ନୂଆଦିଲ୍ଲୀ: ଆୟକର ବିଭାଗ ଶୁକ୍ରବାର ଭୋପାଳର ଏକ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଇନୋଭା ଗାଡିରୁ ୫୨ କିଗ୍ରା ସୁନା ସାଙ୍ଗକୁ ୯.୮୬ କୋଟି ଟଙ୍କା ଜବତ କରିଛି। ଏନେଇ ଭୋପାଲର ପୋଲିସ କମିସନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଭୋପାଳ ଓ ଇନ୍ଦୋରର ବିଭିନ୍ନ କନଷ୍ଟ୍ରକସନ(ନିର୍ମାଣକାରୀ) କମ୍ପାନୀ ଉପରେ ପୋଲିସ ଚଢଉ କରୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି।
କିଛିଦିନ ହେବ ଭୋପାଳ ପୋଲିସ ଭୋପାଳ ଓ ଇନ୍ଦୋରରେ ଥିବା ବିଭିନ୍ନ କନଷ୍ଟ୍ରକସନ କମ୍ପାନୀ ଗୁଡିକ ଉପରେ ଚଢଉ ଜାରି ରଖିଛି। ଏମିତି ଏକ ଚଢଉ ବେଳେ ଭୋପାଲ ପୋଲିସକୁ ଏହି ପରିତ୍ୟକ୍ତ କାର ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଆଧାରରେ ୧୦୦ ଜଣ ପୋଲିସଙ୍କ ସହ ଆୟକର ବିଭାଗ ମିଳିତ ଭାବେ ଚଢଉ ଭୋପାଳର ମେନ୍ଦୋରି ଗାଁ ନିକଟ ଜଙ୍ଗଲରେ ଚଢଉ କରିଥିଲା। ଏହି ଚଢଉରେ ପୋଲିସ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାରକୁ ଜବତ କରିଥିଲା।
ଚଳିତ ସପ୍ତାହରେ ଆୟକର ବିଭାଗ ଭୋପାଳ ଓ ଇନ୍ଦୋରରେ ଥିବା ମୋଟ ୫୧ଟି କନଷ୍ଟ୍ରକସନ କମ୍ପାନୀଗୁଡିକ ଉପରେ ଚଢ଼ଉ କରିଛି। ଏହି ଚଢ଼ଉରେ ପୂର୍ବତନ ଆରଟିଓ କନେଷ୍ଟବଲ ସୈରଭ ଶର୍ମାଙ୍କ ଅଫିସ ଓ ଘରୁ ମୋଟ ୨.୮୫ କୋଟି ଟଙ୍କା ଜବତ କରିଥିଲା। ଲୋକାୟୁକ୍ତ ଡିଏସପି ରବିନ୍ଦ୍ର ସିଂଙ୍କ କହିବା ଅନୁସାରେ ସୈରଭଙ୍କ ଘରୁ ଏଯାଏ ମୋଟ ୬୦ କିଗ୍ରା ରୁପା ମଧ୍ୟ ମିଳିଛି।
ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ସୁନା, ରୁପା ଓ ହୀରା ମଧ୍ୟ ସୈରଭଙ୍କ ଘରୁ ଜବତ ହୋଇସାରିଛି। ଆଣ୍ଟି କରପସନ ବିଭାଗ ତାଙ୍କ ବାସଗୃହରୁ ମୋଟ ୪ଟି ଗାଡି ଜବତ କରିଥିବା ବେଳେ ତା ମଧ୍ୟରେ ଗୋଟିଏ ଲକ୍ସରି କାର ମଧ୍ୟ ରହିଛି।
ସୈରଭ ଶର୍ମାଙ୍କ ଘର ଓ କାର୍ଯ୍ୟାଳୟରୁ କୋଟିକୋଟି ଟଙ୍କାର ସମ୍ପତ୍ତି ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ଲୋକାୟୁକ୍ତ କହିଛନ୍ତି। ତାଙ୍କ ଘରୁ ଏକ ଟଙ୍କା ଗଣା ମେସିନ ମଧ୍ୟ ମିଳିଥିବା ନେଇ ସୂଚନା ମିଳିଛି।
ଏହି ଘଟଣାରେ ଆଣ୍ଟି-କରପସନ ବିଭାଗ ସୈରଭ ଶର୍ମାଙ୍କ ହାତ ଥିବା ନେଇ ସନ୍ଦେହ କରୁଛି। ଅନ୍ୟପଟେ ସୈରଭଙ୍କ ହାତ ହାୱାଲାରେ ଥିବା ନେଇ ପୋଲିସ ସନ୍ଦେହ କରୁଛି। ଏନେଇ ଏବେ ଅନୁସନ୍ଧାନ ଚାଲିଛି।