବେ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟିର ରିପୋର୍ଟ ଅନୁସାରେ ୪୬ଟି ସ୍କୁଲ ପୁଣି ରି-ଓପନ୍‌ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍କିମାଟିକ୍‌ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୬–୨୭ ବଜେଟ୍‌ରେ ୩୧ ହଜାର ୯୯୭ କୋଟି ୨୩ ଲକ୍ଷ ୨୦ ହଜାର ଟଙ୍କା ରହିଛି । ସେଥିରୁ ପ୍ରଶାସନିକ ବ୍ୟୟ ପାଇଁ ୧୬,୧୪୭ କୋଟିରୁ ଅଧିକ ଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୫,୮୪୯ କୋଟିରୁ ଅଧିକ ରହିଛି । ବଜେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି, ସମଗ୍ର ଶିକ୍ଷା ପାଇଁ ୧୧୩୧ କୋଟି ୨୨ ଲକ୍ଷ ୬୨ ହଜାର ରହିଛି ।

ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ୭୦୯ କୋଟି ୧୦ ଲକ୍ଷ ୪୯ ହଜାର ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୧ କୋଟି ୨୨ ଲକ୍ଷ ୫୫ ହଜାର ବ୍ୟୟବରାଦ ହୋଇଛି । ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨୨୩ କୋଟି ୯୮ ଲକ୍ଷ ୩୫ ହଜାର ରହିଛି । ଭିତ୍ତିଭୂମି ଉନ୍ନତି ପାଇଁ ୯୩୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଥିବାବେଳେ ଏଥିରେ ନୂଆ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ଅଛି । ଗୁଣାତ୍ମକ ଶିକ୍ଷା ପାଇଁ ସରକାର ଶିକ୍ଷକ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛନ୍ତି । ଏ ପର୍ଯ୍ୟନ୍ତ ୨୨,୫୦୨ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ଚଳିତ ବର୍ଷ ଆଉ ୨୦ ହଜାର ପଦବି ପୂରଣ ପାଇଁ ଯୋଜନା ରହିଛି । ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ବହି ଦେବା ପାଇଁ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ରାଜ୍ୟର ନବମ ଓ ଦଶମ ଶ୍ରେଣୀର ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ । ତେବେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯାଉଛି । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ତେବେ ପୂର୍ବରୁ ମଧ୍ୟାହ୍ନ ଭୋଜନରେ ମାତ୍ର ୫ଟଙ୍କା ୯୦ ପଇସା ଦିଆଯାଉଥିବା ବେଳେ ଏବେ ୧୧ଟଙ୍କା ୧୫ ପଇସା ପ୍ରାଥମିକ ବିଦ୍ୟାଳୟରେ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୪ଟଙ୍କା ୭୪ ପଇସାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ଉଲ୍ଲେଖ କରିଥିଲେ । ଏହି ଖର୍ଚ୍ଚ ଦାବି ଆଲୋଚନାରେ ବିଜେଡି ଓ କଂଗ୍ରେସ ବିଧାୟକ ଭାଗ ନେଇ ନଥିଲେ । ଏସସିବି ରୋଗୀ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କକ୍ଷତ୍ୟାଗ କରିଥିବାବେଳେ ସରକାରୀ ଦଳ ବିଧାୟକ ବାବୁ ସିଂ ଆଲୋଚନାକୁ ଆରମ୍ଭ କରିଥିଲେ । ଆଲୋଚନାରେ ଶାସକ ଦଳ ସଭ୍ୟ ଦୁଷ୍ମନ୍ତ କୁମାର ସ୍ୱାଇଁ, ଅମର କୁମାର ନାୟକ, ନରସିଂହ ଭ୍ରତ୍ରା, ସନ୍ତୋଷ ଖଟୁଆ, ପ୍ରତାପ ଚନ୍ଦ୍ର ନାୟକ, ରଘୁନାଥ ଜଗଦଲା ପ୍ରମୁଖ ଭାଗ ନେଇଥିବା ବେଳେ କଂଗ୍ରେସରୁ ନିଲମ୍ବିତ ବିଧାୟକ ଦାଶରଥି ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋଷ ଏବଂ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ ।