ମେଡାଲ ହରାଇବେ ମମତାଙ୍କ ସହ ଧାରଣାରେ ବସିଥିବା ୫ ପୁଲିସ ଅଫିସର

ନୂଆଦିଲ୍ଲୀ,୭ ।୨(ଏଜେନ୍ସି): ଚଳିତ ସପ୍ତାହରେ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧାରଣାରେ ବସିଥିବା ରାଜ୍ୟର ୫ ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି । ଏଥିସହ ସେହି ପୁଲିସ ଅଫିସର ସର୍ବଭାରତୀୟ ସେବା ଆଇନର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ମେଡାଲ ପ୍ରତ୍ୟାହାର କରିନେବାକୁ ମଧ୍ୟ ମନ୍ତ୍ରଣାଳୟ ଯୋଜନା କରୁଛି । ଏହି ଅଫିସରଙ୍କୁ ଡେପୁଟେସନ ତାଲିକାରୁ ବାଦ୍ ଦେବା ସହିତ ସେମାନଙ୍କୁ କିଛି ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଉପରେ ରୋକ୍ ଲଗାଯିବାର ସମ୍ଭାବନା ରହିଛି । ଏହି ପୁଲିସ ଅଫିସରଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ପୁଲିସ ଡିଜି ବୀରେନ୍ଦ୍ର, ଏଡିଜି ବିନୀତ କୁମାର ଗୋୟଲ, ଏଆଇଜି ଅନୁଜ ଶର୍ମା, ବିଧାନନଗର ପୁଲିସ କମିଶନର ଜ୍ଞାନୱନ୍ତ ସିଂହ ଏବଂ ଏସିପି ସୁପ୍ରତିମ ଡରକାର । ସାରଦା ଚିଟ୍ଫଣ୍ଡ ମାମଲାରେ ସିବିଆଇ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି ପ୍ରୟାସ କରିବା ଘଟଣାର ପ୍ରତିବାଦରେ ଗତ ୩ ତାରିଖରୁ ମମତା ଧାରଣା ଦେଇଥିଲେ । ତେବେ କୁମାରଙ୍କୁ ଗିରଫ ନକରିବାକୁ ସୁପ୍ରିମକୋର୍ଟ ସିବିଆଇକୁ କହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ମମତା ଧାରଣା ପ୍ରତ୍ୟାହାର କରିଥିଲେ । ସେହିଭଳି ପୁଲିସ ଅଫିସରମାନେ ଯେଭଳି ସର୍ବଭାରତୀୟ ସେବା ଆଇନ ଓ ମର୍ଯ୍ୟାଦା ମାନିବେ ତାହା ସୁନିଶ୍ଚିତ କରାଇବା ଲାଗି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିବେ ବୋଲି ଜଣାପଡିଛି ।