ଭୁବନେଶ୍ୱର,୧୧/୧୦: କେତେବେଳେ  ଶିକାରୀ ହାତରେ ତ କେତେବେଳେ ବିଦ୍ୟୁତ  ଫାଶର ଆଁ । ଆଉ କେତେବେଳେ ପରସ୍ପର ଭିତରେ  ଲଢେଇରେ ଯାଉଛି ନିରୀହ ପ୍ରାଣୀଙ୍କ ଜୀବନ ।  ପ୍ରାକୃତିକ ହେଉ ଅବା ମନୁଷ୍ୟକୃତ ପରିଣତି ଏୟା  ଯେ ବନ୍ୟପ୍ରାଣୀଙ୍କ ଚାଲିଯାଉଛି ପ୍ରାଣ । ଏହିଭଳି  ଭାବେ ଗତ ୧୦ବର୍ଷରେ ମଲେଣି ୫୨୫୩ ଜଙ୍ଗଲି  ଜନ୍ତୁ । ଏଥିରେ ଗୋଟିଏ କି ଦୁଇଟି ନୁହେଁ, ମୋଟ  ୪୧ପ୍ରକାରର ଶାକାହାରୀ ଓ ମାଂସାସୀ ଜନ୍ତୁ ରହିଛନ୍ତି  ବୋଲି ଜଙ୍ଗଲ ବିଭାଗର ତଥ୍ୟ କହୁଛି ।

ରାଜ୍ୟରେ ଏବେ ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ,  ଭିତରକନିକା ଓ ଶିମିଳିପାଳ ଭଳି ୨ଟି ଜାତୀୟ ପାର୍କ  ଏବଂ ଶିମିଳିପାଳ ଓ ସାତକୋଶିଆ ଭଳି ଟାଇଗର  ରିଜର୍ଭ ରହିଛି । ତଥ୍ୟ କହୁଛି, ଏହି ସବୁ ସ୍ଥାନରେ  ସର୍ବାଧିକ ସଂଖ୍ୟାରେ ବାର୍‌ହାଙ୍କ ମୃତ୍ୟୁ ଘଟିଛି ।  ଗତ ୨୦୧୫-୧୬ରୁ ୨୦୨୪-୨୫ ପର୍ଯ୍ୟନ୍ତ ମୋଟ  ୧୦୭୯ଟି ବାର୍‌ହା ଓ ୯୧୪ଟି ହରିଣଙ୍କ ମୃତ୍ୟୁ ହୋଇଛି ।  ଏହାପରେ ରହିଛି ଜଙ୍ଗଲର ସବୁଠୁ ବଳୁଆ ପ୍ରାଣୀ  ହାତୀ । ଏହି ୧୦ବର୍ଷରେ ୮୪୨ଟି ହାତୀଙ୍କର ମୃତ୍ୟୁ  ହୋଇଛି । ସେହିପରି ୫୧୧ଟି କୁଟୁରା, ୧୦୯ଟି  ଗୟଳ, ୨୩୬ଟି କୃଷ୍ଣସାର ମୃଗ, ୧୯ଟି ଚଉସିଙ୍ଗା,  ୩୫ଟି ଜଙ୍ଗଲି ବିଲେଇ, ୨୨୦ଟି ହନୁମାଙ୍କଡ଼, ୪୯ଟି  କୁମ୍ଭୀର, ୯୬ଟି ଡଲଫିନ୍‌, ୨୭ଟି ଫିସିଂ କ୍ୟାଟ୍‌, ୨୨ଟି  ବିଶାଳ ଗୁଣ୍ଡୁଚିମୂଷା, ୫୪ଟି ହାଇନା, ୩୦ଟି ବିଲୁଆଙ୍କ  ପ୍ରାଣହାନୀ ଘଟିଛି ।  

ଏତଦବାଦ୍‌ ୨୮ଟି ଜଙ୍ଗଲି ବିଲେଇ, ୧୦ଟି  ଅହିରାଜ, ୫୬ଟି କଲରାପତରିଆ, ୧୭ଟି ମନିଟର  ଲିଜାର୍ଡ, ୪୬ଟି ମାଉସ୍‌ ଡିଅର(ହରିଣ), ୨୧ଟି  ବଜ୍ରକାପ୍ତା, ୫୯ଟି ମୟୂର, ୫୪ଟି ଝିଙ୍କ, ୩୪ଟି ଅଜଗର,  ୨୫ଟି ଠେକୁଆ, ୩୦ଟି ହନିବାଜର୍‌(ଗାଡ଼ଭାଲୁ),  ୨୬୧ଟି ସମ୍ବର, ୨୭ଟି ସାର୍କ, ୨୮୬ଟି ଭାଲୁ, ୮ଟି  ବାଘ, ୧୩ଟି ତିମି ମାଛ ଓ ୧୩ଟି ଗଧିଆଙ୍କ ସମେତ  ଗୋଟିଏ ଲେଖାଏଁ ଜଙ୍ଗଲି କୁକୁର, ନେଉଳ, ୩ଟି  ଉଡ଼ନ୍ତା ବାଦୁଡ଼ି, ଉଡ଼ନ୍ତା ଗୁଣ୍ଡୁଚିମୂଷା ଆଦିଙ୍କ ମୃତ୍ୟୁ  ଘଟିଥିବା ଜଣାପଡ଼ିଛି ।  

ପ୍ରାଣୀ ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗ ଚିନ୍ତା  ପ୍ରକଟ କରିଛି । ସେଥିପାଇଁ ଜଙ୍ଗଲରେ ଶିକାରୀଙ୍କୁ  ଧରିବା ପାଇଁ କର୍ମଚାରୀ ପ୍ରହରା ବ୍ୟବସ୍ଥା କରାଯିବା  ସମେତ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଲଗାଯାଇଛି ।  ବିଭିନ୍ନ ସମୟରେ ଶିକାରୀଙ୍କୁ ଗିରଫ ମଧ୍ୟ  କରାଯାଉଛି । ତଥ୍ୟ କହୁଛି, ଗତ ୧୦ବର୍ଷରେ  ରାଜ୍ୟର ବିଭିନ୍ନ ବନଖଣ୍ଡରେ ମୋଟ ୭୭୪୨ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେହିପରି  ପଶୁପକ୍ଷୀଙ୍କୁ ସୁରକ୍ଷା ପାଇଁ ବିଭିନ୍ନ ସମୟରେ  ସଚେତନ କରାଯିବା ସହ ଜଙ୍ଗଲ ପାଖ ଗାଁରେ  ମଧ୍ୟ ଲୋକଙ୍କୁ ମଧ୍ୟ ସଚେତନତା ବାର୍ତ୍ତା ବାଣ୍ଟୁଛି ।  

ଅପରପକ୍ଷେ, ଚଳିତବର୍ଷ ରାଜ୍ୟର ବିଭିନ୍ନ  ଜଙ୍ଗଲରେ ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛି  ବନ ବିଭାଗ । ଡେବ୍ରିଗଡ଼ ପ୍ରାଣୀ ଅଭୟାରଣ୍ୟରେ  ରହୁଥିବା ୨୦ଟି ଚମରି ଗାଈଙ୍କୁ ଖୁବଶୀଘ୍ର ଚନ୍ଦକା  ଅଣାଯିବ । ସେହିପରି ଗଞ୍ଜାମ ଜିଲ୍ଲା ବେତନୋଇ  ଜଙ୍ଗଲରୁ ୮ଟି କୃଷ୍ଣସାର ମୃଗ ବାଲୁଖଣ୍ଡ-କୋଣାର୍କ ପ୍ରାଣୀ  ଅଭୟାରଣ୍ୟ ଓ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୩ଟି ବାଘ  ଡେବ୍ରିଗଡ଼ ଆସିବେ । ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ  ହୋଇଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।