ନୂଆଦିଲ୍ଲୀ,୦୩/୦୬: କେରଳର ନେଦୁମନଗଡ଼ରୁ ସାମ୍ନାକୁ ଆସିଛି ଅମାନୁଷିକ ଘଟଣା। ଜଣେ ୧୭ ମାସର ନିଷ୍ପାପ ଶିଶୁ କନ୍ୟାକୁ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ଶିଶୁଟିର ମାଆ ଅଖିଳା ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର ଅସ୍କର ମିଶି ଏହି ପୈଶାଚିକ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଅଖିଳା ଓ ଅସ୍କରକୁ ଗିରଫ କରିଛି। ଶିଶୁଟିର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ହତ୍ୟାକାଣ୍ଡର ଭୟାବହତା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ମୃତ ଶିଶୁ କନ୍ୟାର ଶରୀରରେ ୫୧ଟି ଗଭୀର କ୍ଷତ ଚିହ୍ନ ରହିଛି। ଶିଶୁଟିର ମୁଣ୍ଡ, ଛାତି, ପେଟ ଏବଂ ହାତଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାର ଦୁଇଟି ଯାକ ଗୋଡ଼ ଏବଂ ପଞ୍ଜରା ହାଡ଼ ଭାଙ୍ଗି ଯାଇଛି। ଏହା ସହିତ ଚେଙ୍କ ଦିଆଯାଇଥିବା ଭଳି ପୋଡ଼ା ଦାଗ ମଧ୍ୟ ମୃତଦେହରୁ ମିଳିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁଟିକୁ ଦୀର୍ଘ ଦିନ ଧରି ନିୟମିତ ଭାବେ ଅତି ନିର୍ଦ୍ଦୟ ଭାବେ ପିଟାଯାଉଥିଲା। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ମସ୍ତିଷ୍କ ଭିତରେ ରକ୍ତସ୍ରାବ ହୋଇ ଶେଷରେ ଶିଶୁଟିର ମୃତ୍ୟୁ ଘଟିଛି।

ଆହୁରି ପଢନ୍ତୁ- Delhi Fire: ଦିଲ୍ଲୀ ମାଲଭିୟ ନଗର ରେଷ୍ଟୁରାଣ୍ଟରେ ନିଆଁ ଲାଗି ୧୦ ମୃତ, ବେସମେଣ୍ଟରେ ଫସିଛନ୍ତି ଅନେକ !

ପୁଲିସ ସୂଚନା ଦେଇଛି ଯେ, ପ୍ରଥମେ ଉଭୟ ଅଭିଯୁକ୍ତ ଏହି ମାମଲାକୁ ଚାପି ଦେବା ପାଇଁ ଏବଂ ଏହାକୁ ଏକ ସାଧାରଣ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ପଡ଼ୋଶୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ସେମାନଙ୍କ ପାପର ଗୁମର ଖୋଲି ଦେଇଛି। ପଡ଼ୋଶୀମାନେ ପ୍ରକାଶ କରିଛନ୍ତି ଯେ ଘରୁ ପ୍ରାୟ ସମୟରେ ଶିଶୁଟିର କାନ୍ଦଣା ଶବ୍ଦ ଶୁଣାଯାଉଥିଲା। ଅଖିଳା ନିଜର ପ୍ରକୃତ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଅସ୍କର ସହ ରହୁଥିଲେ। ଏହି ଘଟଣାରେ ମାଆର ସମ୍ପୃକ୍ତି କେତେ ଏବଂ ସେ ନିଜ ସନ୍ତାନକୁ କାହିଁକି ରକ୍ଷା କଲେ ନାହିଁ, ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି। ଏହି ସମ୍ବେଦନଶୀଳ ମାମଲାକୁ କେରଳ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜଆଡ଼ୁ ଗ୍ରହଣ କରିଛନ୍ତି ଏବଂ ପୁଲିସ ବିଭାଗ ଠାରୁ ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ତଲବ କରିଛନ୍ତି।