ଛତିଶଗଡ଼, ୨୦।୨: କେରେଗୁଟ୍ଟା ଜଙ୍ଗଲରେ ଯବାନଙ୍କୁ ବଡ଼ ସଫଳତା । ଛତିଶଗଡ଼ ସୀମାନ୍ତ ବିଜାପୁରରେ ଏନକାଉଣ୍ଟର । ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାନ୍ତ ମୁଲୁଗୁ ଜିଲ୍ଲାର କେରେଗୁଟ୍ଟାଲୁ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା କେରେଗୁଟ୍ଟାଲୁ ପାହାଡ଼ିଆ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ‘ଅପରେସନ କାଗାର-୨’ ଅଧୀନରେ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ CRPF, କୋବ୍ରା (CoBRA), ଗ୍ରେହାଉଣ୍ଡସ୍ ଏବଂ DRGର ପ୍ରାୟ ୫ ହଜାର ସୁରକ୍ଷାକର୍ମୀ ସାମିଲ ହୋଇଥିଲେ । ଭୋର ସମୟରେ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଟିମ୍ ଓ ମାଓବାଦୀ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା ।
ଏହା ବି ପଢ଼ନ୍ତୁ... ଭାରତରେ ତିଆରି ହେବ ଫ୍ରାନ୍ସ ରାଫେଲ; ବାଟ ଛାଡିଲେ ରାଷ୍ଟ୍ରପତି ମାକ୍ରନ, ଦୁଇଦେଶ ମଧ୍ୟରେ ବଡ଼ ଚୁକ୍ତି
ସୁରକ୍ଷା ବାହିନୀର କବଜାରେ ମାଓ ସାମଗ୍ରୀ:
ଘଟଣାସ୍ଥଳରୁ ସୁରକ୍ଷା ବାହିନୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି । ନିହତ ମାଓବାଦୀମାନେ ମାଓ ସଂଗଠନର ଏରିଆ କମିଟିର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୁପ୍ତ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଦେବଜୀ, ମାଲା ରାଜି ରେଡ୍ଡୀ ଏବଂ ବରିଷ୍ଠ ନେତା ବଡେ ଚୋକ୍କାରାମ ଓରଫ ଦାମୋଦର ଲୁଚି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।
ସାମାଜିକ ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ୱାନ:
ଅନ୍ୟପଟେ ବରିଷ୍ଠ ପୁଲିସ ଅଧିକାରୀମାନେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଥଇଥାନ ସୁବିଧାର ସୁଯୋଗ ନେଇ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଆହ୍ୱାନ ଦେଇଛି ।