ନୂଆଦିଲ୍ଲୀ ୨୫/୦୫: ପ୍ରତ୍ନତତ୍ତ୍ୱବିତ୍ମାନେ ସ୍କଟ୍‌ଲାଣ୍ଡର ଏକ ହ୍ରଦରେ ୫ ହଜାର ବର୍ଷ ପୁରୁଣା ଏକ ଲୁକ୍କାୟିତ କୃତ୍ରିମ ଦ୍ୱୀପର କାଠ ମୂଳଦୁଆ ଠାବ କରିଛନ୍ତି । ଦ୍ୱୀପର ଚମତ୍କାର ଅଟ୍ଟାଳିକା ପ୍ରାଗୈତିହାସିକ ଲୋକଙ୍କ କୌଶଳକୁ ଲୋକଲୋଚନକୁ ଆଣିଛି । ଆଇଲ ଅଫ୍ ଲୁଇସ୍‌ରେ ଲୋଚ୍ ଭୋରଗାସ୍‌ଟେଲରେ ଆବିଷ୍କୃତ ଏହି ସ୍ଥଳୀ ଦର୍ଶାଇଛି, ପ୍ରାଚୀନ ମଣିଷ ଏଭଳି ସ୍ୱତନ୍ତ୍ର ଦ୍ୱୀପ ନିର୍ମାଣରେ ସିଦ୍ଧହସ୍ତ ଥିଲା । ପ୍ରଥମ ଦେଖାରେ ଏହି ଛୋଟ ଦ୍ୱୀପ ପାଣିରେ ପଥରଗୁଡ଼ିକର ଏକ ସାଧାରଣ ଗଦା ଭଳି ଦିଶେ । କିନ୍ତୁ ବୈଜ୍ଞାନିକମାନେ ଯେତେବେଳେ ଆହୁରି ପାଖରୁ ଦେଖିଲେ, ଅନେକ କିଛି ପାଇଲେ । ପଥର ତଳେ ଏକ ବିଶାଳ ଗୋଲାକାର କାଠ ପ୍ଲାଟ୍‌ଫର୍ମ ରହିଛି, ଯାହା ପ୍ରାୟ ୭୫ ଫୁଟ ଚଉଡ଼ା । ପ୍ରାଗୈତିହାସିକ ନିର୍ମାତାମାନେ ଅତି ଧ୍ୟାନର କାଠଗୁଡ଼ିକୁ ପକାଇଥିଲେ ଏବଂ ତା’ଉପରେ ବ୍ରଶ୍‌ଉଡ୍ ଖଞ୍ଜିଥିଲେ ମୂଳଦୁଆକୁ ମଜଭୁତ କରିବା ପାଇଁ ।

ସେମାନେ ଏହି ଦ୍ୱୀପକୁ ପ୍ରାୟ ୫ ହଜାର ବର୍ଷ ପୂର୍ବେ ନିଓଲିଥିକ୍ ଯୁଗରେ ନିର୍ମାଣ କରିଥିଲେ । ଏହାର ପ୍ରାୟ ୨ ହଜାର ବର୍ଷ ପରେ ଏହା ଉପରେ ଅଧିକ ପରସ୍ତ ଯୋଡ଼ିଲେ ଏବଂ ପଥର ଦ୍ୱାରା ଏହାକୁ ଆବୃତ୍ତ କଲେ । ପ୍ରତ୍ନତତ୍ତ୍ୱବିତ୍‌ଙ୍କ ବିଶ୍ୱାସ, ଏକ ପଥର ମାର୍ଗ ଦିନେ ଏହି ଦ୍ୱୀପକୁ ତଟ ସହ ଯୋଡୁଥିଲା । ଏହି କୃତ୍ରିମ ଦ୍ୱୀପ କ୍ରାନୋଗ୍ ନାମରେ ପରିଚିତ । ଏଭଳି ଶତାଧିକ ଦ୍ୱୀପ ସ୍କଟ୍‌ଲାଣ୍ଡରେ ରହିଛି, କିନ୍ତୁ ଅନେକ ବେଶି ପୁରୁଣା ନୁହେଁ ବୋଲି ପୂର୍ବରୁ ଧାରଣା ଥିଲା ।

କିନ୍ତୁ ଏହି ନୂଆ ଆବିଷ୍କାର ପ୍ରମାଣ କରିଛି, ଖ୍ରୀଷ୍ଟପୂର୍ବ ୩୮୦୦ରୁ ୩୩୦୦ ମଧ୍ୟରେ କିଛି ଦ୍ୱୀପ ପ୍ରଥମେ ନିର୍ମିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଲୋକେ ଏହି ପଥର ଦ୍ୱୀପ ବିଷୟରେ ଜାଣିଥିଲେ ଏବଂ ଏହା ଆଖପାଖ ପାଣିରେ ପ୍ରାଚୀନ ମାଟି ପାତ୍ର ଖଣ୍ଡ ମଧ୍ୟ ମିଳିଥିଲା । ଏହି ଭଙ୍ଗା ପାତ୍ର ଓ ଜାର୍ ବହୁ ପୂର୍ବେ ମାନବ ଗତିବିଧିକୁ ଇଙ୍ଗିତ କରିଥିଲା । କିନ୍ତୁ ଏହାର ପୂରା କାହାଣୀକୁ ବୁଝିବା କଷ୍ଟକର ଥିଲା, କାରଣ ଏହାର ଅନେକ ଢାଞ୍ଚା ପାଣି ତଳେ ବୁଡ଼ି ରହିଛି । ଏହାର ସମାଧାନ ଲାଗି ଗବେଷକମାନେ ନିର୍ଦ୍ଦିଷ୍ଟ ଫଟୋଗ୍ରାଫି ପଦ୍ଧତିର ଉପଯୋଗ କଲେ । ପାଣି ତଳ ଅଂଶଗୁଡ଼ିକର ସବିଶେଷ ୩ଡି ମଡେଲ ପ୍ରସ୍ତୁତି ଲାଗି ଜଣେ ବୁଡ଼ାଳି ସ୍ୱତନ୍ତ୍ର କ୍ୟାମେରା ସହିତ ପହଁରିଲେ ।

ଗବେଷକମାନେ ଜାଣିଲେ, ଭୂମି ଓ ଜଳର ଅଂଶ ମିଳିତ ଭାବେ ଏକ ନିରନ୍ତର ଢାଞ୍ଚା ଗଠନ କରୁଥିଲା । ଏଥିସହ ରେଡିଓକାର୍ବନ ଡେଟିଂ କାଠ କାରୁକାର୍ଯ୍ୟର ପ୍ରାଚୀନ ଯୁଗକୁ ସ୍ପଷ୍ଟ କଲା । ଏହାର ପ୍ରାଚୀନ ମୂଳଦୁଆ ଗବେଷକଙ୍କୁ ଏକ ବିରଳ ସୁଦୂର ଅତୀତକୁ ଜାଣିବାରେ ସାହାଯ୍ୟ କରିଛି । ଦ୍ୱୀପ ନିର୍ମାଣ କରିଥିବା ଲୋକଙ୍କ ପାଇଁ ଏହା ବୋଧହୁଏ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା । ମିଳିଥିବା ମାଟି ପାତ୍ରରୁ ଜଣାପଡ଼େ, ଏଠାରେ ସେମାନେ ଏକତ୍ର ହେଉଥିଲେ ଏବଂ ଅନେକ ଶତାବ୍ଦୀ ଧରି ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ।

ଆହୁରି ପଢ଼ନ୍ତୁ...Global food price : ପୁଣି ତେଜିବ ବିଶ୍ୱ ଖାଦ୍ୟ ଦର, ହୋର୍ମୁଜ ଜଳମାର୍ଗ ଅବରୋଧ ଏବଂ ବିକୃତ ଏଲନିନୋ ସ୍ଥିତି ସାଜିବ କାରଣ