ନୂଆପଡା,୦୫/୧୧( ସ୍ମୃତିରଞ୍ଜନ ବିଶ୍ୱାଳ):  ଉପନିର୍ବାଚନ ପାଇଁ ନୂଆପଡ଼ା ଏବେ ନେତାମୟ । ପୂରା ରାଜ୍ୟର ନେତା ଆସି ଏଠାରେ ଡେରା ପକାଇଛନ୍ତି । ହାଇଭୋଲଟେଜ୍‌ ପ୍ରଚାର ଭିତରେ ନୂଆପଡ଼ାରେ ବ୍ୟବସାୟ ଶିଖରରେ ପହଞ୍ଚିଛି । ନିର୍ବାଚନ ପ୍ରଚାର ଶେଷ ବେଳକୁ ବ୍ୟବସାୟ ପ୍ରାୟ ୫୦ କୋଟି ଟଙ୍କା ଛୁଇଁଯିବ ବୋଲି ଆକଳନ କରାଯାଉଛି । ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନଠାରୁ ନୂଆପଡ଼ାରେ ଭିଡ଼ ଜମିବା ଆରମ୍ଭ ହୋଇଛି । ସେବେଠାରୁ ବେପାର ଜମିଲାଣି । ନାମାଙ୍କନପତ୍ର ଦାଖଲ ପାଇଁ ସବୁ ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ଯାଇଥିଲେ । ଏଥିରେ ଶହ ଶହ ବାଇକ୍‌ ଓ କାର୍‌ ସାମିଲ ହୋଇଥିଲେ । ବିଜେଡି, ବିଜେପି ଓ କଂଗ୍ରେସ ଦଳର ନାମାନଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । 

ସେଦିନ ନୂଆପଡ଼ାରେ ଥିବା ସବୁ ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼ ହୋଇଥିଲା । ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ଚାହିଦା ବହୁଗୁଣା ବଢ଼ିଥିଲା । ସେବେଠାରୁ ଆଜିଯାଏ ତେଲର ଚାହିଦା ଖସିନି । ପ୍ରଚାର ଜମିବା ସହ ନୂଆପଡ଼ାରେ ପ୍ରାୟ ହଜାରେ ଦାମୀ କାର୍‌ ବୁଲୁଛି । ଏଥିରେ ଦଳୀୟ ନେତା ଓ କର୍ମୀମାନେ ଖରିଆର ରୋଡ୍‌ ଏନଏସିରୁ ନେଇ ନୂଆପଡ଼ା ବ୍ଲକ୍‌ ଓ କୋମନା ବ୍ଲକ୍‌ର ଗାଁରୁ ଗାଁ ବୁଲୁଛନ୍ତି । ନୂଆପଡ଼ା ଏନ୍‌ଏସିରେ ଥିବା ବିଜେପି ଦଳୀୟ କାର୍ଯ୍ୟାଳୟ ଆଗରେ ଥିବା କଲ୍ୟାଣ ଫିଲିଙ୍ଗ ଷ୍ଟେସନର ମ୍ୟାନେଜରଙ୍କ କହିବା ଅନୁସାରେ ୧୮ ତାରିଖ ପୂର୍ବରୁ ଦିନକୁ ପ୍ରାୟ ୨୩୦୦ ଲିଟର ପେଟ୍ରୋଲ ବିକ୍ରି ହେଉଥିଲା । ୧୮ ତାରିଖରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ । ସେବେ ପେଟ୍ରୋଲ ଓ ଡିଜେଲ ଚାହିଦା ହଠାତ୍‌ ବଢ଼ିଗଲା । ଦିନକୁ ୩୦୦୦ରୁ ୩୨୦୦ ଲିଟର ପେଟ୍ରୋଲ ବିକ୍ରି ହେଲା । ସେହିଭଳି ପୂର୍ବରୁ ଦିନକୁ ୩୦୦୦ ଲିଟର ଡିଜେଲ ବିକ୍ରି ହେଉଥିଲା । ଏବେ ୫୦୦୦ ଲିଟରରୁ ୬୦୦୦ ଲିଟର ଡିଜେଲ ବିକ୍ରି ହେଉଛି । ଅର୍ଥାତ୍‌ ଦିନକୁ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କାର ପେଟ୍ରୋଲ ଓ ୫ ଲକ୍ଷ ୫୮ ହଜାର ଟଙ୍କାର ଡିଜେଲ ବିକ୍ରି ହେଉଛି । 

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୧୮ଟି ପେଟ୍ରୋଲ ଟାଙ୍କି ରହିଛି । ଯଦିଓ ସବୁ ପେଟ୍ରୋଲ ଟାଙ୍କିରେ ବିକ୍ରି ପରିମାଣ ସମାନ ନୁହେଁ, ତଥାପି ହାରାହାରି ଭାବେ  ଦିନକୁ ୬ ଲକ୍ଷ ଟଙ୍କାର ତେଲ ବିକ୍ରି ହେଉଥିବା ହିସାବ କଲେନିର୍ବାଚନମଣ୍ଡଳୀରେ ପ୍ରତିଦିନ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାରତେଲ ବିକ୍ରି ହେଉଛି । ଗତ ୧୮ ତାରିଖରୁ ପ୍ରଚାର ଶେଷ ଦିନ ବା ୯ତାରିଖ ଯାଏ ହିସାବ କଲେ ୨୦ କୋଟି ଟଙ୍କାର ତେଲ ବିକ୍ରି ହେବ ।ସେପଟେ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଘର ଭଡ଼ାଆକାଶଛୁଆଁ ହୋଇଯାଇଛି । ମନ୍ତ୍ରୀ, ବିଧାୟକ, ସାଂସଦ ଓରାଜ୍ୟସ୍ତରୀୟ ବରିଷ୍ଠ ଓ ପ୍ରଭାବଶାଳୀ ନେତାଙ୍କ ସମେତ ସେମାନଙ୍କକର୍ମୀମାନେ ଆସି ଏଠାରେ ରହୁଛନ୍ତି । ନୂଆପଡ଼ାରେ ମାତ୍ର ୪ଟିହୋଟେଲ ଓ ଲଜ୍‌ ରହିଛି । ତ୍ରିଶା ହୋଟେଲ, ନୀଳାଦ୍ରିବିହାରଲଜ୍‌, ମେଘା ହୋଟେଲ ଓ ଆଦ୍ୟାଶା ହୋଟେଲ ରହିଛି । ତ୍ରିଶାହୋଟେଲରେ ପ୍ରତି ଏସି ରୁମ୍‌ ଦିନକୁ ୪ ହଜାର ଟଙ୍କାରେ ବୁକ୍‌ହୋଇଛି । ଏଠାରେ ପ୍ରାୟ ୧୫ଟି ରୁମ୍‌ ରହିଛି । ହୋଟେଲରଡର୍ମିଟୋରୀରେ ବେଡ୍‌ ପିଛା ୧୦୦୦ ଟଙ୍କା ନେଉଛନ୍ତି । 

ଅନ୍ୟ ହୋଟେଲର ରୁମ୍‌ ଭଡ଼ା ମଧ୍ୟ ଦିନକୁ ୩ ହଜାରରୁ ନେଇ ସାଢ଼େ୩ହଜାରରେ ଲାଗିଯାଇଛି । ତ୍ରିଶା ଓ ଆଦ୍ୟାଶା ହୋଟେଲକୁବିଜେପି ନେଇ ଯାଇଥିବାବେଳେ କଂଗ୍ରେସ ମେଘା ହୋଟେଲକୁପୂରା ବୁକ୍‌ କରିଦେଇଛି । ବିଜେଡି ନେତା ହୋଟେଲ ନ ପାଇଘର ଭଡା ନେଇ ରହୁଛନ୍ତି । ଖରିଆର ରୋଡ୍‌ରେ ମାତ୍ର ୨ଟି ହୋଟେଲ ରହିଛି । ସେଠାରେସବୁ ରୁମ୍‌ ୯ ତାରିଖ ଯାଏ ବୁକ୍‌ ହୋଇ ରହିଛି । ହୋଟେଲ ଓଲଜ୍‌ ଅଭାବରୁ ଦାମୀ ନେତାମାନେ ଘର ଭଡ଼ା ନେଇ ରହୁଛନ୍ତି ।ନୂଆପଡ଼ା ବଜାରରେ ଥିବା ଏକ ଦୁଇ ମହଲା ଘରକୁ ଜଣେବିଜେପି ସାଂସଦ ୧ଲକ୍ଷ ୧୦ହଜାର ଟଙ୍କାରେ ଭଡ଼ା ନେଇଛନ୍ତି । ବିଜେପିର ଜଣେ ଟାଣୁଆ ବିଧାୟକ ଗୋଟିଏ ଦୁଇ ମହଲା ଘରପାଇଁ ଅଢ଼େଇ ଲକ୍ଷ ଟଙ୍କା ଭଡ଼ା ଦେଇଛନ୍ତି । ସେହିଭଳି ବିଜେଡିରସାଂଗଠନିକ ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ନେତା ୭୦ ହଜାରଦେଇ ଗୋଟିଏ ମହଲା ଘର ଭଡ଼ା ନେଇଛନ୍ତି । 
ନୂଆପଡା, ଖରିଆରରୋଡ୍‌ ଓ କୋମନାରେ ପ୍ରାୟ ୧୦୦୦ରୁ ଅଧିକ ଘର ଭଡ଼ା ଲାଗିଛି ।ସବୁ ଘରର ଭଡ଼ା ଆକାଶଛୁଆଁ । ଏହାକୁ ହିସାବ କଲେ କେବଳଭଡ଼ା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଖାଲି ନୂଆପଡ଼ାନୁହେଁ, ପଡ଼ୋଶୀ ପଦ୍ମପୁର, ପାଇକମାଳ, ଟିଟିଲାଗଡ଼ରେ ମଧ୍ୟକୌଣସି ଗୋଟିଏ ବି ହୋଟେଲ ଫାଙ୍କା ନାହିଁ ।ନୂଆପଡ଼ାରେ ୩ଟି ବିଦେଶୀ ମଦ ଦୋକାନ ଥିବାବେଳେଖରିଆର ରୋଡ୍‌ରେ ୨ଟି, କୋମନାରେ ଗୋଟିଏ ଓ ଲଖନାରେଗୋଟିଏ ମଦ ଦୋକାନ ରହିଛି । ଏ ସବୁ ଦୋକାନରେ ମଦ ପାଇଁଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ମଦ ବାବଦରେ ପ୍ରତିଦିନଲକ୍ଷାଧିକ ଟଙ୍କା ଉଡୁଛି । ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକନୂଆପଡ଼ାରେ ପ୍ରାୟ ୯୮ ଲକ୍ଷ ଟଙ୍କାର ଦେଶୀ ବିଦେଶୀ ମଦଓ ମହୁଲ ଜବତ ହେଲାଣି । ସେହିଭଳି ସବୁଦିନ ଭୋଜିଭାତହେଉଥିବାରୁ ରାସନ ଦୋକାନରେ ଜିନିଷ ପାଇଁ ବହୁ ସମୟଅପେକ୍ଷା କରିବାକୁ ପଡୁଛି ।ହଠାତ୍‌ ବାହାରିଆ ଲୋକଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ନୂଆପଡ଼ାରେ ଖାଇବା ପାଇଁ ହୋଟେଲରେ ଖାଦ୍ୟସାମଗ୍ରୀ ଅଭାବ ଦେଖିବାକୁ ମିଳୁଛି ।

 ସବୁ ଛୋଟ, ବଡ଼ ହୋଟେଲ ଆଗରେ ବଡ଼ବଡ଼ ଗାଡ଼ି ଲାଗୁଛି । ଭିଡ଼ ହେଉଥିବାରୁ ହୋଟେଲ, ଜଳଖିଆଦୋକାନୀ ସେମାନଙ୍କ ମୂଲ୍ୟ ବି ବଢ଼ାଇ ଦେଇଛନ୍ତି । ଶହ ଶହଚା ଦୋକାନ ଥିବା ସତ୍ତେ୍ୱ କୌଣସି ଗୋଟିଏ ଦୋକାନ ଫାଙ୍କାରହୁନି । ସବୁଠି ପ୍ରବଳ ଭିଡ଼ । ଆଉ ଇଲେକ୍ଟୋନିକ୍ସ ଦୋକାନରୁଏସି, ଫ୍ୟାନ୍‌ ବି ବୁହା ଚାଲିଛି । ଖାଦ୍ୟଠାରୁ ନେଇ ଦୈନନ୍ଦିନବ୍ୟବହାର ହେଉଥିବା ସାମଗ୍ରୀ ଯାଏ, ସବୁର ଏତେ ଚାହିଦା ଯେ,ଦୋକାନୀମାନେ ସାମଗ୍ରୀ ଯୋଗାଇ ପାରୁନାହାନ୍ତି ।ନୂଆପଡ଼ା ଜିଲ୍ଲା ଛତିଶଗଡ଼ ରାଜ୍ୟ ସୀମାରେ ରହିଛି । ତେଣୁଛତିଶଗଡ଼ର ରାୟପୁର, ମହାସମୁଦ ସହର ଉପରେ ସ୍ଥାନୀୟବ୍ୟବସାୟୀ ନିର୍ଭରଶୀଳ । ହଠାତ୍‌ ଏତେ ପରିମାଣର ଖାଦ୍ୟ ଓଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରୁଏହି ଅଞ୍ଚଳରେ ମଧ୍ୟ ବେପାର ବଢ଼ିଯାଇଛି । ସେହିପରି ପାଶ୍ୱର୍ବର୍ତ୍ତୀବରଗଡ଼ ଜିଲ୍ଲାର ପାଇକମାଲ ଓ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେମଧ୍ୟ ସକ୍ରିୟତା ବୃଦ୍ଧି ପାଇଛି ।