PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଶକ୍ତି ବିଭାଗରେ ୫-ଟି ବ୍ୟବସ୍ଥା : ୪୮ ଘଣ୍ଟାରେ ବିଦ୍ୟୁତ୍‌ ସଂଯୋଗ, ଅନଲାଇନରେ ଆବେଦନ ଓ ଅଭିଯୋଗ

ଭୁବନେଶ୍ୱର,୧୯।୮: ବିଜୁଳି ସଂଯୋଗ ଆବେଦନ ହେଉ କି ବିଦ୍ୟୁତ ଯୋଗାଣଜନିତ ସମସ୍ୟା, ଆଉ ବାରମ୍ବାର ସରକାରୀ ଦପ୍ତର ଚକ୍କର କାଟିବାକୁ ପଡ଼ିବନି । ଘରେ ବସି ଅନଲାଇନ୍‌ରେ ପାଇବେ ସବୁ ସୁବିଧା ଓ ସେବା । ଅନଲାଇନରେ ଆବେଦନ କରିବାର ୪୮ ଘଣ୍ଟା ଭିତରେ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ । ବିଦ୍ୟୁତ ଭିତ୍ତିଭୂମି ଥିବା ଅଞ୍ଚଳରେ ହିଁ ଘରୋଇ ଉପଭୋକ୍ତା ଓ ୫ କିଲୋୱାଟ୍‌ ପର୍ଯ୍ୟନ୍ତ ଅଣୁ ଉଦ୍ୟୋଗ ଉପଭୋକ୍ତାଙ୍କୁ ୪୮ ଘଣ୍ଟା ଭିତରେ ମିଳିପାରିବ ବିଦ୍ୟୁତ୍‌ ସଂଯୋଗ । ଏଥିପାଇଁ ଶକ୍ତି ବିଭାଗ ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣୁଛି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କିତ ତଥ୍ୟ ଜଣାପଡ଼ିଛି । ୫-ଟି ସିଦ୍ଧାନ୍ତ କାର୍ଯ୍ୟକାରୀ କରାଇବା ଦିଗରେ ଶକ୍ତି ବିଭାଗ ଆଉ ପାଦେ ଆଗେଇଛି । ବିଜୁଳି ସଂଯୋଗ ଓ ବିଦ୍ୟୁତ୍‌ ସେବା ସମ୍ପର୍କିତ ସମସ୍ତ କାର୍ଯ୍ୟ ଖୁବଶୀଘ୍ର ଅନଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ ।
ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଏହି ପୋର୍ଟାଲ ବାବଦରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ବୈଠକରେ । ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ, ପୋର୍ଟାଲର ବିଭିନ୍ନ ଦିଗକୁ ବିଚାର କରି ସାଧାରଣ ଲୋକଙ୍କ ପାଇଁ ଏହାକୁ ଅଧିକ ସରଳ ଓ ସୁଗମ କରିବାକୁ ହେବ । ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଏହି ପୋର୍ଟାଲକୁ ସାଧାରଣ ଉପଭୋକ୍ତା ବ୍ୟବହାର କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ସେବା ଯୋଗାଇବା ପାଇଁ ନିଜ ନିଜର ବ୍ୟବସ୍ଥାକୁ ପ୍ରସ୍ତୁତ କରିବା ଲାଗି ରାଜ୍ୟରେ କାର୍ଯ୍ୟ କରୁଥିବା ୪ଟି ଯାକ ବିତରକ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପୋର୍ଟାଲରେ ବିଦ୍ୟୁତ୍‌ ସଂଯୋଗ ଦେୟ ସବୁ ବିତରକ କମ୍ପାନି ଅଞ୍ଚଳରେ ସମାନ ରହିବ । କେବେ ସୁଦ୍ଧା ବିଦ୍ୟୁତ ସଂଯୋଗ କାମ ହେବ? ବର୍ତ୍ତମାନ ଏହି ଆବେଦନ କେଉଁ ସ୍ଥିତିରେ ରହିଛି? ଏ ସବୁ ବାବଦରେ ଆବେଦନକାରୀ ଉପଭୋକ୍ତାଙ୍କୁ ଏସଏମଏସ୍‌ ମାଧ୍ୟମରେ ଅବଗତ କରାଯିବ । ବିତରକ କମ୍ପାନିର ଅଧିକାରୀଙ୍କୁ ମଧ୍ୟ ଏ ନେଇ ଏସ୍‌ଏମ୍‌ଏସ୍‌ ପଠାଯିବ । ଅନଲାଇନରେ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ ଚୁକ୍ତିପତ୍ର, ବିଲ୍‌ ଆଦି ଏହି ପୋର୍ଟାଲରୁ ମିଳିଯିବ । ସେଥିରେ ବିଲ୍‌ ପୈଠ କରିବାର ସୁବିଧା ମଧ୍ୟ ରହିବ । ଉପଭୋକ୍ତାଙ୍କ ଦ୍ୱାରା ଅଭିଯୋଗ ଦାଖଲ ଓ ସେସବୁର ତୁରନ୍ତ ସମାଧାନ ପାଇଁ ପୋର୍ଟାଲରେ ସ୍ୱତନ୍ତ୍ର ସୁବିଧା ରହିବ । ବୈଠକରେ ଗ୍ରୀଡ୍‌କୋ ଅଧ୍ୟକ୍ଷ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗ୍ରୀଡ୍‌କୋର ଅର୍ଥ ନିର୍ଦ୍ଦେଶକ ଗଗନ ସ୍ୱାଇଁ, ଓପିଟିସିଏଲ୍‌ର ବରିଷ୍ଠ ସାଧାରଣ ପରିଚାଳକ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ଡିଜିଟାଲ ମାଧ୍ୟମରେ ସାମିଲ ହୋଇଥିଲେ ।