ନୂଆଦିଲ୍ଲୀ ୨୫/୦୫: ହୋର୍ମୁଜ ଜଳମାର୍ଗ ଅବରୋଧ ଏବଂ ବିକୃତ ଏଲ୍‌ନିନୋ ସ୍ଥିତି ଯୋଗୁ ବିଶ୍ୱ ଖାଦ୍ୟ ଦର ଆହୁରି ତେଜିବ । ସିଟି ରିସର୍ଚ୍ଚ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଆଗାମୀ ୬ରୁ ୧୨ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ଦରରେ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଏହା ଚେତାବନୀ ଦେଇଛି । ରିପୋର୍ଟ ଅନୁସାରେ, ଉଚ୍ଚ ଶକ୍ତି ଦର, ସାର ଅଭାବ ଏବଂ ଏଲ୍‌ନିନୋ ସହ ଜଡ଼ିତ ପ୍ରତିକୂଳ ଜଳବାୟୁ ସ୍ଥିତି ଦ୍ୱାରା ସୃଷ୍ଟି ହେଉଥିବା ଯୋଗାଣ ସମସ୍ୟା କୃଷି ବଜାରଗୁଡ଼ିକ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ଆଗାମୀ କିଛି ମାସରେ ଦରଦାମ ସ୍ଥିତି ବିଗିଡ଼ିଯିବ ବୋଲି ପ୍ରକାଶ କରିଛି ସିଟି ରିସର୍ଚ୍ଚ ରିପୋର୍ଟ । ଏଥିରେ କୁହାଯାଇଛି ଯେ, ହୋର୍ମୁଜ ଜଳମାର୍ଗ ଲମ୍ବା ସମୟ ଧରି ବନ୍ଦ ରହିବା ଦ୍ୱାରା ଶକ୍ତି ଏବଂ ସାର ଦର ବଡ଼ ମାତ୍ରାରେ ବୃଦ୍ଧି ପାଇବ । ଏହା ପ୍ରଭାବରେ ବିଶ୍ୱବ୍ୟାପୀ କୃଷି ଉତ୍ପାଦନ ଖର୍ଚ୍ଚ ବଢ଼ିବ ।

ସିଟି ରିସର୍ଚ୍ଚ ଆହୁରି ମଧ୍ୟ କହିଛି ଯେ, ଜୀବାଷ୍ମ ଇନ୍ଧନ ଦର ଉଚ୍ଚ ଥିବାରୁ ଜୈବ ଇନ୍ଧନ ପାଇଁ କୃଷିଜାତ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇବ । ଏହା ଖାଦ୍ୟ ଦରକୁ ଆହୁରି ବଢ଼ାଇବ । ଟ୍ରେଡ୍ ହେଉଥିବା କୃଷି ସାମଗ୍ରୀ ଦର ବର୍ଷ ଆରମ୍ଭରୁ ଏଯାବତ ୧୩% ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଲ୍‌ନିନୋ ଏବଂ ଶକ୍ତି ସମ୍ବନ୍ଧୀୟ ଯୋଗାଣ ସମସ୍ୟା ଦ୍ୱାରା ସବୁଠୁ ଅଧିକ ଚିନି, କୋକୋ ଏବଂ କଫି ଉତ୍ପାଦନ ପ୍ରଭାବିତ ହେବ ବୋଲି ସିଟି ରିସର୍ଚ୍ଚ ପ୍ରକାଶ କରିଛି । ଏହା ଅନୁସାରେ, ଏଲ୍‌ନିନୋ ଯୋଗୁ ତାପମାତ୍ରା ବଢ଼ିବ ଏବଂ ଏସିଆର କିଛି ପ୍ରାନ୍ତରେ ସ୍ୱଳ୍ପବୃଷ୍ଟି ଦେଖାଦେବ । ଏହା ଶସ୍ୟ ଉତ୍ପାଦନକୁ ପ୍ରଭାବିତ କରିବ । ବିଶ୍ୱବ୍ୟାପୀ ଖାଦ୍ୟ ଯୋଗାଣ ବ୍ୟାହତ ହେବ ।

ଆହୁରି ପଢ଼ନ୍ତୁ...Fuel Price Hike: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୋଗୁଛି ଭାରତ; ୧୦ ଦିନରେ ୪ର୍ଥ ଝଟକା, ପୁଣି ବଢିଲା ପେଟ୍ରୋଲ୍-ଡିଜେଲ୍ ଦର