PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଚତୁର୍ଥ ଦିନିକିଆ: ବାଉଲ୍ଟଙ୍କ ଘାତକ ବୋଲିଂ: ୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ, ୩୧ା୧(ଏଜେନ୍ସି): ଚଳିତ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପ୍ରଥମ ୩ଟି ଦିନିକିଆ ଜିତି ସିରିଜ ହାତେଇ ସାରିଥିବା ଭାରତ ଆଜି ଅନୁଷ୍ଠିତ ଚତୁର୍ଥ ମ୍ୟାଚ୍‌ରେ ଲଜ୍ଜା ଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିନପାରି ଦଳ ୩୦.୫ ଓଭରରେ ମାତ୍ର ୯୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୪.୪ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା ।
ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ ୫-୦ରେ ଜିତିବାର ଅଭିଳାଷ ରଖିଥିବା ଭାରତୀୟ ଦଳର ସ୍ୱପ୍ନ ପରାଜୟ ସହ ଧୂଳିସାତ୍‌ ହୋଇଯାଇଥିଲା । ପିଚ୍‌ରେ ବଲ୍‌ ସୁଇଂ ହେଲେ ଟ୍ରେଣ୍ଟ ବାଉଲ୍ଟଙ୍କୁ ଖେଳିବା ସର୍ବଦା ଅସମ୍ଭବ ହୋଇଯାଏ । ପୂର୍ବରୁ ମଧ୍ୟ ବାଉଲ୍ଟଙ୍କ ଠାରୁ ଏଭଳି ପ୍ରଦର୍ଶନ ଦେଖିବାକୁ ମିଳି ସାରିଛି । ସେଡନ ପାର୍କରେ ପିଚ୍‌ର ଭରପୁର ଫାଇଦା ଉଠାଇବାରେ ଆଜି ବାଉଲ୍ଟ ସଫଳ ହୋଇଥିଲେ । ୨୧ରନ୍‌ ବିନିମୟରେ ୫ଟି ୱିକେଟ୍‌ ନେଇ ସେ ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
ଭାରତର ବ୍ୟାଟିଂ ବିଫଳତା ୨୦୧୭ରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଧର୍ମଶାଳା ଦିନିକିଆକୁ ମନେ ପକାଇ ଦେଇଥିଲା । ସେହି ମ୍ୟାଚ୍‌ରେ ସୁରଙ୍ଗା ଲାକମଲଙ୍କ ମୁକାବିଲା କରିନପାରି ଭାରତ ୧୧୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଆଜିର ମ୍ୟାଚ୍‌ରେ ଭାରତ ସମଦଶା ଭୋଗିଥିଲା ।
ସେଡନ ପାର୍କରେ ବଲ୍‌ ଆଶାଠୁ ଅଧିକ ସୁଇଂ କରିବା ନିଶ୍ଚିତ ଥିଲା । ଟସ୍‌ ଜିତିବା ମାତ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ ଉତ୍ସାହିତ ହୋଇ ପଡ଼ିଥିଲେ । ସେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ବାଉଲ୍ଟ ସହଳ ଉଭୟ ଓପନର ରୋହିତ ଶର୍ମା(୧୩), ଶିଖର ଧାୱନ(୧୩)ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଶୁଭମନ ଗିଲ୍‌ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟରେ ଭାରତ ଆଉ ୨ଟି ୱିକେଟ୍‌ ହରାଇଥିଲା । କଲିନ ଡି ଗ୍ରାଣ୍ଡହୋମ୍‌ଙ୍କ ବଲ୍‌ରେ ଉଭୟ ଅମ୍ବାତି ରାୟୁଡୁ ଓ ଦିନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ।
ପରେ ପରେ ଭାରତ ଗିଲ୍‌(୯) ଓ କେଦାର ଯାଦବ(୧)ଙ୍କ ୱିକେଟ୍‌ ହରାଇଥିଲା । ଉଭୟଙ୍କୁ ବାଉଲ୍ଟ ଆଉଟ୍‌ କରିଥିଲେ । ଭୁବନେଶ୍ୱର କୁମାର(୧)ଙ୍କୁ ଗ୍ରାଣ୍ଡହୋମ୍‌ ପାଭିଲିୟନ ପଠାଇଥିଲେ । ୪୦ ରନ୍‌ରେ ଭାରତ ୭ଟି ୱିକେଟ୍‌ ହରାଇ ସାରିଥିଲା । ଦିନିକିଆ କ୍ରିକେଟ୍‌ରେ ଭାରତ ପୂର୍ବ ସର୍ବନିମ୍ନ ରେକର୍ଡ(୫୪, ଶ୍ରୀଲଙ୍କା ବିପକ୍ଷରେ) ଭଙ୍ଗ କରିବା ଆଶଙ୍କା ସୃଷ୍ଟି ହୋଇଥିଲା । ଅନ୍ତିମ ଭାଗରେ କୁଲଦୀପ ଯାଦବ(୧୫), ହାର୍ଦ୍ଦିକ ପାଣ୍ଡ୍ୟା(୧୬) ଓ ୟୁଝବେନ୍ଦ୍ର ଚହଲ(୧୮ଞ୍ଚ) କିଛି ରନ୍‌ ସଂଗ୍ରହ କରିବାରୁ ଭାରତର ସ୍କୋର ୯୨ରେ ପହଞ୍ଚିଥିଲା । ବାଉଲ୍ଟ ୫ଟି ଓ ଗ୍ରାଣ୍ଡହୋମ୍‌ ୩ଟି ୱିକେଟ୍‌ ନେଇଥିଲେ ।
୯୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଓପନର ମାର୍ଟିନ ଗୁପତିଲ ପ୍ରଥମ ୩ଟି ବଲ୍‌ରେ ୧୪(୨ଚୌକା, ୧ଛକା) ରନ୍‌ ସଂଗ୍ରହ କରିଥିଲେ । ଚତୁର୍ଥ ବଲ୍‌ରେ ଭୁବନେଶ୍ୱର କୁମାର ତାଙ୍କୁ ଆଉଟ କରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ କେନ ୱିଲାମସନ ୧୧ ରନ୍‌ କରି ଭୁବନେଶ୍ୱରଙ୍କ ଦ୍ୱିତୀୟ ଶୀକାର ସାଜିଥିଲେ । ଅନ୍ୟ ଓପନର ହେନରୀ ନିକୋଲାସ ଓ ରସ ଟେଲର ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ନିକୋଲାସ ୩୦ ଓ ଟେଲର ୩୭ ରନ୍‌ କରିଥିଲେ । ୨୧୨ଟି ବଲ୍‌ ବାକି ଥାଇ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା ।

ସମ୍ବନ୍ଧିତ ଖବର