ଭୁବନେଶ୍ଵର, ୯/୪ : ଏଣିକି ପେଟ୍ରୋଲ ପମ୍ପରେ ବି ମିଳିପାରିବ ୫  କେଜିର ରନ୍ଧନ ଗ୍ୟାସ। ପରିଚୟ ପତ୍ର ଦେଖାଇ ନେଇପାରିବେ ସିଲିଣ୍ଡର। ରନ୍ଧନ ଗ୍ୟାସ ସଙ୍କଟ ଲାଗି ରହିଥିଲାବେଳେ ଏହାକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ  ହୋଇଛି । ୫ କେଜି ସିଲିଣ୍ଡରକୁ ନେଇ  ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ମଧ୍ୟ ଦୂର  କରିଛନ୍ତି ରାଜ୍ୟ ସରକାର । ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କର ଫ୍ରି ଟ୍ରେଡ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ । କେବଳ ପରିଚୟ ପତ୍ର ଦେଖାଇ ଏହାକୁ ନେଇପାରିବେ । ୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ସେହିପରି ରିଫିଲ ପାଇଁ ୫୯୩ ଟଙ୍କା  ଦେବାକୁ ପଡ଼ିବ। କେବଳ କମ୍ପାନୀ ସିଲିଣ୍ଡର ହିଁ ରିଫିଲ୍‌ ହେବ। ଯେଉଁ ଏଜେନ୍ସି କଳାବଜାରୀ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି  ଦିଆଯାଉଛି । ସେଠୁ ବି ନେଇପାରିବେ । ରିଫିଲ ପାଇଁ କୌଣସି  ଦୈନିକ କଟକଣା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । 

ବୁଧବାର ସୁଦ୍ଧା ରାଜ୍ୟର ୩୦ଟି  ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ  କରାଯାଇଛି । ଏହି ସବୁ ସ୍ଥାନରୁ  ୩୪୩୫ ସିଲିଣ୍ଡର ଜବତ କରାଯାଇଛି ।  ଏହା ବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ  ଅଧିନିୟମ ଅନୁଯାୟୀ ୩୨୩ ମାମଲା  ରୁଜୁ କରାଯିବା ସହ ୨୩ଟି ମାମଲା ରୁଜୁ କରାଯାଇଛି । କଳାବଜାରୀ ଓ ବେଆଇନ୍‌ ସିଲିଣ୍ଡର ଗଛିତ ରଖିଥିବା ଅଭିଯାଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । କିଛି କଳାବଜାରୀ  ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ  ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ  ଜିଲ୍ଲାରେ ଯୋଗାଣ ବିଭାଗର ଅଧିକାରୀମାନେ ଟିମ୍‌ ଗଠନ କରି  ଯାଞ୍ଚ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀମାନେ  ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ୫ କେଜିଆ ଗ୍ୟାସ ପ୍ରଚୁର ଉପଲବ୍ଧ ରହିଛି  : ଯୋଗାଣ ମନ୍ତ୍ରୀ