୫ ନମ୍ବର ଡ୍ରେନ ପୁନଃ ନିର୍ମାଣ ବିଳମ୍ବିତ, ୫ ମାସ ପରେ ଘରେ ପଶିବ ନର୍ଦ୍ଦମା ଜଳ

ଉତ୍ତର ଭୁବନେଶ୍ୱର,୩ା୨(ଆ.ପ୍ର.): ମୌସୁମୀ ବିଦାୟ ନେବାର ତିନିମାସ ଟପିଲାଣି । ତଥାପି ଆରମ୍ଭ ହେଲାନାହିଁ ଭୂମିଅଧିଗ୍ରହଣ । ମୌସୁମୀ ପୁଣି ଆସିବାକୁ ପାଞ୍ଚ ମାସ ଅଛି । କେବେ ଭୂମି ଅଧିଗ୍ରହଣ,କେବେ ପାଞ୍ଚନମ୍ବର ଡ୍ରେନ ପୁନଃ ନିର୍ମାଣ? ଏ ନେଇ ଲକ୍ଷ୍ମୀସାଗର ଅଧିବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ମହାନଗର ନିଗମ କମିସନର ଏବଂ ପଦାଧିକାରୀ ୨୦୧୯ ବର୍ଷାଋତୁ ପୂର୍ବରୁ ପାଞ୍ଚ ନମ୍ବର ଡ୍ରେନ ପୁନଃ ନିର୍ମାଣ କାମ ସରିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କାମ ଏ ଯାଏ ଆରମ୍ଭ ହୋଇ ନାହିଁ । ଗଲାବର୍ଷ ପରି ଏବର୍ଷ ବି ଘରେ ବର୍ଷା ଓ ନର୍ଦ୍ଦମା ପାଣି ପଶିବ ବୋଲି ଏବେଠୁ ଜଳଜଳ କରି ଦେଖାଗଲାଣି ।
ଲକ୍ଷ୍ମୀସାଗର ବାସିନ୍ଦାଙ୍କ ପାଇଁ ସବୁ ବର୍ଷ ପାଞ୍ଚନମ୍ବର ଡ୍ରେନଦୁଃଖ ଆଣୁଛି । ଏହି ଡ୍ରେନ କ୍ରମଶଃ ସଙ୍କୁଚିତ ହୋଇପଡୁଥିବାରୁ ଉଦ୍ବୃତ୍ତ ବର୍ଷା ଜଳ ଘରେ ପଶି ଲୋକଙ୍କୁ ହିନସ୍ତା କରୁଛି । ଲକ୍ଷ୍ମୀସାଗର ବାସିନ୍ଦା ଭୁବନେଶ୍ୱର ମହାନଗର ନିଗମର କମିସନର, ମେୟରଙ୍କୁ ବାରମ୍ବାର ଭେଟି ଏହାର ସ୍ଥାୟି ସମାଧାନ ପାଇଁ ଦାବି କରି ଆସୁଛନ୍ତି । ଗତ ବର୍ଷାଋୁତୁରେ ମହାନଗର ନିଗମର କମିସନର ବିଭାଗୀୟ ପଦାଧିକାରୀଙ୍କୁ ଧରି ୟୁନିଟ-୩ ଗୁରୁଦ୍ୱାର ଠାରୁ ଗଙ୍ଗୁଆ ଯାଏ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାର କିଛି ଦିନ ପରେ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଆରମ୍ଭ ହୋଇଥିଲା । ଏହା ଦେଖି ଲକ୍ଷ୍ମୀସାଗର ଅଞ୍ଚଳବାସୀ ଖୁସି ପ୍ରକଟ କରିଥିଲେ । କିନ୍ତୁ ପାଞ୍ଚ ନମ୍ବର ଡ୍ରେନ ପୁନଃ ନିର୍ମାଣ କାର୍ଯ୍ୟ ବିଳମ୍ବିତ ଯୋଗୁ ଏବେ ଲକ୍ଷ୍ମୀସାଗର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ବର୍ଷାଋୁତୁରେ ଡ୍ରେନର ଅନେକ ସ୍ଥାନରେ ବନ୍ଧଭାଙ୍ଗି ଯିବା ଯୋଗୁ ବାଲିବସ୍ତା ପକାଯାଇ ଅସ୍ଥାୟୀ ସମାଧାନ କରାଯାଇଥିଲା । ମୌସୁମୀ ଆସିବା ପୂର୍ବରୁ ଯଦି ପଙ୍କଉଦ୍ଧାର କାର୍ଯ୍ୟ ସହ ଡ୍ରେନର ବାଡା ବା ବନ୍ଧ ନିର୍ମାଣ ନ କରାଯାଏ ତେବେ ପାଞ୍ଚ ମାସ ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ । ଡ୍ରେନ, ନର୍ଦ୍ଦମାର କିଛି କିଛି ସ୍ଥାନରେ ଗଛ ଉଠିବା ସହ କୁଢକୁଢ ଅଳିଆ ଗଦା ହୋଇଛି । ଏହି କାରଣରୁ ଜଳ ନିଷ୍କାସନ ପଥ ଅତି ସଙ୍କୁଚିତ ହୋଇପଡ଼ିଛି । ଏବେ ବି ସମୟ ଅଛି ‘ବେଳ ଥାଉଥାଉ ବନ୍ଧ ବାନ୍ଧିପକାଅ’ ଆପ୍ତବାକ୍ୟ ପରି ତୁରନ୍ତ ପାଞ୍ଚ ନମ୍ବର ଡ୍ରେନ ପୁନଃ ନିର୍ମାଣ କାର୍ଯ୍ୟ ଆଗେଇ ନେବା ଦିଗରେ ମହାନଗର ନିଗମର ନୂତନ କମିସନର ଦୃଷ୍ଟିଦେବାକୁ ଲକ୍ଷ୍ମୀସାଗର ଅଞ୍ଚଳବାସୀ ଦାବି କରିଛନ୍ତି ।