ନିଶାଦିଆ ଲୁଟେରାଙ୍କ ଉତ୍ପାତ: ୩ ଦିନରେ ୫ ଜଣଙ୍କୁ ଲୁଟିଲେ

ଭୁବନେଶ୍ୱର,୩୧ ।୧(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନରେ ନିଶାଦିଆ ଲୁଟେରା ଉôପାତ ଚଳାଇଛନ୍ତି । ୩ ଦିନ ଭିତରେ ୫ ଜଣଙ୍କୁ ଲୁଟ୍ପାଟ କରି ସେମାନଙ୍କୁ ରାସ୍ତା କଡ଼ରେ ଫିଙ୍ଗି ପଳାଇଛନ୍ତି । ବାରମ୍ବାର ରେଳଷ୍ଟେସନରୁ ଲୁଟ୍ପାଟ ହେଉଥିଲେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବାରୁ ନିଶାଦିଆ ଲୁଟେରାଙ୍କ ଉôପାତ ବଢ଼ି ବଢ଼ି ଚାଲିଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ବିଗତ ୩ ଦିନ ଭିତରେ ନିଶାଦିଆ ଲୁଟେରା ୫ ଜଣ ରେଳଯାତ୍ରୀଙ୍କୁ ନିଶାଦେଇ ଲୁଟିଛନ୍ତି । ବାଲେଶ୍ୱରର କରୁଣାକର ସିଂହ(୨୨) ହାଇଦ୍ରାବାଦରୁ ଆସି ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ଚା’ରେ ନିଶାଦେଇ ଲୁଟେରାମାନେ ତାଙ୍କଠାରୁ ୨୫ଶହ ଟଙ୍କା, ମୋବାଇଲ୍ ଫୋନ୍ ଓ ଲଗେଜ୍ ଲୁଟି ନେଇଥିଲେ । ପଟିଆ ବିଗ୍ ବଜାର ନିକଟରୁ ତାଙ୍କୁ ପିସିଆର ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି ବୁଧବାର ସକାଳେ ଅନୁଗୋଳର ରାଜା ସାହୁ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ୩ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ହରାଇଥିଲେ । ମଙ୍ଗଳବାର ତାମିଲ୍ନାଡ଼ୁରେ କାମ କରୁଥିବା ଗଞ୍ଜାମ ଆସ୍କାର ବିଚିତ୍ର ସେଠୀ(୩୧)
ଓ ନବରଙ୍ଗପୁର ଝରିଗାଁର ମହେଶ୍ୱର ମାଝି(୨୫) ଭୁବନେଶ୍ୱର ଷ୍ଟେସନରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସର୍ବସ୍ୱ ହରାଇଥିଲେ । ସୋମବାର ଯାଜପୁର ବରୀର ସଂଗ୍ରାମ କେଶରୀ ପତି(୩୦) ଭୁବନେଶ୍ୱର ରେଳ ଷ୍ଟେସନରେ ଲୁଟ୍ର ଶିକାର ହୋଇଥିଲେ । ଲୁଟ୍ର ଶିକାର ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ‘ସହାୟ’ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଚିକିତ୍ସାରେ ସହଯୋଗ କରିବା ସହ ସେମାନଙ୍କ ପରିବାର ଲୋକଙ୍କ ହେପାଜତରେ ଦେଇଥିଲେ ।