ଝାରପୋଖରିଆ,୦୮/୦୬: ଚୋରି ବାଇକ ସହ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଖଡିଆଶୋଳ ଗ୍ରାମର ଅଭିଷେକ ପାତ୍ରଙ୍କ ଗତ ଅପ୍ରେଲ ୫ ତାରିଖରେ ଘରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଉକ୍ତ ଚୋରା ବାଇକ୍ ସହ ବାରିପଦା ଶଙ୍ଖାଭଙ୍ଗାର ଦେବାଚାର୍ଯ୍ୟ ଘୋଷଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ପୁଲିସ ବାଇକ୍ ଚୋରି ଘଟଣାର ପର୍ଦାଫାସ କରିଛି। ବାଇକ୍ ସହ ଦେବାଚାର୍ଯ୍ୟ ଘୋଷଙ୍କ ସୋସିଆଲ ମିଡିଆ ପୋଷ୍ଟ ତାଙ୍କୁ ମହଙ୍ଗା ପଡିଛି ।
ଦେବାଚାର୍ଯ୍ୟଙ୍କ ସହିତ ଏହି ଘଟଣାରେ ସମ୍ପୃକ୍ତିକୁ ଥିବା ୬ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାରିପଦା ବଜ୍ରତୁଣ୍ଡିର ଜଗନ୍ନାଥ ମହାନ୍ତ, ଦେଉଳ ସାହିର ସିଦ୍ଧେଶ୍ବର ବାରିକ, କୃଷ୍ଣଚନ୍ଦ୍ରପୁରର ଗୋପାଲ ମୁର୍ମୁ ଏବଂ ଦୁଇଭାଇ ଆକାଶ ଆଣ୍ଟୋନି ଓ ଲୋରେନ୍ସ ଆଣ୍ଟୋନି । ଘଟଣାକ୍ରମରେ ଜଗନ୍ନାଥ ମହାନ୍ତ ଓ ସିଦ୍ଧେଶ୍ବର ବାରିକ୍ ମିଶି ବାଇକକୁ ଚୋରି ପରେ ଦୁଇ ଆଣ୍ଟୋନି ଭାଇଙ୍କୁ ବିକ୍ରି କରିଥିଲେ । ପରେ ଏହି ବାଇକକୁ ଦେବାଚାର୍ଯ୍ୟ କିଣି ଥିଲେ । ଆଉ ସୋସିଆଲ ମିଡ଼ିଆରେ ଖୁସି ବ୍ୟକ୍ତ କରି ବାଇକ୍ ସହିତ ଏକ ପୋଷ୍ଟ କରିଥିଲେ । ତେବେ ଏହି ପୋଷ୍ଟ ତାଙ୍କୁ ମହଙ୍ଗା ପଡ଼ିଛି । ସେହିପରି ଗୋପାଲ ମୁର୍ମୁ ବାଇକକୁ ରିମଡେଲିଂ କରିବା ସହିତ ଗାଡ଼ି ନମ୍ବର ବଦଳାଇବାକୁ ପ୍ରଚେଷ୍ଟା କରିବା ଅଭିଯୋଗରେ ବନ୍ଧା ହୋଇଥିବା ଜଣାପଡିଛି ।