ଆଉ ୬ ସହରରେ ଜିଓ ଟ୍ରୁ ୫ଜି ସେବା

ଭୁବନେଶ୍ୱର, ୨୫।୧: ରିଲାଏନ୍ସ ଜିଓ ମଙ୍ଗଳବାର ରାଜ୍ୟର ଆଉ ୬ଟି ସହରରେ ଟ୍ରୁ ୫ଜି ସେବା ଆରମ୍ଭ କରିଛି । ଏଥିସହିତ ରାଜ୍ୟର ୧୦ଟି ସହରରେ ଏହି ସେବା ଉପଲବ୍ଧ ହୋଇଛି । ଆଜି ଦେଶର ୫୦ ସହରରେ କମ୍ପାନି ଏହାର ସର୍ବବୃହତ୍ ଟ୍ରୁ ୫ଜି ସେବା ପ୍ରଚଳନ କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି ।
ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି । ଏହି ସହରଗୁଡ଼ିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ୧ ଜିବିପିଏସ୍ ସ୍ପିଡ୍ ପର୍ଯ୍ୟନ୍ତ ଅସୀମିତ ଡାଟା ବିନା କୌଣସି ଅତିରିକ୍ତ ଦେୟରେ ବ୍ୟବହାର ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍କମ ଅଫରକୁ ଆମନ୍ତ୍ରଣ କରାଯିବ, ଯାହା ଆଜିଠାରୁ ଆରମ୍ଭ ହେଉଛି ।
ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ ଏବଂ ସମ୍ୱଲପୁର ଭଳି ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ଆରମ୍ଭ ହୋଇସାରିଛି । ଏହି ଅବସରରେ ଜିଓ ମୁଖପାତ୍ର କହିଛନ୍ତି, ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରି ଆମେ ଅତ୍ୟନ୍ତ ଉଲ୍ଲସିତ ।