ନୂଆଦିଲ୍ଲୀ,୨୦/୦୨; ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ସମୟରେ ଗୁରୁବାର ଭାରତ-ଫ୍ରାନ୍ସ ରାଫେଲ ଲଢ଼ୁଆ ବିମାନ ବୁଝାମଣା ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି । ଏହି ବୁଝାମଣାକୁ ସେ ସମର୍ଥନ କରିବା ସହ ଦୁଇ ଦେଶ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ସଂପର୍କରେ ଗୁରୁତ୍ୱାରୋପ କରିଛନ୍ତି । ଏବେ ଭାରତରେ ତିଆରି ହେବ ଫ୍ରାନ୍ସ ରାଫେଲ । ରାସ୍ତା ସଫା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ।

ମାକ୍ରନ୍ କହିଛନ୍ତି, ଏହାଯୋଗୁ ଭାରତର ସାମରିକ କ୍ଷମତା ମଜଭୁତ ହେବ । ଦୁଇ ଦେଶ ମଧ୍ୟରେ ରଣନୈତିକ ସଂପର୍କ ଗଭୀର ହେବ । ଭାରତରେ ନିଯୁକ୍ତିର ଅବସର ବି ବଢ଼ିବ । ତେଣୁ ଏହାକୁ କାହିଁକି ବିରୋଧ ହେଉଛି ତାହା ଜାଣିନି । ୧୧୪ଟି ରାଫେଲ ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟର ପ୍ରସ୍ତାବିତ ମେଗା ଡିଲ୍‌କୁ ସମର୍ଥନ କରି ସେ ଆହୁରି କହିଥିଲେ ଯେ, ଏହି ବୁଝାମଣା କେବଳ ଅସ୍ତ୍ରଶସ୍ତ୍ର କିଣିବା ନୁହେଁ, ବରଂ ଦୀର୍ଘକାଳୀନ ରଣନୈତିକ ସହଭାଗିତାର ଅଂଶବିଶେଷ । ବ୍ୟାବସାୟିକ ଦିଗ ନେଇ ଦାସଲ୍ଟ ଆଭିଏସନ୍ ଏବଂ ଭାରତ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛି । କିନ୍ତୁ ବିମାନର ଅଧିକତମ ନିର୍ମାଣ ଭାରତରେ ହେବା ଏବଂ ଭାରତୀୟ କମ୍ପାନିଙ୍କ ଭାଗିଦାରୀ ବଢ଼ିବାକୁ ଫ୍ରାନ୍ସ ପ୍ରତିବଦ୍ଧ ।

ଏହା ବି ପଢନ୍ତୁ...ଏପ୍ରିଲରୁ ସମଗ୍ର ଦେଶରେ ଏସ୍ଆଇଆର୍, ପ୍ରସ୍ତୁତି ସାରିବାକୁ ସମସ୍ତ ରାଜ୍ୟ ସିଇଓମାନଙ୍କୁ ନିର୍ଦ୍ଦେଶ

ଭାରତ ଏବେ କେବଳ କ୍ରେତା ହୋଇ ରହିବାକୁ ଚାହୁଁନାହିଁ, ବରଂ ସହ-ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣାରେ ବଡ଼ ଭୂମିକା ଚାହୁଁଛି ଯାହାକି ସଂପୂର୍ଣ୍ଣ ଠିକ୍ । ଆଗାମୀ ଦଶନ୍ଧିରେ ବିଶେଷକରି ୨୦୪୦-୫୦ ଯାଏ ଭାରତକୁ ଉନ୍ନତ ଲଢ଼ୁଆ ବିମାନର ଆହୁରି ଅଧିକ ଆବଶ୍ୟକତା ରହିବ । ତେଣୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବୁଝାମଣା କରାଯାଉଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଚଳିତମାସରେ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ବିନିମୟରେ ୧୧୪ଟି ରାଫେଲ ବିମାନ କିଣିବାକୁ ମଞ୍ଜୁରି ଦେଇଥିଲା । ସେହି ପରିପ୍ରେକ୍ଷୀରେ ମାକ୍ରନ୍ଙ୍କର ଏଭଳି ବୟାନ ସାମ୍ନାକୁ ଆସିଛି ।