ଚିକିଟି, ୧୦।୩ : ରାମେୟାପାଟଣା ଗ୍ରାମବାସୀ  ମୁହାଣ ଖୋଳିଲେ,  କତୁରୁ ନୂଆଗାଁ ଗ୍ରାମବାସୀ ପୋତିଲେ । ନୂଆଁ ମୁହାଣ ଖୋଳା ଓ ପୋତାକୁ ନେଇ ଉଗ୍ର ହେଲା ବିବାଦ । ଯାହାକୁ ନେଇ ଆରମ୍ଭ ହୋଇଥିଲା ମୁହାଁମୁହିଁ  ପରିସ୍ଥିତି। ଏଥିରେ  ୫ ଜଣ ଆହତ ହୋଇଛନ୍ତି। ଏପରିକି ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ରାମେୟା ପାଟଣା ଗ୍ରାମବାସୀ  କତୁରୁ ମୌଜାରେ ଥିବା ସର୍ବସାଧାରଣ ଜମିକୁ ଜବରଦସ୍ତିକରି ବଡନାଳ ସହ ସମୁଦ୍ରକୁ ଏକ ନୂଆଁ ମୁହାଁଣ ଖୋଳି ଥିଲେ। କତୁରୁ ଗ୍ରାମର ବିଶେଷ କ୍ଷତି ହେବା ଆଶଙ୍କାରେ କତୁରୁ ଗ୍ରାମବାସୀ ଏକଜୁଟ ହୋଇ ନୂଆ ଭାବେ ଖୋଳାଯାଇଥିବା ମୁହାଁଣକୁ ପୋତି ଦେଇଥିଲେ । ଏହାକୁ ନେଇ  କତୁରୁ ଓ ରାମେୟାପାଟଣା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା।  

ପରିସ୍ଥିତିକୁ ନିୟନ୍ତ୍ରଣ କରି ସମାଧାନର ପନ୍ଥା ବାହାର କରିବା ପାଇଁ  କତୁରୁ ଗ୍ରାମରେ ପହଞ୍ଚିଥିଲା ପ୍ରଶାସନ। ଚିକିଟି ବିଡ଼ିଓ, ତହସିଲଦାର ଓ ଗୋଲନ୍ଥରା ଥାନା ଅଧିକାରୀ ସଦଳେ ବଳେ କତୁରୁ ଗ୍ରାମରେ ପହଞ୍ଚି ଆଲୋଚନା କରି ଥିଲେ।  ଏହି ସମୟରେ ରାମେୟପାଟଣା ଗ୍ରାମବାସୀ ବିଭିନ୍ନ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ।   ଢେଲା,ପଥର, ବିୟର ବୋତଲ ମାଡ଼ କରିବା ସହ କାତି, ଖଣ୍ଡା ବୁଲିଥିଲା । ଏଥିରେ କତୁରୁ ଗ୍ରାମରେ ୫ ଜଣ ଗୁରୁତର ହୋଇଥିଲେ।   ଅନେକ ଆହତ ହୋଇଥିବା ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଉଭୟ ଗ୍ରାମରେ ଏବେ ଚାପା ଉତ୍ତେଜନା ଦେଖାଦେଇଛି।