ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆତ୍ମସାତ୍‌

Published By : Rasmita Pradhan | December 4, 2024 11:42 AM

        ପ୍ରାଚୀନ କାଳରେ ଜଣେ ସାଧୁ ଥିଲେ। ଶୈଶବାବସ୍ଥାରୁ ଏକ ଅଦ୍ଭୁତ ଭାବନା ତାଙ୍କ ମନରେ ଉଦ୍ରେକ ହେଲା- ପ୍ରୟାଗ ତୀର୍ଥର କୁମ୍ଭମେଳାରେ ସେ ଲକ୍ଷେ ସାଧୁସନ୍ଥଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିବେ। ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ପରାମର୍ଶ କ୍ରମେ ତାଙ୍କର ହୃଦ୍‌ବୋଧ ହେଲା ଯେ, ଏତେ ବଡ଼ ଆୟୋଜନ ନିମନ୍ତେ ଅନ୍ତତଃ ଏକଶହ ପଚାଶ ସ୍ୱର୍ଣ୍ଣମୁଦ୍ରା ଆବଶ୍ୟକ ପଡ଼ିବ। ବୟସ ବୃଦ୍ଧି ସହିତ ତାଙ୍କର ସଙ୍କଳ୍ପ କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଲା। ଦାନ ସୂତ୍ରରେ ହେଉ ଅଥବା ନିଜ ପ୍ରୟାସରୁ, ଯାହା କିଛି ମିଳିଲା ତାହା ବିକ୍ରୟ କରି ତଦଲବ୍ଧ ଅର୍ଥରୁ ଗୋଟିଏ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ସଂଗ୍ରହ କରନ୍ତି। ଏହିପରି ଭାବେ ଶହେ ପଚାଶ ସ୍ୱର୍ଣ୍ଣମୁଦ୍ରା ସଂଗ୍ରହ କରିବାରେ ବହୁ ବର୍ଷ ବିତିଗଲା। ସେତେବେଳକୁ ତାଙ୍କର ବୟସ ଅଶିରୁ ଊର୍ଦ୍ଧ୍ୱ। ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିଥିବାରୁ ସେ ଉଲ୍ଲସିତ ହୋଇ ଈଶ୍ୱରଙ୍କୁ ଅଜସ୍ର ଧନ୍ୟବାଦ ଜଣାଇ ପ୍ରଣିପାତ କରି କହିଲେ- ହେ ପ୍ରଭୁ, ଆପଣଙ୍କ ଅପାର କରୁଣାରୁ ମୁଁ ଆବଶ୍ୟକୀୟ ସ୍ୱର୍ଣ୍ଣମୁଦ୍ରା ସଂଗ୍ରହ କରିବାରେ ସମର୍ଥ ହୋଇପାରିଛି। ଏବେ ମୋର ସଙ୍କଳ୍ପ ପୂରଣ ହେବାରେ କିଛି ବାଧା ନାହିଁ। ହେଲେ ଏତେଗୁଡ଼ାଏ ସ୍ୱର୍ଣ୍ଣମୁଦ୍ରା ଧରି ଦୀର୍ଘ ପଥ ଅତିକ୍ରମ କରିବା ନିଶ୍ଚିତ ଭାବେ ବିପଦଜନକ । ଚୋର, ଡକାୟତ ତଥା ଖଳ ପ୍ରକୃତି ଲୋକମାନଙ୍କ ଭୟ ରହିଛି। କିଛି ଗୋଟେ ଉପାୟ କରିବାକୁ ହେବ। ବହୁ ଭାବିଚିନ୍ତି ସାଧୁ ଖୋପ ଥିବା ଗୋଟିଏ ଠେଙ୍ଗା ଭିତରେ ଶହେପଚାଶ ସ୍ୱର୍ଣ୍ଣମୁଦ୍ରା ରଖି ତହିଁର ଅଗ୍ରଭାଗରେ ଜଉମୁଦ ଦେଇଦେଲେ। ବାସ୍‌, ଏଥର ସେ ନିର୍ଭୟରେ, ନିଶ୍ଚିନ୍ତରେ ଯାଇପାରିବେ। 

ଦିନେ ଶୁଭ ମୁହୂର୍ତ୍ତରେ କୁମ୍ଭମେଳା ଉଦ୍ଦେଶ୍ୟରେ ବାହାରି ପଡ଼ିଲେ ସାଧୁ । ହାତରେ ଠେଙ୍ଗା ଆଉ ମୁହଁରେ ହରି ନାମ । ବାଟରେ ଯାଉଥିବା ସମୟରେ ଯୋଉଠି ସନ୍ଧ୍ୟା ହୁଏ ସେଇଠି ରହିଯାନ୍ତି । ଲୋକେ ଆଦର ଅଭ୍ୟର୍ଥନା କରନ୍ତି, ଖାଦ୍ୟପେୟ ଏବଂ ବିଶ୍ରାମର ବ୍ୟବସ୍ଥା କରନ୍ତି । ପରଦିନ ପୁଣି ସେ ଆଗେଇ ଚାଲନ୍ତି ତାଙ୍କ ଗନ୍ତବ୍ୟ ପଥରେ । ଏମିତି କିଛି ଦିନ ଯିବା ପରେ ଦିନେ ସାଧୁ ଗୋଟିଏ ଗାଁରେ ପହଞ୍ଚିଲେ । ସନ୍ଧ୍ୟା ସମୟ । ମନ୍ଦିର ଆଳତି ଓ ଆଧ୍ୟାତ୍ମିକ ଆଲୋଚନା ପରେ ସାଧୁ ସେଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲେ । ଗାଁ ଲୋକେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ତାଙ୍କର ରହିବା ପାଇଁ ବ୍ୟବସ୍ଥା କଲେ । ସେହି ବ୍ୟକ୍ତି ଜଣକ ଧନୀ ହୋଇଥିଲେ ବି ଅତ୍ୟନ୍ତ ଲୋଭୀ ଓ କୃପଣ । ମାତ୍ର ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ବେଳେବେଳେ ସାଧୁସନ୍ଥମାନଙ୍କର ସେବା କରୁଥିଲେ । କାଳେ ସେମାନଙ୍କ ଆଶୀର୍ବାଦରେ ପୁଅଟିଏ ଜନ୍ମ ହେବ । ତେଣୁ ସେ ଓ ତାଙ୍କର ପତ୍ନୀ ଦୁହେଁ ମିଶି ସାଧୁଙ୍କର ଖୁବ୍‌ ଆଦର ସତ୍କାର କଲେ । ଖାଇପିଇ ସାଧୁ ବିଶ୍ରାମ ନେଲେ । କାହିଁକି କେଜାଣି ଧନୀ ବ୍ୟକ୍ତିଙ୍କ ନଜର ସାଧୁଙ୍କର ଠେଙ୍ଗା ଉପରେ ପଡ଼ିଲା । ସେ ଚିନ୍ତା କଲେ ଠେଙ୍ଗାଟି ଏତେ ଚିକ୍କଣ ହୋଇଛି କାହିଁକି । ସାଧୁ ଶୋଇଗଲା ପରେ ଉତ୍ସୁକତାବଶତଃ ଠେଙ୍ଗାଟିକୁ ଏପଟ ସେପଟ କରି ଦେଖିଲେ ଠେଙ୍ଗାର ଅଗ୍ରଭାଗରେ ଜଉମୁଦ ଦିଆଯାଇଛି । ଭିତରେ କିଛି ରଖାଯାଇଛି ବୋଲି ଅନୁମାନ କରି ଜଉମୁଦ ଭାଙ୍ଗି ଠେଙ୍ଗାକୁ ଓଲଟାଇ ଦେବାରୁ ସ୍ୱର୍ଣ୍ଣମୁଦ୍ରାଗୁଡ଼ିକ ବାହାରି ଆସିଲା । ଧନୀକ ଅତ୍ୟନ୍ତ ଆନନ୍ଦିତ ହୋଇ ଏହା ଭଗବାନଙ୍କ ବରଦାନ ବୋଲି ଭାବିଲେ । ପତ୍ନୀଙ୍କ ବାରଣ ସତ୍ତ୍ଵେ ସେ ସ୍ୱର୍ଣ୍ଣମୁଦ୍ରାଗୁଡ଼ିକୁ ରଖିନେଇ ଠେଙ୍ଗା ଭିତରେ ଗୋଡ଼ି ପଥର ଆଦି ଭର୍ତ୍ତିକରି ଜଉମୁଦ ଦେଇଦେଲେ । ପରଦିନ ସାଧୁ ଠେଙ୍ଗାଟି ଧରି ପ୍ରୟାଗ ଅଭିମୁଖେ ଯାତ୍ରା କଲେ । ପ୍ରୟାଗରେ ପହଞ୍ଚି କୁମ୍ଭମେଳା ଉପଲକ୍ଷେ ଏକଲକ୍ଷ ସାଧୁସନ୍ଥଙ୍କୁ ଭୋଜନ ଦେବା ଆୟୋଜନରେ ଲାଗିପଡିଲେ ସାଧୁ । ତାଙ୍କର ବହୁଦିନର ଅଭିଳାଷ ପୂରଣ ହେବାକୁ ଯାଉଥିବାରୁ ସେ ବେଶ୍‌ ଉତ୍ସାହିତ ଥିଲେ । ଆୟୋଜକମାନେ ସାଧୁଙ୍କୁ କିଛି ଅର୍ଥ ଅଗ୍ରିମ ଦେବାପାଇଁ ନିବେଦନ କଲେ । ସାଧୁ- ହଁ, ଦଉଚି ବୋଲି କହି ଏକ ନିର୍ଜନ ସ୍ଥାନକୁ ଯାଇ ସ୍ୱର୍ଣ୍ଣମୁଦ୍ରା ବାହାର କରିବା ପାଇଁ ଜଉମୁଦ ଭାଙ୍ଗି ଠେଙ୍ଗା ଓଲଟାଇ ଦେବାରୁ କେବଳ ଗୋଡ଼ି ପଥର ଆଦି ବାହାରି ଆସିଲା । ସାଧୁଙ୍କ ମୁଣ୍ଡରେ ଯେମିତି ବଜ୍ରପାତ ହେଲା । 

ସେ ମୁଣ୍ଡରେ କରାଘାତ କରି କାନ୍ଦିକାନ୍ଦି କହିଲେ- ହେ ପ୍ରଭୁ, ଏ କ’ଣ କଲ । ମୋର ଏତେ ବର୍ଷର ସଞ୍ଚିତ ଧନକୁ ଗୋଡ଼ି ପଥର କରିଦେଲ । ମୋର ଏତେବର୍ଷର ସାଧନା ପଣ୍ଡ କରିଦେଲ! ସେପଟେ ଲକ୍ଷେ ସାଧୁସନ୍ଥଙ୍କ ଭୋଜନ ପାଇଁ ଆୟୋଜନ ହେଉଛି । ଏବେ ମୁଁ ଅର୍ଥ ଆଣିବି କୋଉଠୁ । କାହାକୁ ଆଉ ମୁହଁ ଦେଖାଇବି । ଆତ୍ମହତ୍ୟା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ଏହା କହି ସେ ପ୍ରୟାଗ ତୀର୍ଥରେ ଝାସ ଦେଲେ । ଏପଟେ ଯୋଉ ଧନୀବ୍ୟକ୍ତି ସାଧୁଙ୍କ ସ୍ୱର୍ଣ୍ଣମୁଦ୍ରା ସବୁ ଆତ୍ମସାତ୍‌ କରିଥିଲା, ତାଙ୍କ ସ୍ତ୍ରୀ ଗର୍ଭବତୀ ହୋଇ ଯଥାସମୟରେ ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଉଭୟ ସ୍ୱାମୀ-ସ୍ତ୍ରୀ ଆନନ୍ଦରେ ବିଭୋର ହୋଇ କହିଲେ- ଯାହାହେଉ ଭଗବାନ ଏତେଦିନ ପରେ ଆମ ଡାକ ଶୁଣିଲେ । ବହୁ ଆଦର ଯତ୍ନରେ ପିଲାଟିକୁ ବଢ଼ାଇଲେ । ପ୍ରାଣଠୁଁ ଅଧିକ ଭଲପାଉଥିଲେ ତାକୁ । ଯେତେବେଳେ ପୁଅକୁ ଅଠର ବର୍ଷ ହେଲା ଦିନେ ସେ କହିଲା- ବାପା, ପ୍ରୟାଗ କୁମ୍ଭମେଳାରେ ମୁଁ ଲକ୍ଷେ ସାଧୁସନ୍ଥଙ୍କୁ ଖାଇବାକୁ ଦେଇ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ଦେବାପାଇଁ ମନସ୍ଥ କରିଛି । ବାପା କହିଲେ- ଏତେ ଧନ ପାଇବି କାହୁଁ । ମାଆ କହିଲା- ଆମର ଏକୋଇର ବଳା ବିଶି କେଶନ । ପୁଅ ମନରେ କଷ୍ଟ ଦିଅନି । ସେ ଯାହା ଚାହୁଁଚି, ତାହା କର । ଆମର ଯାହା ସମ୍ପତ୍ତି ଅଛି ସବୁ ତ ତାର, ଆମେ କାହିଁକି ତା’ ଇଚ୍ଛାରେ ବାଧକ ସାଜିବା । 

ଶେଷରେ ବାପା ରାଜି ହେଲେ । ବାପା, ମାଆ ଓ ପୁଅ ସମସ୍ତେ ମିଶି କୁମ୍ଭମେଳାକୁ ବାହାରିଲେ । କୁମ୍ଭମେଳାରେ ଲକ୍ଷେ ସାଧୁସନ୍ଥଙ୍କୁ ଭୁରିଭୋଜନ ସହିତ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ଦିଆଗଲା । ଦାନ କାର୍ଯ୍ୟ ସରିବା ପରେ ହଠାତ୍‌ ପୁଅ ଅସୁସ୍ଥ ହୋଇପଡ଼ିଲା । କହିଲା- ମୁଣ୍ଡରେ ଭୀଷଣ ଯନ୍ତ୍ରଣା । ବାପାମାଆ ଡାକ୍ତର ଡାକିବାକୁ ଚାହିଁବାରୁ ପୁଅ ମନା କରି କହିଲା- ଯନ୍ତ୍ରଣା ଉପଶମ ହେବ, ଯଦି ତମେ ସତ କହିବ । ତା’ପରେ ବାପାଙ୍କୁ ପଚାରିଲା- ବାପା, ଜଣେ ସାଧୁଙ୍କଠାରୁ ତମେ ଶହେପଚାଶଟି ସ୍ୱର୍ଣ୍ଣମୁଦ୍ରା ଆତ୍ମସାତ୍‌ କରିଥିଲ କି । ବାପା କହିଲେ- ହଁ । ପୁଅ କହିଲା- ମୁଁ ହିଁ ସେହି ସାଧୁ । ପୂର୍ବଜନ୍ମରେ କରିଥିବା ସଙ୍କଳ୍ପ ଏ ଜନ୍ମରେ ପୂରଣ ହେଲା । ଯେତିକି ଆତ୍ମସାତ୍‌ କରିଥିଲ ତାର ବହୁଗୁଣିତ ଅର୍ଥ ତମକୁ ଶ୍ରାଦ୍ଧ କରିବାକୁ ପଡ଼ିଲା । ଏବେ କୁହ ତମର ସବୁଠୁ ପ୍ରିୟ ବ୍ୟକ୍ତି କିଏ । ଉଭୟ ବାପା ମାଆ କହିଲେ- ତୁ ଆମ ଗେହ୍ଲା ପୁଅ । ତୁ ହିଁ ଆମର ସବୁଠୁ ପ୍ରିୟ । ପୁଅ କହିଲା- ଈଶ୍ୱର ବିଚାର କରନ୍ତି । ଦଣ୍ଡ ବି ଦିଅନ୍ତି । ବ୍ରାହ୍ମଣ ଏବଂ ସାଧୁସନ୍ଥଙ୍କ ଧନ ସମ୍ପତ୍ତି ଆତ୍ମସାତ୍‌ କରିବାଠାରୁ ବଳି ପାପ ଆଉ କିଛି ନାହିଁ । ସେଥିପାଇଁ ବଂଶ ମଧ୍ୟ ନାଶ ହୋଇଯାଏ । କରିଥିବା ପାପକର୍ମ ପାଇଁ ତମ ପ୍ରିୟ ପୁତ୍ରର ଅକାଳ ବିୟୋଗ ନିଶ୍ଚିତ । ଏହା କହି ସେ ମୁଣ୍ଡକୁ ଦୁଇ ହାତରେ ଚାପିଧରି ଟଳିପଡ଼ିଲା । ହା ପୁତ୍ର! ବୋଲି ଚିତ୍କାର କରି ବାପମାଆ ଦୁହେଁ ପୁଅର ନିଷ୍ପ୍ରାଣ ଶରୀର ଉପରେ ଲୋଟି ପଡ଼ିଲେ!

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.